ରିପୋର୍ଟ କାର୍ଡ / ଭୁବନେଶ୍ୱର
ଟଙ୍କା ପାଇଁ ନିଜକୁ ନିଜେ ଅପହରଣ ପ୍ଲାନ କରିଥିଲେ | ଭାଇ ଠାରୁ ୧ କୋଟି ଟଙ୍କା ନେବାକୁ ଏଭଳି ନାଟକ ରଚିଥିଲେ ଭଉଣୀ। ଏହି ନାଟକରେ ମହିଳାଙ୍କ ବନ୍ଧୁ ମଧ୍ୟ ସାମିଲ ଥିବାଜଣାପଡିଛି। ରାଜଧାନୀ ଭୁବନେଶ୍ୱରରେ ମହିଳାଙ୍କୁ ଅପହରଣ କରିବା ଘଟଣାର ଆଜି ପର୍ଦ୍ଦାଫାଶ ହୋଇଛି । ପୋଲିସ ଉକ୍ତ ମହିଳାଙ୍କୁ ଧରିବା ସହ ଘଟଣାର ତଦନ୍ତ ଜାରି ରଖିଛି। ଏନେଇ ପୋଲିସ କମିଶନର ସଞ୍ଜୀବ ପଣ୍ଡା ସାମ୍ବାଦିକ ସମ୍ମିଳନୀ ଯୋଗେ ସୂଚନା ଦେଇଛନ୍ତି। କହିଛନ୍ତି କି – ଭୁବନେଶ୍ୱରର ଚନ୍ଦକା ଟ୍ରାଇଡେଣ୍ଟ ଗାଲାକ୍ସି ଆପାର୍ଟମେଣ୍ଟରେ ରୁହନ୍ତି ସ୍ମୃତିରେଖା ପାଣି ଓ ତାଙ୍କ ବାପା। ସ୍ମୃତିରେଖା ପେଶାରେ ଜଣେ ଫ୍ୟାଶନ ଡିଜାଇନର। ସ୍ୱାମୀଙ୍କଠାରୁ ଛାଡ଼ପତ୍ର ପରେ ନିଜ ବାପାଙ୍କ ସହିତ ସେହି ଆପାର୍ଟମେଣ୍ଟରେ ରହୁଥିଲେ। ତାଙ୍କ ଭାଇ ବେଙ୍ଗାଲୁରୁରେ ରହନ୍ତି। ସେ ଜଣେ ଟ୍ରେଡର। ସେ ଭଲ ରୋଜଗାର କରନ୍ତି। ସ୍ମୃତି ପେଶାରେ ଜଣେ ଫ୍ୟାଶନ୍ ଡିଜାଇନର ହୋଇଥିବାରୁ ସୋଶାଲ୍ ମିଡିଆ ଫ୍ରେଣ୍ଡଲି। ଇନ୍ଷ୍ଟାଗ୍ରାମରେ ତାଙ୍କ ସହିତ ରାଜସ୍ଥାନର ପ୍ରଦୀପ କୁମାର ଓଲାଙ୍କ ପରିଚୟ ହୋଇଥିଲା। ପରେ ଉଭୟ ଫୋନ୍ ନମ୍ୱର ଦିଆନିଆ ହୋଇଥିଲେ ଓ ଫୋନ୍ରେ କଥାବାର୍ତ୍ତା ହେଉଥିଲେ। ସ୍ମୃତି ତାଙ୍କ ଭାଇଙ୍କ ରୋଜଗାର ସମ୍ପର୍କରେ ପ୍ରଦୀପଙ୍କୁ କହିଥିଲେ। ପ୍ରଦୀପ ସବୁ କଥା ଜାଣିବା ପରେ ସ୍ମୃତିଙ୍କୁ ପ୍ରେମ ନିବେଦନ କରିଥିଲେ। ବାହା ହେବା ପାଇଁ ସ୍ୱପ୍ନ ଦେଖାଇଥିଲା । ବାହାଘର ପରେ ଚଳିବା ପାଇଁ ନିଜର ଅପହରଣ ନାଟକ ରଚିଥିଲେ ସ୍ମୃତି। ଆଉ ତାଙ୍କୁ ସାଥ୍ ଦେଇଥିଲେ ପ୍ରେମିକ ପ୍ରଦୀପ। ଅପହରଣ ପାଇଁ ସବୁ ପ୍ରସ୍ତୁତି ହେବ ପରେ ପ୍ରଦୀପ ଓ ତାଙ୍କ ସାଙ୍ଗ ଦେବୀ ଲାଲା ଏକ ଟୟୋଟା କାର୍ରେ ରାଜସ୍ଥାନରୁ ଭୁବନେଶ୍ୱରରୁ ଆସିଥିଲେ। ଭୁବନେଶ୍ୱରରେ ପହଞ୍ଚିବା ପରେ ପ୍ରଦୀପଙ୍କ କାର୍ରେ ସ୍ମୃତିରେଖା ଫେରାର ହୋଇଯାଇଥିଲେ। ଭୁବନେଶ୍ୱର ଛାଡ଼ିବା ପୂର୍ବରୁ ସ୍ମୃତିଙ୍କ ମୋବାଇଲରୁ ତାଙ୍କ ଭାଇଙ୍କୁ ଫୋନ୍ କରିଥିଲେ ପ୍ରଦୀପ। ସ୍ମୃତିଙ୍କୁ ଅପହରଣ କରାଯାଇଛି ବୋଲି