Report Card Odisha

| Daily Odia News

ଆଜି ସମୀର ୱାଙ୍ଖଡ଼େଙ୍କୁ ୫ ଜଣିଆ ଟିମ୍‌ କରିବେ ଜେରା……

ରିପୋର୍ଟ କାର୍ଡ / ମୁମ୍ବାଇ

ମୁମ୍ବାଇ କ୍ରୁଜ୍ ଡ୍ରଗ୍ ମାମଲାରେ ଗିରଫ ହୋଇଥିବା ଶାହରୁଖ ଖାନ୍‌ଙ୍କ ପୁଅ ଆର୍ୟନ୍ ଖାନ୍‌ଙ୍କୁ ମୁକୁଳାଇବା ପାଇଁ ଏନ୍‌ସିବିର ଆଞ୍ଚଳିକ ନିର୍ଦ୍ଦେଶକ ସମୀର ୱାଙ୍ଖଡ଼େ ଓ ଅନ୍ୟ ଅଧିକାରୀଙ୍କ ପକ୍ଷରୁ ୨୫ କୋଟି ଟଙ୍କା ଲାଞ୍ଚ ମାଗାଯାଇଥିବା ନେଇ ଜଣେ ସାକ୍ଷୀଙ୍କ ଦେହରକ୍ଷୀ ଅଭିଯୋଗ କରିବା ପରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ପକ୍ଷରୁ ଏହାର ଭିଜିଲାନ୍ସ ତଦନ୍ତ ଆରମ୍ଭ ହୋଇଛି। ଭିଜିଲାନ୍ସର ୫ ଜଣିଆ ଟିମ୍‌ ଆସନ୍ତାକାଲି ୱାଙ୍ଖଡ଼େଙ୍କୁ ଏହି ମାମଲାରେ ଜେରା କରିବେ । ଏନ୍‌ସିବିର ଉତ୍ତରାଞ୍ଚଳ ଉପ ମହାନିର୍ଦ୍ଦେଶକ ତଥା ମୁଖ୍ୟ ଭିଜିଲାନ୍ସ ଅଧିକାରୀ ଜ୍ଞାନେଶ୍ବର ସିଂହ ଏହି ତଦନ୍ତର ନେତୃତ୍ବ ନେଉଛନ୍ତି। ସିଂହ କହିଛନ୍ତି ଯେ, ଘଟଣା ବିଷୟରେ ଲୋକେ ସଚେତନ ଅଛନ୍ତି। କ୍ରୁଜ୍ ଡ୍ରଗ୍ ମାମଲାର ଅନ୍ୟତମ ସାକ୍ଷୀ ଗୋସାବିଙ୍କ ବ୍ୟକ୍ତିଗତ ଦେହରକ୍ଷୀ ପ୍ରଭାକର ଶୈଳ ମଧ୍ୟ ଏକ ସତ୍ୟପାଠରେ ଦାବି କରିଥିଲେ ଯେ, ତାଙ୍କଠାରୁ ଏକ ସାଦା କାଗଜରେ ଦସ୍ତଖତ ନିଆଯାଇଛି। ‘ଆମେ ଏକ ପୋସାଦାର ସଂସ୍ଥା, ଆମ କର୍ମଚାରୀଙ୍କ ବିରୋଧରେ ଆସୁଥିବା ଯେକୌଣସି ଅଭିଯୋଗର ତଦନ୍ତ କରିବା ପାଇଁ ଆମେ ସ୍ବାଧୀନ। ତଦନ୍ତ ସ୍ବଚ୍ଛ ଓ ନିରପେକ୍ଷ ହେବ। ଶୈଳଙ୍କ ସତ୍ୟପାଠ ଏବଂ ଆମର ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଡିଜି (ମୁଥା ଅଶୋକ ଜୈନ)ଙ୍କଠାରୁ ମିଳିଥିବା ରିପୋର୍ଟ ଭିତ୍ତିରେ ତଦନ୍ତ କରାଯିବ ବୋଲି ମୁଖ୍ୟ ଭିଜିଲାନ୍ସ ଅଫିସର ସିଂହ କହିଛନ୍ତି। ‘ଏହା ପରେ ବି ୱାଙ୍ଖଡ଼େଙ୍କୁ ଡ୍ରଗ୍ସ ମାମଲାର ତଦନ୍ତ କରିବାକୁ ଦିଆଯିବ କି’ ବୋଲି ପ୍ରଶ୍ନର ଉତ୍ତରରେ ସିଂହ କହିଥିଲେ, ଏତେ ଜଲଦି ଏ ପ୍ରଶ୍ନର ଉତ୍ତର ଦେଇହେବ ନାହିଁ। ଅପରପକ୍ଷେ ସୋମବାରଠାରୁ ଦିଲ୍ଲୀରେ ଥିବା ୱାଙ୍ଖଡ଼େ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗଗୁଡ଼ିକ ମିଥ୍ୟା ଏବଂ ଅଜଣା ବ୍ୟକ୍ତିଙ୍କ ଦ୍ବାରା ତାଙ୍କୁ ଫସାଯାଉଛି ବୋଲି କହିଛନ୍ତି।

Breaking News