Report Card Odisha

| Daily Odia News

ଭିଜିଲାନ୍ସ ଜାଲରେ ୨ ଡ୍ରଗ୍ସ ଇନ୍ସପେକ୍ଟର ଅଫିସର…..

ରିପୋର୍ଟ କାର୍ଡ / ବ୍ରହ୍ମପୁର

ଭିଜିଲାନ୍ସ ଜାଲରେ ଗଂଜାମ ରେଞ୍ଜ-୧ର ଡ୍ରଗ୍ସ ଇନ୍ସପେକ୍ଟର ଅଫିସର ୨ କର୍ମଚାରୀ। ଅଫିସରେ କନିଷ୍ଠ କିରାଣି ଭାବେ କାମ କରୁଥିବା ଜୟନ୍ତ କୁମାର ମଲ୍ଲିକ ଓ ଡାଟା ଏଣ୍ଟ୍ରି ଅପରେଟର୍(DEO) ପ୍ରେମାଞ୍ଜନ ସ୍ୱାଇଁ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଗୋଟିଏ ମେଡିସିନ୍ ଦୋକାନର ସ୍ଥାନ ପରିବର୍ତ୍ତନ ପାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ମାଡ଼ିବସିଥିଲା । ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଏହି ଦୁଇ କର୍ମଚାରୀ ଗୋଟିଏ ମେଡିସିନ ଷ୍ଟୋରର ମ୍ୟାନେଜରଙ୍କୁ ଲାଞ୍ଚ ମାଗିଥିଲେ। ଟଙ୍କା ଦେଲେ ମେଡିସିନ ଷ୍ଟୋର ସ୍ଥାନ ବଦଳି ପାରିବ ବୋଲି ସେମାନେ ପ୍ରତିଶ୍ରୁତି ଦେଇଥିଲେ। ଯୋଜନା ଅନୁସାରେ ଦୁଇ କର୍ମଚାରୀ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସେମାନଙ୍କୁ କାବୁ କରାଯାଇଛି। ଲାଞ୍ଚ ଆକାରରେ ନେଇଥିବା ସବୁ ଟଙ୍କାକୁ ଭିଜିଲାନ୍ସ ଅଧିକାରୀମାନେ ଅଭିଯୁକ୍ତ ଜୟନ୍ତ କୁମାର ମଲ୍ଲିକଙ୍କ ଠାରୁ ଠାବ କରିଛନ୍ତି। ଏହାପରେ ଜୟନ୍ତଙ୍କ ଅଫିସ ରୁମ ସହ ଡିଇଓ ପ୍ରେମାଞ୍ଜନଙ୍କ ରେଷ୍ଟ ରୁମରେ ଏକକାଳୀନ ସର୍ଚ୍ଚ ଅପରେସନ କରାଯାଇଛି। ସେହିପରି ବ୍ରହ୍ମପୁରର ଗଜପତି ନଗର ଅନ୍ତର୍ଗତ ୧୦ମ ଲାଇନରେ ଥିବା ଜୟଙ୍କ ଭଡ଼ା ଘରେ ବି ରେଡ ହୋଇଛି। ଏହି ଘଟଣାରେ ବ୍ରହ୍ମପୁର ଭିଜିଲାନ୍ସ ଗୋଟିଏ ମାମଲା ରୁଜୁ କରିଛି। ଏବେ ବି ଘଟଣାର ଯାଞ୍ଚ ଓ ଦୁଇ ଅଭିଯୁକ୍ତଙ୍କ ବିଭିନ୍ନ ଠିକଣାରେ ରେଡ୍‌ କରାଯାଉଛି। ରେଡ୍‌ ସରିବା ପରେ ବିସ୍ତୃତ ତଥ୍ୟ ଦିଆଯିବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।

Breaking News