କହିଥିଲେ। କୋଟିଏ ଟଙ୍କା ଦେଲେ ସ୍ମୃତିଙ୍କୁ ଛଡ଼ାଯିବ ବୋଲି ପ୍ରଦୀପ କହିଥିଲେ। ଭଉଣୀଙ୍କୁ ଅପହରଣ କରାଯାଇଥିବା ଶୁଣି ସ୍ମୃତିଙ୍କ ଭାଇଙ୍କ ଅକଲ ଗୁଡୁମ୍ ହୋଇଯାଇଥିଲା। ତେଣୁ ସେ ପ୍ରଦୀପ ଦେଇଥିବା ତାଙ୍କ ଦୁଇ ଆକାଉଣ୍ଟରେ ୧୨ ଲକ୍ଷ ଟଙ୍କା ଟ୍ରାନ୍ସଫର କରିଥିଲେ। ବାକି ଟଙ୍କା ମଧ୍ୟ ଦେବେ ବୋଲି କହିଥିଲେ | ସେପଟେ ଝିଅ ଅପହରଣ ହୋଇଥିବା ଜାଣି ବାପା ଭୁବନେଶ୍ୱର କମିଶନରେଟ୍ ପୋଲିସରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୋଲିସ ଘଟଣାର ତଦନ୍ତ ପାଇଁ ଟିମ୍ ଗଠନ କରିଥିଲା। ଏଥିସହ ସ୍ମୃତିରେଖାଙ୍କ ମୋବାଇଲ୍ ନମ୍ୱରକୁ ଟ୍ରାକ୍ କରିଥିଲା ପୋଲିସ। ସ୍ମୃତି ଭୁବନେଶ୍ୱରରୁ ବୌଦ୍ଧ ଅଭିମୁଖେ ଯାଉଥିବା ଜାଣିବାକୁ ପାଇଥିଲା ପୋଲିସ। କମିଶନରେଟ୍ ପୋଲିସ ତଥ୍ୟ ଆଧାରରେ ବୌଦ୍ଧ ପୋଲିସ ଚାରିଛକରେ ଚେକିଂ ଓ ବ୍ଲକିଂ କରିଥିଲା। ଏ ସମ୍ପର୍କରେ ସ୍ମୃତି ଓ ପ୍ରଦୀପ ଜାଣିପାରି ସେଠାରୁ ନୟାଗଡ଼ ଅଭିମୁଖେ ଫେରି ଆସୁଥିଲେ। ସ୍ମୃତି ଓ ପ୍ରଦୀପ ନୟାଗଡ଼ରେ ପହଞ୍ଚିଲା ବେଳକୁ ଛପି ରହିଥିଲା ପୋଲିସ। କାରରେ ଦ୍ରୁତ ଗତିରେ ଯାଉଥିବା ବେଳେ ସେମାନଙ୍କୁ ପୋଲିସ ଅଟକାଇ ଥିଲା। ହେଲେ ସେମାନେ ପୋଲିସକୁ ଧକ୍କା ଦେଇ ପଳାଇ ଯାଉଥିବା ବେଳେ ଗାଡ଼ିରୁ ଖସି ପଡ଼ିଥିଲେ ଦେବୀ ଲାଲ୍। ପୋଲିସ ତାଙ୍କୁ ଧରି ନେଇଥିଲା । ସ୍ମୃତି ଓ ପ୍ରଦୀପ ନୟାଗଡ଼ଠାରୁ କିଛି ଦୂରରେ ଗାଡ଼ି ଛାଡ଼ି ପଳାଇ ଯାଉଥିଲେ। ସେହି ସମୟରେ ପିଛା କରୁଥିବା ପୋଲିସ ଟିମ ସ୍ମୃତିକୁ କାବୁକରି ନେଇଥିଲା । ପ୍ରଦୀପ ଦୌଡ଼ି ପଳାଇ ଯାଉଥିବା ବେଳେ ସ୍ଥାନୀୟ ଲୋକେ ଧରିପୋଲିସକୁ ଦେଇଥିଲେ। ସ୍ମୃତି, ପ୍ରଦୀପ ଓ ଦେବୀ ଲାଲଙ୍କୁ ପୋଲିସ ଧରି ପଚରାଉଚରା କରିଥିଲେ। ଅପହରଣ ଡ୍ରାମା ସ୍ମୃତି ଓ ପ୍ରଦୀପ ମିଶି ରଚିଥିବା ନେଇ ପୋଲିସ କୁ କହିଛନ୍ତି | କମିଶନରେଟ୍ ପୋଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି |
More Stories
ଭଙ୍ଗାଯିବ ବିବାଦୀୟ ବୈକୁଣ୍ଠଧାମ ଆଶ୍ରମ…..
ବିଧାୟକଙ୍କୁ ଆକ୍ରମଣ ଘଟଣାରେ ୧୦ ଗିରଫ…..
ବିଜେଡି ପୁଣି ସରକାରକୁ ଫେରିବା ଅବାସ୍ତବ କଥା….