Report Card Odisha

| Daily Odia News

ପ୍ରେମିକ ସହ ମିଶି ସ୍ୱାମୀଙ୍କୁ ହତ୍ୟା କଲେ ସ୍ତ୍ରୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଉତ୍ତରପ୍ରଦେଶର ମହାରାଜଗଞ୍ଜ ଜିଲ୍ଲାର ଜଣେ ମହିଳା ନେହା ଓ ତାଙ୍କ ପ୍ରେମିକ ଜିତେନ୍ଦ୍ର ମିଶି ନେହାଙ୍କ ସ୍ୱାମୀ ନାଗେଶ୍ୱର ରାଉନିୟାରଙ୍କୁ ହତ୍ୟା କରିଛନ୍ତି। ଏହାପରେ ଶବକୁ ବାଇକ୍‌ରେ ୨୫ କିଲୋମିଟର ଦୂର ନେଇ ରାସ୍ତା କଡ଼ରେ ଫିଙ୍ଗି ଦୁର୍ଘଟଣାର ରୂପ ଦେଇଛନ୍ତି। ପୋଲିସ କହିଛି, ଅଭିଯୁକ୍ତ ନେହା ଓ ଜିତେନ୍ଦ୍ର ହତ୍ୟାର ଅପରାଧ ସ୍ୱୀକାର କରିଛନ୍ତି ଏବଂ ବର୍ତ୍ତମାନ ସେମାନେ ପୋଲିସ ହେପାଜତରେ ଅଛନ୍ତି। ନେହା ନାଗେଶ୍ୱରଙ୍କୁ ଏକ ଗୁପ୍ତ ସ୍ଥାନକୁ ଡାକି ସେ ଚେତା ହରାଇବା ପର୍ଯ୍ୟନ୍ତ ମଦ ପିଆଇଥିଲେ। ଏହାପରେ ଜିତେନ୍ଦ୍ରଙ୍କ ସହାୟତାରେ ତାଙ୍କୁ ଗଳା ଚିପି ଓ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଥିଲେ। ଅଭିଯୁକ୍ତ ଦୁହେଁ ଶବକୁ ବାଇକ୍‌ରେ ୨୫ କିଲୋମିଟର ନେଇ ଫିଙ୍ଗିଥିଲେ। ଜିତେନ୍ଦ୍ର ବାଇକ୍‌ ଚଲାଉଥିବା ବେଳେ ନେହାଙ୍କ ସାନ ପୁଅ ଆଗରେ ବସିଥିଲା ଓ ନେହା ପଛରେ ଶବକୁ ଧରି ବସିଥିଲେ। ଶବର ପାଦ ରାସ୍ତାରେ ଘଷି ହେବାରୁ ଆଘାତ ଲାଗିଥିଲା। ଶନିବାର ସକାଳେ ନାଗେଶ୍ୱରଙ୍କ ଶବ ମିଳିବା ପରେ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ନାଗେଶ୍ୱରଙ୍କ ପିତା କେଶବ ରାଜ ଅଭିଯୋଗ କରିଥିଲେ ଯେ ତାଙ୍କ ପୁଅ ଶୁକ୍ରବାର ଅପରାହ୍ନରେ ବାଇକ୍‌ରେ ଘରୁ ବାହାରିଥିଲେ, କିନ୍ତୁ ଫେରିନଥିଲେ। ନେହା ଓ ଜିତେନ୍ଦ୍ରଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ଓ ସେମାନେ ମିଶି ହତ୍ୟା କରି ଶବକୁ ଦୁର୍ଘଟଣା ପରି ଦେଖାଇବାକୁ ଫିଙ୍ଗିଥିବା ସେ ଅଭିଯୋଗ କରିଥିଲେ। ପୋଲିସ ମୋବାଇଲ୍‌ ଲୋକେସନ୍‌ ଓ ପିତାଙ୍କ ସୂଚନା ଆଧାରରେ ପର୍ତ୍ତାୱାଲ ନିକଟରୁ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ପୋଲିସ ଜଣାଇଛି, ନାଗେଶ୍ୱର ପୂର୍ବରୁ ମାଦକ ଦ୍ରବ୍ୟ ମାମଲାରେ (ଏନଡିପିଏସ୍‌ ଆକ୍ଟ) ଜେଲ୍‌ରେ ଥିଲେ। ଏହି ସମୟରେ ଜିତେନ୍ଦ୍ର ନେହାଙ୍କ ସହ ସମ୍ପର୍କ ଗଢ଼ିଥିଲେ। ଜେଲ୍‌ରୁ ଫେରିବା ପରେ ନାଗେଶ୍ୱର ଏହାର ବିରୋଧ କରିଥିଲେ, କିନ୍ତୁ ନେହା ଓ ଜିତେନ୍ଦ୍ର ତାଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ। ନେହା ପୋଲିସକୁ କହିଛନ୍ତି, ସ୍ୱାମୀଙ୍କ ସହ ହିଂସା ଓ ବିବାହ ବିଚ୍ଛେଦ ମନା କରିବାରୁ ସେ ଏହି ପଦକ୍ଷେପ ନେଇଥିଲେ।

Breaking News