ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ ଭୂତଳ ଜଳ ପରିମାଣ ହ୍ରାସ ପାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଜଳ ଅପଚୟ ରୋକିବାକୁ କଠୋର ପଦକ୍ଷେପ ନେବା ପାଇଁ ଦିଲ୍ଲୀ ସରକାର ଘୋଷଣା କରିଛନ୍ତି। ଜଳ ଅପଚୟ କରୁଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବା ପାଇଁ ୨୦୦ଟି ଦଳ ନିୟୋଜିତ କରିବାକୁ ଦିଲ୍ଲୀ ଜଳ ବୋର୍ଡ ଅଧ୍ୟକ୍ଷା ତଥା ମନ୍ତ୍ରୀ ଅତିଶି ବୋର୍ଡର ମୁଖ୍ୟ କାର୍ୟ୍ୟନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ସହ ବାଣିଜ୍ୟିକ ନିର୍ମାଣ କାର୍ୟ୍ୟରେ ପାନୀୟ ଜଳ ବ୍ୟବହୃତ ହେଉଥିଲେ ଏହାର ସଂଯୋଗ କାଟିବା ପାଇଁ ନିର୍ଦେଶ ଦିଆଯାଇଛି। ଏଥିସହିତ ପାଣି ନଷ୍ଟ କଲେ ୨ହଜାର ଟଙ୍କା ଜୋରିମାନା ହେବ ବୋଲି ଘୋଷଣା କରାଯାଇଛି। ବିଶେଷ କରି ପାଇପ ଜଳ ବ୍ୟବହାର କରି ଗାଡ଼ି ଧୋଇବା, ପାଣି ଟାଙ୍କି ଓଭର୍ ଫ୍ଲୋ ହୋଇ ଜଳ ନଷ୍ଟ ହେବା, ପାନୀୟ ଜଳକୁ ନିର୍ମାଣ କାର୍ୟ୍ୟରେ ବ୍ୟବହାର କରୁଥିବା ବ୍ୟକ୍ତି ବିଶେଷଙ୍କଠାରୁ ୨ ହଜାର ଟଙ୍କା ଜୋରିମାନା ଆଦାୟ କରାଯିବ ବୋଲି ଦିଲ୍ଲୀ ସରକାର ନିଷ୍ପତ୍ତି ନେଇଛନ୍ତି। ସେହିପରି ବେଆଇନ ଭାବେ ଜଳସଂଯୋଗ ନେଇଥିବା ବ୍ୟକ୍ତିଙ୍କ ବିରୋଧରେ ମଧ୍ୟ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅତିଶି ନିର୍ଦେଶ ଦେଇଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ ଗତ ଦୁଇ ସପ୍ତାହ ଧରି ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ଅସହ୍ୟ ଗରମ ସାଙ୍ଗକୁ ଜଳ ସଂକଟ ଲାଗି ରହିଛି। ଏହାର ମୁକାବିଲା ପାଇଁ ବୋର୍ୱେଲଗୁଡ଼ିକ ଚାଲିବା ସମୟ ଦୁଇଗୁଣ ବୃଦ୍ଧି କରାଯାଇଛି। ଦୈନିକ ୧୪ ଘଣ୍ଟା ବୋର୍ୱେଲ ଚଳାଇବା ସହ ଜଳ ଯୋଗାଇ ଦିଆଯାଉଛି। ଜଳାଭାବ ଅଞ୍ଚଳରେ ଟ୍ୟାଙ୍କର ଯୋଗେ ପାଣି ପହଞ୍ଚାଯାଉଛି। ଏହି ପାଣିରେ କିଛି ଲୋକ ଗାଡ଼ି ଧୋଉଥିବା ଓ ନିର୍ମାଣ କାର୍ୟ୍ୟରେ ଏହାକୁ ବ୍ୟବହାର କରୁଥିବା ଦେଖାଯାଉଛି। ଏହାଦ୍ବାରା ପାନୀୟ ଜଳର ଅପବ୍ୟବହାର ହେଉଥିବା ଅତିଶି ଦର୍ଶାଇଛନ୍ତି।






More Stories
୪ରେ କେରଳମ ଛୁଇଁବ ମୌସୁମୀ!….
ଲୋକ ଅଦାଲତ କିମ୍ବା ଡିଏଲ୍ଏସ୍ଏ ବିବାହ ବିଚ୍ଛେଦ ସମ୍ପର୍କରେ ନିଷ୍ପତ୍ତି ନେଇ ପାରିବେନି…..
ପୁଣି ବଢିଲା ସିଲିଣ୍ଡର ଦାମ୍ !….