Report Card Odisha

| Daily Odia News

ମୁଣ୍ଡ ପିଛା ଋଣ ୨୨ହଜାର ଟଙ୍କା…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

୨୦୨୧-୨୨ ଆର୍ଥିକ ବର୍ଷ ଶେଷସୁଦ୍ଧା ରାଜ୍ୟ ସରକାରଙ୍କ ମୋଟ ଋଣ ଭାର ଥିଲା ୯୭୨୦୫.୦୩ କୋଟି ଟଙ୍କା ଥିବା ନେଇ ଓଡ଼ିଶା ମହାଲେଖାକାରଙ୍କ ତଥ୍ୟରୁ ଜଣା ପଡିଛି । ୨୦୨୨-୨୩ ଆର୍ଥିକ ବର୍ଷରେ ରାଜ୍ୟ ସରକାର ୨୫,୫୮୯କୋଟି ଟଙ୍କା ଋଣ ଆହରଣ ଏବଂ ୧୪ହଜାର ୧କୋଟି ୩୧ଲକ୍ଷ ଟଙ୍କା ଋଣ ପରିଶୋଧ ପାଇଁ ବଜେଟରେ ବ୍ୟବସ୍ଥା କରିଛନ୍ତି। ବିଧାନସଭାରେ ଏହି ଉତ୍ତର ରଖିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଅର୍ଥ ବିଭାଗ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ ୨୦୨୧ ଏପ୍ରିଲ ପହିଲା ସୁଦ୍ଧା ରାଜ୍ୟର ଋଣ ଭାର ଥିଲା ୧ଲକ୍ଷ ୪ହଜାର ୪୫୨କୋଟି ୨୬ଲକ୍ଷ ଟଙ୍କା । ୨୦୨୧-୨୨ ଆର୍ଥିକ ବର୍ଷରେ ୭୨୪୭.୨୩କୋଟି ଟଙ୍କା ପରିଶୋଧ ଫଳରେ ମୋଟ ଋଣ ଭାର ୯୭୨୦୫.୦୩କୋଟିରେ ପହଞ୍ଚିଥିଲା। ୨୦୨୨ ଏପ୍ରିଲ ପହିଲା ସୁଦ୍ଧା ରାଜ୍ୟର ଋଣ ଭାର ୯୭୨୦୫.୦୩ କୋଟି ଥିବାବେଳେ ୬୭୫୩.୫୨ କୋଟି ପରିଶୋଧ ଫଳରେ ୨୦୨୨ ସେପ୍ଟେମ୍ବର ୩୦ ସୁଦ୍ଧା ଋଣ ପରିମାଣ ୯୦୪୫୧.୫୧ କୋଟି ଟଙ୍କାରେ ରହିଛି। ରାଜ୍ୟର ଋଣ ଭାର ଏବଂ ମୁଣ୍ଡ ପିଛା ଋଣ ପରିମାଣ କେତେ ଅଛି, ସେ ସଂକ୍ରାନ୍ତରେ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ୨୦୨୧-୨୨ ଆର୍ଥିକ ବର୍ଷ ଶେଷସୁଦ୍ଧା ରାଜ୍ୟରେ ମୁଣ୍ଡପିଛା ଋଣ ପରିମାଣ ଥିଲା ୨୨୦୪୨ଟଙ୍କା। ଚଳିତ ୨୦୨୨-୨୩ ଆର୍ଥିକ ବର୍ଷରେ ରାଜ୍ୟ ସରକାର ରାଜ୍ୟର ମୋଟ ରାଜସ୍ୱ ବାବଦରେ ୧ଲକ୍ଷ ୬୩ହଜାର ୯୬୬କୋଟି ୫୨ଲକ୍ଷ ଟଙ୍କା ସଂଗ୍ରହ ପାଇଁ ଲକ୍ଷ୍ୟଧାର୍ଯ୍ୟ କରିଛନ୍ତି। ଏଥିମଧ୍ୟରୁ ନିଜସ୍ୱ ଟିକସ ବାବଦରେ ୪୬ହଜାର ଓ ନିଜସ୍ୱ ଅଣଟିକସ ବାବଦରେ ୪୮,୨୦୦କୋଟି ଟଙ୍କା ସଂଗ୍ରହ ଲକ୍ଷ୍ୟଧାର୍ଯ୍ୟ ହୋଇଛି। ଜିଏସଟି ସଂକ୍ରାନ୍ତରେ ମନ୍ତ୍ରୀ କହିଛନ୍ତି ଯେ, ଜିଏସ୍‌ଟି ପ୍ରଚଳନ ପରେ ରାଜ୍ୟର ରାଜସ୍ୱ ଆଦାୟରେ କ୍ଷତି ଘଟିଲେ ୫ବର୍ଷ ପାଇଁ କ୍ଷତିପୂରଣ ଦିଆଯିବା ବ୍ୟବସ୍ଥା ଥିଲା। କ୍ଷତିପୂରଣ ପାଇଁ ୨୦୧୫-୧୬ ଆର୍ଥିକ ବର୍ଷର ସଂଗୃହୀତ କର ପରିମାଣକୁ ମୂଳ ବର୍ଷ ରୂପେ ଗ୍ରହଣ କରାଯାଇଥିଲା ଏବଂ ୧୪ପ୍ରତିଶତ ବାର୍ଷିକ ଅଭିବୃଦ୍ଧି ହାର ନିଆଯାଇଛି। ୨୦୧୫-୧୬ରେ ଜିଏସଟି ବାବଦକୁ ରାଜ୍ୟ ୧୧ ହଜାର ୪୯କୋଟି ୩୪ଲକ୍ଷ ଟଙ୍କା ପାଇଥିଲା। ସୁନିଶ୍ଚିତ ରାଜସ୍ୱରୁ ବାସ୍ତବରେ ସଂଗୃହୀତ ରାଜସ୍ୱକୁ ବିୟୋଗ କରି ଅବଶିଷ୍ଟ ପରିମାଣକୁ କ୍ଷତିଭରଣା ଭାବେ କେନ୍ଦ୍ର ସରକାର ପ୍ରଦାନ କରିଥାନ୍ତି। କ୍ଷତିଭରଣା ପ୍ରତି ଦ୍ୱିମାସିକ କିସ୍ତିରେ ମିଳୁଛି। ମୂଳ ଆର୍ଥିକ ବର୍ଷ ୨୦୧୫-୧୬ ସଂଗୃହୀତ ରାଜସ୍ୱରେ ବାର୍ଷିକ ୧୪ପ୍ରତିଶତ ଅଭିବୃଦ୍ଧି ହାର ପ୍ରୟୋଗ କରାଯାଇ ୨୦୧୭-୧୮ ଆର୍ଥିକ ବର୍ଷର ଜୁଲାଇରୁ ୨୦୧୮ ମାର୍ଚ୍ଚ ପାଇଁ ୧୦ହଜାର ୭୬୯କୋଟି ୭୯ଲକ୍ଷ ଟଙ୍କା ସୁନିଶ୍ଚିତ ରାଜସ୍ୱ ଆକଳନ କରାଯାଇଥିଲା । ରାଜ୍ୟ ସରକାର ଉକ୍ତ ବର୍ଷ ପାଇଁ ୮ହଜାର ୪୨୧କୋଟି ୭୧ଲକ୍ଷ ଟଙ୍କା ରାଜସ୍ୱ ପାଇଥିଲେ ଓ ୨ହଜାର ୩୪୮କୋଟି ୮ଲକ୍ଷ ଟଙ୍କା କ୍ଷତିପୂରଣ ପାଇସାରିଛନ୍ତି। ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଧାର୍ଯ୍ୟ ୧୬ହଜାର ୩୭୦କୋଟି ୮ଲକ୍ଷ ଟଙ୍କା ସୁନିଶ୍ଚିତ ରାଜସ୍ୱ ମଧ୍ୟରୁ ରାଜ୍ୟ ସରକାର ୧୨ହଜାର ୧୨୯କୋଟି ରାଜସ୍ୱ ପାଇଥିଲେ ଓ କ୍ଷତିଭରଣା ବାବଦକୁ ୪ହଜାର ୨୪୧କୋଟି ୮ଲକ୍ଷ ଟଙ୍କା କ୍ଷତିପୂରଣ ପାଇସାରିଛନ୍ତି। ୨୦୧୯-୨୦ରେ ୫ହଜାର ୩୩୧ କୋଟି ୯୨ଲକ୍ଷ ଏବଂ ୨୦୨୦-୨୧ରେ ୮ହଜାର ୬୫କୋଟି ୪୨ଲକ୍ଷ ଟଙ୍କା କ୍ଷତିପୂରଣ ପାଇସାରିଥିବାବେଳେ ୨୦୨୧-୨୨ରେ ୧ହଜାର ୧୬୭କୋଟି ୫୦ଲକ୍ଷ ଟଙ୍କା କ୍ଷତିପୂରଣ ବାବଦରେ ବାକି ରହିଛି। ଏଥିପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରାଯାଇଛି। ୨୦୨୨-୨୩ ଆର୍ଥିକ ବର୍ଷର ଜୁନ ସୁଦ୍ଧା ଧାର୍ଯ୍ୟ ୬୯୧୨.୧୦ କୋଟି ଟଙ୍କା ସୁନିଶ୍ଚିତ ରାଜସ୍ୱ ମଧ୍ୟରୁ ରାଜ୍ୟ ସରକାର ୪ହଜାର ୮୨୮କୋଟି ୭ ଲକ୍ଷ ଟଙ୍କା ରାଜସ୍ୱ ଆଦାୟ କରିଛନ୍ତି ଓ ରାଜ୍ୟର କ୍ଷତିଭରଣା ବାବଦକୁ ପ୍ରାୟ ୨ହଜାର ୮୪କୋଟି ୩ ଲକ୍ଷ ଟଙ୍କା ଆକଳିତ କରାଯାଇଛି। ସେଥିମଧ୍ୟରୁ କେନ୍ଦ୍ର ସରକାର ଚଳିତ ମାସ ୨୪ ତାରିଖରେ କ୍ଷତିପୂରଣ ବାବଦକୁ ୫୨୩କୋଟି ୫୨ ଲକ୍ଷ ୩୧ହଜାର ଟଙ୍କା ମଞ୍ଜୁର କରିଛନ୍ତି। ଶାଳ ଓ ଶିଆଳି ଉପରୁ ଜିଏସ୍‌ଟି ଛାଡ଼ ପାଇଁ ରାଜ୍ୟ ସରକାର ଦାବି କରିଆସୁଥିଲେ, ଏହାକୁ ଜିଏସ୍‌ଟି ମୁକ୍ତ କରାଯାଇଛି। ହେଲେ ବୁଣାକାର ଓ ହସ୍ତଶିଳ୍ପୀଙ୍କ ସ୍ୱାର୍ଥକୁ ଦେଖି ରାଜ୍ୟ ସରକାର ହସ୍ତତନ୍ତ ଉପରୁ ଜିଏସ୍‌ଟି ଛାଡ଼ ଦାବି କରୁଥିଲେ ହେଁ ଏ ପର୍ଯ୍ୟନ୍ତ ଏହା ଉପରୁ ଜିଏସ୍‌ଟି ଛାଡ଼ ହୋଇନାହିଁ। ସେହିପରି କେନ୍ଦୁପତ୍ରରୁ ଜିଏସ୍‌ଟି ସମ୍ପୂର୍ଣ୍ଣ ଛାଡ଼ ପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ନିକଟରେ ଦାବି କରି ଆସୁଥିଲେ ହେଁ ଏହା ଏପର୍ଯ୍ୟନ୍ତ ଜିଏସ୍‌ଟିମୁକ୍ତ ହୋଇନାହିଁ।

Breaking News