ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଯୁଦ୍ଧରେ ମାଟି କାମୁଡ଼ିବାର ୧୫ ଦିନ ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଏବେ ଭାରତ ସହ ଶାନ୍ତି ଆଲୋଚନା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି। ଇରାନ ଗସ୍ତରେ ଥିବା ଶେହବାଜ ଭାରତ ସହିତ କଶ୍ମୀର, ଆତଙ୍କବାଦ, ଜଳ ଏବଂ ବାଣିଜ୍ୟ ସମେତ ସମସ୍ତ ବିବାଦର ସମାଧାନ କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି। ଇରାନ ରାଷ୍ଟ୍ରପତି ମସୁଦ ପେଜେଶକିଆନଙ୍କ ସହ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ପାକ୍ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ କହିଛନ୍ତି ଯେ,‘‘ଆମେ ଆଲୋଚନା ମାଧ୍ୟମରେ କଶ୍ମୀର ପ୍ରସଙ୍ଗ ଏବଂ ଜଳ ପ୍ରସଙ୍ଗ ସମେତ ସମସ୍ତ ବିବାଦର ସମାଧାନ କରିବାକୁ ଚାହୁଁଛୁ ଏବଂ ଆମେ ଆମ ପଡ଼ୋଶୀ ସହିତ ବାଣିଜ୍ୟ ଏବଂ ଆତଙ୍କବାଦ ବିରୋଧୀ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ମଧ୍ୟ ପ୍ରସ୍ତୁତ।’’ ଅପରେସନ୍ ସିନ୍ଦୂର’ର ସଫଳତା ପରେ ପାକିସ୍ତାନକୁ ଅନ୍ତର୍ଜାତୀୟ ସ୍ତରରେ ଘେରିବାରେ ଲାଗିଛି ଭାରତ। ଆତଙ୍କବାଦ ପ୍ରସଙ୍ଗ, ପହଲଗାମ ଆକ୍ରମଣ, ପାକିସ୍ତାନର ଆତଙ୍କୀ ପ୍ରେମ ଓ ଭାରତର ‘ଅପରେସନ୍ ସିନ୍ଦୂର’ର ସଫଳତା ନେଇ ବିଭିନ୍ନ ଦେଶରେ ଆଲୋଚନା କରୁଛନ୍ତି ଭାରତୀୟ ପ୍ରତିନିଧି ଦଳ। ଏପଟେ ଏହି ପରିପ୍ରେକ୍ଷୀରେ ଭାରତ ସହ ଆଲୋଚନା କରିବାକୁ ପ୍ରସ୍ତାବ ଦେଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ। ଭାରତକୁ ଅନୁସରଣ କରି ନିଜ ସମର୍ଥିତ ଦେଶ ଭ୍ରମଣରେ ଅଛନ୍ତି ଶେହବାଜ ସରିଫ। ଚାରି ଦେଶ ତୁର୍କୀ, ଇରାନ, ଅଜରବୈଜାନ ଓ ତାଜାକିସ୍ତାନ ଗସ୍ତର ଦ୍ଵିତୀୟ ପର୍ଯ୍ୟାୟରେ ତୁର୍କୀରୁ ତେହରାନରେ ପହଞ୍ଚିଛନ୍ତି। ସେଠାରେ ଇରାନ ରାଷ୍ଟ୍ରପତି ମସୁଦ ପେଜେଶକିଆନ ସାଦାବାଦ ପ୍ୟାଲେସରେ ତାଙ୍କୁ ସ୍ଵାଗତ କରିଛନ୍ତି। ତାଙ୍କୁ ଗାର୍ଡ଼ ଅଫ୍ ଅନର ପ୍ରଦାନ କରାଯାଇଛି ଏବଂ ରାଷ୍ଟ୍ରପତି ପେଜେଶକିଆନଙ୍କ ସହ ତାଙ୍କର ଆଲୋଚନା ହୋଇଛି।






More Stories
ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା…..
ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍…..
ରେପୋ ହାର ହ୍ରାସ…..