ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟର କେତେକ ସ୍ଥାନରେ ସର୍ବାଧିକ ତାପମାତ୍ରା ବୃଦ୍ଧି ପାଇଛି। ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି। ୩ ଜିଲ୍ଲାରେ ପାରଦ ୪୦ ଡିଗ୍ରୀ ଟପିଛି । ଟିଟିଲାଗଡରେ ସର୍ବୋଚ୍ଚ ତାପମାତ୍ରା ୪୧.୨ ଡିଗ୍ରୀ ରେକର୍ଡ କରାଯାଇ ଥିବାବେଳେ ସୁନ୍ଦରଗଡ ୪୦.୫, ବଲାଙ୍ଗୀର ୪୦.୩, ଭୁବନେଶ୍ୱର ୩୮.୨ ଏବଂ କଟକରେ ୩୮.୨ ଡିଗ୍ରୀ ତାପମାତ୍ରା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡା, କଳାହାଣ୍ଡି, କେନ୍ଦୁଝର, ମୟୂରଭଞ୍ଜ ଏବଂ ବାଲେଶ୍ୱର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହୋଇପାରେ। ଶନିବାର ବାଲେଶ୍ୱର, କଟକ, ବାରିପଦା ଏବଂ ବଲାଙ୍ଗୀରରେ ବର୍ଷା ହୋଇଛି। ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁ ଆନ୍ଧ୍ର ପ୍ରଦେଶରେ ପାଦ ଥାପିଲାଣି। ରବିବାର ଆନ୍ଧ୍ରର ଆଉ କେତେକ ଅଞ୍ଚଳରେ ମୌସୁମି ସ୍ପର୍ଶ କରିବ। ମୌସୁମି ଆନ୍ଧ୍ର ଉପକୂଳ ଛୁଇଁବା ପରେ ଓଡ଼ିଶାକୁ ଆସିବ। ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ ଆକଳନ କରି କହିଛନ୍ତି, ୮ରେ ଦକ୍ଷିଣ ଓଡ଼ିଶାରେ ବର୍ଷାର ସମ୍ଭାବନା ରହିଛି। କୋରାପୁଟ, ନବରଙ୍ଗପୁର ଏବଂ କଳାହାଣ୍ଡିରେ ପ୍ରବଳ ବର୍ଷା ହୋଇପାରେ। ଏଥିପାଇଁ ଉପରୋକ୍ତ ଜିଲାକୁ ସତର୍କ ସୂଚନା ଦିଆଯାଇଛି। ଯଦିଓ ଭଲ ବର୍ଷା ହୁଏ ତେବେ ମାଲକାନଗିରି, କୋରାପୁଟ, ଗଜପତି, ରାୟଗଡା ଏବଂ ନବରଙ୍ଗପୁର ଜିଲାରେ ପ୍ରଥମେ ମୌସୁମି ବାୟୁ ଛୁଇଁବାର ସମ୍ଭାବନା ରହିଛି। ୧୧ରେ ଲଘୁଚାପ ସୃଷ୍ଟି ହେବାକୁ ଥିବାବେଳେ ୧୪ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ। ଲଘୁଚାପ ଜନିତ ବର୍ଷା ଆଗୁଆ ମୌସୁମି ବାୟୁକୁ ଆଣିବାରେ ସହାୟକ ହେବ।






More Stories
ଠିକ୍ ସମୟରେ କାମ ନହେଲେ କାର୍ଯ୍ୟାନୁଷ୍ଠାନ…..
ଗଡ଼ିବ ୨୫୦ ନୂଆ ୧୦୮ ଆମ୍ବୁଲାନ୍ସ…..
୧୨ରେ ପାଚିକା-ସହାୟିକାଙ୍କ ଧର୍ମଘଟ…..