ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଶ୍ୱେତପତ୍ର ଉପସ୍ଥାପନ କରିଛନ୍ତି। ୟୁପିଏ ସରକାର ସମୟରେ ଦେଶର ଆର୍ଥିକ ସ୍ଥିତି ଏବଂ ଏବେର ଆର୍ଥିକ ସ୍ଥିତି ବାବଦରେ ସୀତାରମଣ ସଫେଇ ରଖିଛନ୍ତି । ୟୁପିଏ ସରକାର ବେଳେ ଅର୍ଥନୈତିକ ଅବ୍ୟବସ୍ଥା ଓ ବ୍ୟାପକ ଦୁର୍ନୀତି ହୋଇଥିଲା। ଆର୍ଥିକସ୍ଥିତ ଏକ ସଙ୍କଟଜନକ ପରିସ୍ଥିତି ଥିଲା। ବର୍ତ୍ତମାନ ଆମେ ଅର୍ଥନୀତିକୁ ସ୍ଥିର କରିଛୁ ଏବଂ ଏହାକୁ ପୁନରୁଦ୍ଧାର ଏବଂ ଅଭିବୃଦ୍ଧି ପଥରେ ସ୍ଥାପିତ କରିଛୁ ବୋଲି ସୀତାରମଣ କହିଛନ୍ତି । ତେଣୁ ୟୁପିଏ ସରକାରଙ୍କ ଉତ୍ତରାଧିକାରୀ ଭାବରେ ଛାଡି ଯାଇଥିବା ଅସମ୍ଭବ ଆହ୍ୱାନଗୁଡ଼ିକୁ ସାର୍ବଜନୀନ କରିବା ଜରୁରୀ ବୋଲି ସେ କହିଛନ୍ତି । ୨୦୧୪ରେ ମୋଦୀ କ୍ଷମତାକୁ ଆସିବା ବେଳେ ଦେଶର ଆର୍ଥିକ ସ୍ଥିତି ଖରାପ ନୁହଁ ବରଂ ସଙ୍କଟରେ ଥିଲା ବୋଲି ସୀତାରମଣ କହିଛନ୍ତି । ସେହିପରି ସେତେବେଳେ ୫ ଆର୍ଥିକ ଦୁର୍ବଳ ଦେଶ ମଧ୍ୟରେ ଥିଲା ଭାରତ । ଏବେ ଆମ ଦେଶ ଦୁନିଆର ୫ ଶୀର୍ଷ ଅର୍ଥବ୍ୟବସ୍ଥାରେ ଥିବା ଦେଶ ବୋଲି ସେ କହିଛନ୍ତି । ୟୁପିଏ ସରକାର ବେଳେ ଦେଖାଦେଇଥିବା ଦୂରାବସ୍ଥା ଏହି ବର୍ଷଗୁଡ଼ିକରେ ସୁଧାର କରାଯାଇ ସମସ୍ୟା ଦୂର ହୋଇଛି । ବିଗତ ବର୍ଷର ସନ୍ଦେହ ଓ ଅସ୍ଥିରତାକୁ ଆତ୍ମବିଶ୍ୱାସରେ ବଦଳାଇ ଦିଆଯାଇଛି ବୋଲି ସୀତାରମଣ କହିଛନ୍ତି । ଅନ୍ୟପଟେ ମୋଦୀ ସରକାରଙ୍କ ଶ୍ୱେତପତ୍ରକୁ କଟାକ୍ଷ କରିଛି ବିରୋଧୀ କଂଗେସ । କଂଗ୍ରେସ କହିଛି, ମୋଦୀ ସରକାରଙ୍କ ସମୟ ହେଉଛି ସବୁଠୁ ଅନ୍ୟାୟର ସମୟ । ଏଥିରେ ଦେଶର କ’ଣ ଲାଭ ହୋଇଛି ଏବଂ ଦେଶର କେତେ ଯୁବକଯୁବତୀଙ୍କୁ ଚାକିରି ମିଳିଛି ବୋଲି ହିସାବ ମାଗିବା ସହିତ କଂଗ୍ରେସର କଳାପତ୍ର ଜାରିକରିଛି | କଂଗ୍ରେସର କଳାପତ୍ର ଓ ବିଜେପିର ଶ୍ବେତପତ୍ରକୁ ନେଇ ଶାସକ ଓ ବିରୋଧୀ ଦଳ ମୁହାଁମୁହିଁ ହୋଇଛନ୍ତି। ୟୁପିଏ ସରକାର ସମୟର କେଳେଙ୍କାରୀ ଓ ଆର୍ଥିକ କୁପରିଚାଳନା ନେଇ ଏନ୍ଡିଏ ସରକାରର ‘ଶ୍ୱେତପତ୍ର’ର ମୁକାବିଲା ନିମନ୍ତେ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଆଜି ‘କଳାପତ୍ର’ ଜାରି କରିଛି। ମୋଦୀ ସରକାରଙ୍କ ପକ୍ଷରୁ ଲୋକସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ବାରା ଉପସ୍ଥାପନ କରାଯାଇଥିବା ଶ୍ବେତପତ୍ରରେ ୟୁପିଏ ଶାସନ ସମୟର ୧୫ଟି ଦୁର୍ନୀତି ସଂପର୍କରେ ତଥ୍ୟ ପ୍ରଦାନ କରାଯାଇଛି। ଏହା ସହିତ ୟୁପିଏ ଶାସନରେ ରାଜସ୍ବର ଅପବ୍ୟବହାର, ବିଦେଶୀ ମୁଦ୍ରା ଭଣ୍ଡାର କମିବା ଏବଂ ବ୍ୟାଙ୍କିଙ୍ଗ୍ ସେକ୍ଟରରେ ଦେଖାଦେଇଥିବା ସଙ୍କଟ ସଂପର୍କରେ ମଧ୍ୟ ତଥ୍ୟ ପ୍ରଦାନ କରାଯାଇଛି।






More Stories
EV କିଣୁଥିବା ଗ୍ରାହକ ଖୁସି!…..
ଏପ୍ରିଲରୁ ନୂଆ ଆୟକର ନିୟମ…..
ଦେଶରେ ସଂସ୍କାର ଏକ୍ସପ୍ରେସ୍ ଆରମ୍ଭ…..