Report Card Odisha

| Daily Odia News

ପରଲୋକରେ ‘ଜୁନିୟର୍‌ ମେହ୍‌ମୁଦ୍‌’….

ରିପୋର୍ଟ କାର୍ଡ / ମୁମ୍ବାଇ

ପାକସ୍ଥଳୀ କର୍କଟ ରୋଗରେ ପୀଡ଼ିତ ଥିବା ବର୍ଷୀୟାନ୍‌ ହିନ୍ଦୀ ଚଳଚ୍ଚିତ୍ର ଅଭିନେତା ‘ଜୁନିୟର୍‌ ମେହ୍‌ମୁଦ୍‌’ଙ୍କର ଗୁରୁବାର ରାତି ପ୍ରାୟ ୨ଟା ବେଳେ ମୁମ୍ବାଇସ୍ଥିତ ତାଙ୍କ ବାସଭବନରେ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା। ସେ ପାକସ୍ଥଳୀ କର୍କଟ ରୋଗରେ ପୀଡ଼ିତ ଥିଲେ। କିନ୍ତୁ, ଡାକ୍ତରୀ ପରୀକ୍ଷାଦ୍ବାରା ଏକଥା ଜଣାପଡ଼ିବା ଆଗରୁ କର୍କଟ ରୋଗ ତାଙ୍କ ଯକୃତ୍‌ ଓ ଫୁସ୍‌ଫୁସ୍‌କୁ ଆକ୍ରାନ୍ତ କରିସାରିଥିଲା। ତାଙ୍କ ଅନ୍ତଃନଳୀରେ ଗୋଟାଏ ‘ଟ୍ୟୁମର୍‌’ ମଧ୍ୟ ବାହାରିଥିଲା। ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା କର୍କଟ ରୋଗର ଚିକିତ୍ସା ବେଳେ ସେ କାମଳ ରୋଗରେ ବି ଆକ୍ରାନ୍ତ ହୋଇଗଲେ। ପ୍ରାପ୍ତ ସୂଚନା ଅନୁସାରେ, ଶୁକ୍ରବାର ନମାଜପାଠ ପରେ ତାଙ୍କ ମରଶରୀରକୁ ଜୁହୁ କବରସ୍ଥାନରେ କବର ଦିଆଯିବ। ଉଲ୍ଲେଖଯୋଗ୍ୟ, ୧୯୫୬ ମସିହା ନଭେମ୍ବର ୧୫ରେ ଜନ୍ମିତ ‘ଜୁନିଅର୍‌ ମେହ୍‌ମୁଦ୍‌’ଙ୍କ ଅସଲ ନାଁ ହେଉଛି ନଇମ୍‌ ସୟେଦ୍‌।ପ୍ରଥମେ ସେ ଜଣେ ଶିଶୁ କଳାକାର ଭାବେ ୧୯୬୬ରେ ‘ମୋହବତ୍‌ ଜିନ୍ଦଗୀ ହୈ’ରୁ ଅଭିନୟ କ୍ୟାରିୟର୍‌ ଆରମ୍ଭ କରିଥିଲେ। ତା’ପରେ ୧୯୬୭ରେ ମୁକ୍ତିଲାଭ କରିଥିବା ସଞ୍ଜୀବ କୁମାର, ବଳରାଜ ସାହାଣୀ ଓ ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ଅଭିନିତ ଚଳଚ୍ଚିତ୍ର ‘ନୌନିହାଲ୍‌’ ଏବଂ ୧୯୬୮ରେ ‘ସୁହାଗ୍‌ ରାତ୍‌’ ଚଳଚ୍ଚିତ୍ରରେ ଅଭିନେତା ମେହ୍‌ମୁଦ୍‌ଙ୍କ ଭାଇ ଭୂମିକାରେ ଅଭିନୟ କରିଥିଲେ। ଏଥିପାଇଁ ମେହ୍‌ମୁଦ୍‌ ତାଙ୍କର ନାଁ ଦେଇଥିଲେ ‘ଜୁନିୟର୍‌ ମେହ୍‌ମୁଦ୍‌’। ସେ ‘ହାତୀ ମେରା ସାଥୀ’, ‘ମେରା ନାମ୍ ଜୋକର୍‌’, ‘ବ୍ରହ୍ମଚାରୀ, ‘କଟିପତଙ୍ଗ’, ‘ହରେ ରାମା ହରେ କ୍ରିଷ୍ଣା’, ‘ଗୀତ୍‌ ଗାତା ଚଲ୍‌’, ‘ବଚ୍‌ପନ୍‌’, ‘ଇମାନ୍‌ଦାର୍‌’, ‘ବାପ୍‌ ନମ୍ବରୀ ବେଟା ଦଶ୍‌ ନମ୍ବରୀ’ ଏବଂ ‘ଆନ୍‌ ମିଲୋ ସଜ୍‌ନା’ ଭଳି ଲୋକପ୍ରିୟ ଚଳଚ୍ଚିତ୍ର ସମେତ ପ୍ରାୟ ୨୫୦ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି।

 

 

Breaking News