Report Card Odisha

| Daily Odia News

ଯୁଦ୍ଧ ଓ ଶାନ୍ତି ପାଇଁ ଆମେ ପ୍ରସ୍ତୁତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଇରାନରେ ଲାଗି ରହିଥିବା ବିଦ୍ରୋହ ଓ ହିଂସାକୁ ନିୟନ୍ତ୍ରଣ କରିବା ଲାଗି ସରକାର ସାମରିକ କାର୍ଯ୍ୟାନୁଷ୍ଠାନ ଜାରି ରଖିଛନ୍ତି। ସେନାର କାର୍ଯ୍ୟାନୁଷ୍ଠାନରେ ହଜାର ହଜାର ବିକ୍ଷୋଭକାରୀ ପ୍ରାଣ ହରାଇଲେଣି। ବିକ୍ଷୋଭକାରୀଙ୍କ ବିରୋଧରେ ଇରାନ ସରକାରଙ୍କ ଏପରି କାର୍ଯ୍ୟାନୁଷ୍ଠାନକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଧମକ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି ଯେ ଇରାନ ଉପରେ ଆମେରିକା ସାମରିକ ହସ୍ତକ୍ଷେପ କରିବ। ତେବେ ଟ୍ରମ୍ପଙ୍କ ଏପରି ଧମକର ଜବାବ ଦେଇଛନ୍ତି ଇରାନ ବୈଦେଶିକ ମନ୍ତ୍ରୀ ଆବାସ ଆରାଗଚି। ରାଜଧାନୀ ତେହରାନରେ ବିଭିନ୍ନ ଦେଶର ରାଷ୍ଟ୍ରଦୂତଙ୍କୁ ଆବାସ କହିଛନ୍ତି ଯେ ଇରାନ ଯୁଦ୍ଧ ଚାହେଁ ନାହିଁ। ମାତ୍ର ଯୁଦ୍ଧ ପାଇଁ ଏହା ସର୍ବଦା ପ୍ରସ୍ତୁତ। ଇରାନ ଉଭୟ ଯୁଦ୍ଧ ଓ ଶାନ୍ତି କଥାବାର୍ତ୍ତା ପାଇଁ ପ୍ରସ୍ତୁତ ରହିଛି। ବିକ୍ଷୋଭକାରୀଙ୍କ ସହ ଆଲୋଚନା କରାଯାଇ ସମସ୍ୟାର ସମାଧନ କରିବା ଲାଗି ସରକାରଙ୍କ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ଏପରି କି ଆମେରିକା ସହିତ କଥାବାର୍ତ୍ତା କରିବାକୁ ଇରାନ ଆଗ୍ରହୀ ରହିଛି। ଏଥିପାଇଁ ଆମେରିକା ସହିତ ମଧ୍ୟସ୍ଥତା ମାଧ୍ୟମରେ କଥାବାର୍ତ୍ତା କରିବା ଲାଗି ସୁଇଜରଲ୍ୟାଣ୍ଡ ସହିତ ମଧ୍ୟ ଯୋଗାଯୋଗ କରାଯାଉଛି। ଦେଶରେ ଏବେ ହିଂସା ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି। ବିକ୍ଷୋଭକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପରେ ଏବେ ସେମାନେ ନିୟନ୍ତ୍ରଣକୁ ଆସିଛନ୍ତି। ଅନ୍ୟପଟେ ୟୁରୋପୀୟ ୟୁନିୟନ (ଇୟୁ) ପାର୍ଲାମେଣ୍ଟ ଇରାନର ରାଷ୍ଟ୍ରଦୂତ ଓ ପ୍ରତିନିଧିଙ୍କୁ ବାସନ୍ଦ କରିଛି। ଇୟୁର ବିଭିନ୍ନ ଦେଶ ପାଇଁ ନିଯୁକ୍ତ ହୋଇଥିବା ଇରାନର ରାଷ୍ଟ୍ରଦୂତ ଓ ପ୍ରତିନିଧିଙ୍କୁ ଇୟୁ ପାର୍ଲାମେଣ୍ଟ ପରିସରରେ କୌଣସି ପ୍ରକାର ପ୍ରବେଶ ଅନୁମତି ଦିଆଯିବ ନାହିଁ। ଏ ସମ୍ପର୍କରେ ଇୟୁର ସଭାପତି ସୋମବାର ଘୋଷଣା କରିଛନ୍ତି। ଇରାନର ବିକ୍ଷୋଭକାରୀଙ୍କ ଉପରେ ସରକାରଙ୍କ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ଇୟୁ ଏପରି ପଦକ୍ଷେପ ନେଇଛି। ଇରାନ ପ୍ରସଙ୍ଗରେ ଚୀନ ମୁହଁ ଖୋଲିଛି। ଚୀନ କହିଛି ଇରାନର ଆଭ୍ୟନ୍ତରୀଣ ପ୍ରସଙ୍ଗରେ ଆନ୍ତର୍ଜାତିକ ହସ୍ତକ୍ଷେପ ଠିକ୍ ନୁହେଁ। ଇରାନରେ ଲାଗି ରହିଥିବା ବିଦ୍ରୋହକୁ ନିୟନ୍ତ୍ରଣ ପୂର୍ବକ ଶାନ୍ତି ପ୍ରତିଷ୍ଠା ଆମର କାମନା ହେବା ଦରକାର। ଏଥିରେ କୌଣସି ବାହ୍ୟ ରାଷ୍ଟ୍ର ହସ୍ତକ୍ଷେପ କରିବା ଉଚିତ୍ ନୁହେଁ। ଏହାଦ୍ବାରା ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇବ। ଉତ୍ତେଜନାକୁ ହ୍ରାସ କରିବା ଲାଗି ଉଭୟ ପକ୍ଷ ସକାରାତ୍ମକ ଦିଗରେ କଥାବାର୍ତ୍ତା କରିବା ଜରୁରୀ। ଇରାନ ହିଂସାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଜଣେ ଭାରତୀୟଙ୍କୁ ଗିରଫ କରାଯାଇଥିବା ନେଇ ହେଉଥିବା ଦାବିକୁ ତେହରାନସ୍ଥିତ ଭାରତୀୟ ରାଷ୍ଟ୍ରଦୂତ ମହମ୍ମଦ ଫତାଲି ଖଣ୍ଡନ କରିଛନ୍ତି। ଅନ୍ୟପକ୍ଷରେ ଇରାନରେ ଆଜି ସରକାର ସପକ୍ଷବାଦୀ ଶୋଭାଯାତ୍ରା ଦେଖିବାକୁ ମିଳିଛି। ତେହରାନରେ ହଜାର ହଜାର ସଂଖ୍ୟାରେ ଜନତା ଏକାଠି ହୋଇ ହିଂସାରେ ପ୍ରାଣ ହରାଇଥିବା ସୁରକ୍ଷାକର୍ମୀଙ୍କ ପ୍ରତି ଶୋକ ବ୍ୟକ୍ତ କରିଛନ୍ତି। ଇରାନ ରାଷ୍ଟ୍ରପତି ମାସୁଦ ପେଜସ୍‌କିଆନ ଦେଶବାସୀଙ୍କୁ ସତର୍କ କରାଇବା ପରେ ଏପରି ଶୋଭାଯାତ୍ରା ଦେଖିବାକୁ ମିଳିଛି। ରବିବାର ଇରାନ ରାଷ୍ଟ୍ରପତି କହିଥିଲେ ଯେ ଆମେରିକା ଓ ଇସ୍ରାଏଲ ଭଳି ଦେଶରୁ ଆତଙ୍କବାଦୀମାନେ ଆସି ଦେଶରେ ହିଂସା ଓ ଅରାଜକତା ଚଳାଇଛନ୍ତି। ଏପରି ଆତଙ୍କବାଦୀଙ୍କ ଦ୍ବାରା ପରିଚାଳିତ ନ ହେବାକୁ ସେ ଦେଶବାସୀଙ୍କୁ ପରାମର୍ଶ ଦେଇଥିଲେ।

Breaking News