Report Card Odisha

| Daily Odia News

୧ ରୁ ପ୍ରବଳ ବର୍ଷା…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ୧ ଅକ୍ଟୋବରରୁ ପ୍ରବଳ ବର୍ଷା ଆରମ୍ଭ ହୋଇ ୨ ତାରିଖରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ସମଗ୍ର ଉପକୂଳବର୍ତ୍ତୀ ଜିଲ୍ଲା ସମେତ ଏହାର ସଂଲଗ୍ନ ଜିଲ୍ଲାଗୁଡ଼ିକରେ ବର୍ଷାର ପରିମାଣ ଅଧିକ ରହିବ। ବର୍ଷାକୁ ଦୃଷ୍ଟିରେ ରଖି ଏବେଠାରୁ ପାଣିପାଗ କେନ୍ଦ୍ର ପକ୍ଷରୁ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି ହେବା ସହିତ ଆଲର୍ଟ ମଧ୍ୟ ଜାରି କରାଯାଇଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ୧ ଅକ୍ଟୋବର ବେଳକୁ ଉତ୍ତର-ପୂର୍ବ ତତସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳକୁ ଏକ ଘୂର୍ଣ୍ଣିବଳୟ ପ୍ରବେଶ କରିବାର ସମ୍ଭାବନା ରହିଛି। ଏହାଦ୍ୱାରା ୧ ତାରିଖରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ସେହିପରି ୨ତାରିଖରୁ ବର୍ଷାର ପ୍ରକୋପ ଆହୁରି ବଢ଼଼ିବା ସହିତ ଅଧିକାଂଶ ଜିଲ୍ଲାକୁ ବର୍ଷା ବ୍ୟାପୀବ। ଏହାଦ୍ୱାରା ସମ୍ପୂର୍ଣ୍ଣ ଉପକୂଳ ଓଡ଼ିଶା ପ୍ରଭାବିତ ହେବ ବୋଲି ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ ଟୁଇଟ ଯୋଗେ ସୂଚନା ଦେଇଛନ୍ତି। ଗୁରୁବାର ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷାର ଆଶଙ୍କା କରିଛି। ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମାଲାକନଗିରି, କୋରାପୁଟ, ରାୟଗଡ଼ା, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ ଆଦିରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବାକୁ ଥିବା ବେଳେ ଗଜପତି, କୋରାପୁଟ ଓ କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଗତ ୨୪ ଘଣ୍ଟାରେ ମାଲକାନଗିରିରେ ୨୮.୨ ମିମି ବର୍ଷା ହୋଇଥିବା ବେଳେ ସୋନପୁରରେ ୧୮ ମିମି ବର୍ଷା ରେକର୍ଡ କରାଯାଇଛି।

Breaking News