ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଉତ୍ତର ଆଣ୍ଡାମାନ ସାଗର ଓ ତତ୍ ସଂଲଗ୍ନ ଦକ୍ଷିଣପୂର୍ବ ବଙ୍ଗୋପସାଗର ଉପରେ ସଂଘଠିତ ସୁ-ଦୃଶ୍ୟ ଲଘୁଚାପ କ୍ଷେତ୍ରଟି ଏବେ ଦକ୍ଷିଣପୂର୍ବ ବଙ୍ଗୋପସାଗର ଏବଂ ତତ୍ସଂଲଗ୍ନ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ସାଗର ଉପରେ ରହିଥିବା କଥା ଆଜି ଭାରତୀୟ ପାଣିପାଗ ବିଭାଗ କହିଛି। ଏଥିସହ ସମ୍ପୃକ୍ତ ଥିବା ଘୂର୍ଣ୍ଣିବଳୟଟି ମଧ୍ୟ ସମୁଦ୍ର ପତ୍ତନଠାରୁ ୭.୬ କିଲୋମିଟର୍ ଉର୍ଦ୍ଧ୍ବରେ ରହିଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଉତ୍ତରପଶ୍ଚିମ ଆଡ଼କୁ ଗତିକରି ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଅବପାତରେ ରୂପାନ୍ତର ହେବା ସମ୍ଭାବନା ରହିଛି। ସୋମବାର ଦିନ ପୂର୍ବକେନ୍ଦ୍ରୀୟ, ତତ୍ସଂଲଗ୍ନ ଦକ୍ଷିଣପୂର୍ବ ଏବଂ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଏହା ଆହୁରି ତୀବ୍ରତର ହୋଇ ଗଭୀର ଅବପାତ ପାଲଟିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି | ଏହା କ୍ରମଶଃ ଉତ୍ତରଆଡ଼କୁ ମୋଡ଼ ବଦଳାଇ ମଙ୍ଗଳବାର ଦିନ ପଶ୍ଚିମକେନ୍ଦ୍ରୀୟ ଏବଂ ତତ୍ସଂଲଗ୍ନ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ତୀବ୍ରତର ହୋଇ ସାମୁଦ୍ରିକ ବାତ୍ୟାରେ ପରିଣତ ହେବ। ତତ୍ପରେ ଉକ୍ତ ସାମୁଦ୍ରିକ ବାତ୍ୟା ଉତ୍ତର-ଉତ୍ତରପଶ୍ଚିମ ଆଡ଼କୁ ଗତିଶୀଳ ହୋଇ ବୁଧବାର ସକାଳ ସୁଦ୍ଧା ଓଡ଼ିଶା ଉପକୂଳ ସ୍ପର୍ଶ କରି ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳରେ ପହଞ୍ଚିବାର ସମ୍ଭାବନା ଅଛି। ଏହାର ପ୍ରଭାବରେ ଅକ୍ଟୋବର ୨୩ରୁ ୨୫ ପର୍ଯ୍ୟନ୍ତ ଓଡ଼ିଶାର ବିସ୍ତୃତ ଅଞ୍ଚଳରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ସହ ମଧ୍ୟେ ମଧ୍ୟେ ଅସରାଏ ଲେଖାଁ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି।






More Stories
ଅସ୍ତ୍ର ବିରତି ସତ୍ତ୍ବେ ଇସ୍ରାଏଲର ଆକ୍ରମଣ ଜାରି….
ସାରା ରାଜ୍ୟ ଉପରେ ରହିବ ସରକାରଙ୍କ ନଜର….
ଆଜି ଆସାମ,କେରଳ ଓ ପୁଡୁଚେରୀ ନିର୍ବାଚନ…..