ରିପୋର୍ଟ କାର୍ଡ / ଭୁବନେଶ୍ୱର
ପଶ୍ଚିମା ଝଡ଼ ପ୍ରଭାବ ହେବ | ଏହାର ପ୍ରଭାବରେ ରାଜ୍ୟର କିଛି ଜିଲ୍ଲାରେ ଫେବୃଆରୀ ୩ରୁ ବର୍ଷା ଆଶଙ୍କା ରହିଛି। ପରବର୍ତ୍ତୀ ଦୁଇଦିନ ବର୍ଷା ପରିମାଣ ବୃଦ୍ଧି ପାଇବ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ସୋନପୁର ସମେତ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ବିକ୍ଷିପ୍ତ ବର୍ଷା ହୋଇପାରେ । ୪ ଓ ୫ ତାରିଖରେ ବର୍ଷା ପରିମାଣ ବଢ଼ିବ । ପାଣିପାଗ ବିଭାଗ ରବିବାର ଏଭଳି ପୂର୍ବାନୁମାନ କରିଛି । ଏଭଳି ଅଦିନିଆ ବର୍ଷା ପ୍ରଭାବରେ ପନିପରିବା ଚାଷ ବ୍ୟାପକ କ୍ଷତିଗ୍ରସ୍ତ ହେବାର ଆଶଙ୍କା ସୃଷ୍ଟି ହୋଇଛି । ଆସନ୍ତା ୫ ତାରିଖ ଦିନ ଯାଏ ରାଜ୍ୟରୁ ଶୀତ କମିଯିବ । ୫ ତାରିଖ ପରେ ଶୀତ ପୁଣି ଫେରିବ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି । ଭାରତୀୟ ପାଣିପାଗ ବିଭାଗର ପାଣିପାଗ ବିଜ୍ଞାନୀ ଉମାକାନ୍ତ ଦାସ କହିଛନ୍ତି, ପଶ୍ଚିମା ଝଡ଼ ପ୍ରଭାବରେ ଆସନ୍ତା ୩ ତାରିଖରେ ବର୍ଷା ହେବ । ସୋନପୁର, ବରଗଡ଼, ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ, ଢେଙ୍କାନାଳ ଓ ଅନୁଗୁଳର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ୪ ଓ ୫ ତାରିଖରେ ରାଜ୍ୟରେ ବର୍ଷା ପରିମାଣ ବଢ଼ିବ । ସୋମବାର ସକାଳୁ କିଛି ସ୍ଥାନରେ ଶୀତ ଲହରୀ ଜାରି ରହିବ । ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ବରଗଡ଼, ନୂଆପଡା, ବଲାଙ୍ଗିର, ସୋନପୁର ଓ କଳାହାଣ୍ଡିରେ ଶୀତ ଲହରୀ ବହିବ । ସୋମବାର ରାତିରୁ ତାପମାତ୍ରା କ୍ରମଶଃ ବଢିବ । ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ୩ରୁ ୫ ଡିଗ୍ରୀ ଯାଏ ବଢିଯିବ ।ଫଳରେ ଶୀତ କମିବ । ୩ ତାରିଖରୁ ବର୍ଷା ଆଶଙ୍କା ଥିବାରୁ ପାଗ କୋହଲା ରହିବ । ଦିନବେଳା ଥଣ୍ଡା ପାଗ ରହିବ । କିନ୍ତୁ ରାତିରେ ଶୀତ ଅଧିକ ରହିବନି । ୫ ତାରିଖ ପରଠାରୁ ରାଜ୍ୟକୁ ପୁଣି ଶୀତ ଫେରିବ । ୧ ଓ ୨ ତାରିଖରେ ରାଜ୍ୟର ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ କୁହୁଡି ଅନୁଭୂତ ହେବ ।






More Stories
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ,ବାତ୍ୟା ଆଶଙ୍କା…..
ପିଲାଙ୍କୁ ମିଳିବ ୟୁନିଫର୍ମ…..
ବସ୍ତି ବାସିନ୍ଦାଙ୍କୁ ମିଳିବ ଘର…..