Report Card Odisha

| Daily Odia News

ପ୍ରେମିକ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିପାରିବେନି ମହିଳା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବମ୍ବେ ହାଇକୋର୍ଟ ଜଣେ ଲୋକ ବିରୋଧରେ ତାଙ୍କ ପ୍ରେମିକା ଆଣିଥିବା ଦୁଷ୍କର୍ମ ଅଭିଯୋଗରୁ ତାଙ୍କୁ ମୁକ୍ତ କରିଦେଇଛନ୍ତି। କୋର୍ଟ କହିଛନ୍ତି ଯେ ସହମତିରେ ଦୀର୍ଘଦିନ ଧରି ସମ୍ପର୍କ ରଖିବା ପରେ ଯେତେବେଳେ ସମ୍ପର୍କ ତିକ୍ତ ହେଲା ଏବଂ ପ୍ରେମ ବିବାହରେ ରୂପାୟିତ ନ ହେଲା ସେତେବେଳେ ମହିଳା ଜଣକ ତାଙ୍କ ପ୍ରେମିକ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିପାରିବେ ନାହିଁ। ୨୦୧୬ରେ ଉକ୍ତ ବ୍ୟକ୍ତିଙ୍କ ବିରୋଧରେ ମୁମ୍ବାଇର ବର୍ସୋବା ଥାନାରେ ଏକ ଦୁଷ୍କର୍ମ ଅଭିଯୋଗ ପଞ୍ଜୀକୃତ ହୋଇଥିଲା। ତାଙ୍କ ବିରୋଧରେ ଉକ୍ତ ଅଭିଯୋଗକୁ ଖାରଜ କରିବା ପାଇଁ ସେ କୋର୍ଟରେ ଆବେଦନ କରିଥିଲେ। କିନ୍ତୁ ଦିଣ୍ଡୋସି ଦୌରା କୋର୍ଟ ତାଙ୍କ ଆବେଦନକୁ ଗ୍ରହଣ କରି ନ ଥିଲେ। ଏହାପରେ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ବମ୍ବେ ହାଇକୋର୍ଟର ଜଷ୍ଟିସ୍ ଭାରତୀ ଡାଙ୍ଗ୍ରେଙ୍କ ଖଣ୍ଡପୀଠ ମାମଲାର ବିଚାର କରି କହିଲେ ଯେ, ଦୁଇଜଣ ବୟସ୍କ ପୁରୁଷ ଓ ନାରୀ ଦୀର୍ଘଦିନ ସହମତିଭିତ୍ତିକ ସମ୍ପର୍କରେ ରହିବା ପରେ ଯଦି କୌଣସି ଦିନ ସମ୍ପର୍କରେ ଫାଟ ସୃଷ୍ଟି ହୁଏ ଏବଂ ପ୍ରେମ ବିବାହରେ ରୂପାୟିତ ନ ହୁଏ, ସେତେବେଳେ ମହିଳା ଜଣକ ସମ୍ପୃକ୍ତ ପୁରୁଷ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିପାରିବେ ନାହିଁ। ମହିଳାଙ୍କ କହିବା ଅନୁସାରେ ସାମାଜିକ ଗଣମାଧ୍ୟମ ଅର୍କୁଟ ମାଧ୍ୟମରେ ଉଭୟଙ୍କ ଭିତରେ ସମ୍ପର୍କ ସୃଷ୍ଟି ହୋଇଥିଲା ଏବଂ ସେମାନେ ୮ ବର୍ଷ ଧରି ପ୍ରେମ ସମ୍ପର୍କରେ ବାନ୍ଧି ହୋଇଥିଲେ। ବିବାହର ପ୍ରତିଶ୍ରୁତି ଦେଇ ପ୍ରେମିକ ଜଣକ ତାଙ୍କ ସହ ଦୈହିକ ସମ୍ପର୍କ ରଖି ଆସିଥିଲେ। ଉଭୟଙ୍କ ପରିବାର ମଧ୍ୟ ସେମାନଙ୍କ ସମ୍ପର୍କ ବିଷୟରେ ଜାଣନ୍ତି। କିନ୍ତୁ ଏବେ ସେ ବିବାହ କରିବାକୁ ରାଜି ହେଉ ନାହାନ୍ତି। କୋର୍ଟ କହିଲେ ଯେ, ଉଭୟ ସାବାଳକ ଏବଂ ଏତେ ଦିନର ସମ୍ପର୍କ ଜଣକର ଇଚ୍ଛା ବିରୋଧରେ ରହି ନ ପାରେ। ମହିଳା ଜଣକ ସ୍ବୀକାର କରିଛନ୍ତି ଯେ ସହମତି ଭିତ୍ତିରେ ସେମାନଙ୍କ ମଧ୍ୟରେ ସମ୍ପର୍କ ରହିଥିଲା। ସମ୍ପର୍କ ରଖିବା ପୂର୍ବରୁ ମହିଳା ଜଣକ ଜାଣିଥିଲେ ଯେ ଏହାର ପରିଣତି କ’ଣ ହୋଇପାରେ। ତେଣୁ ଏହାକୁ ବଳାତ୍କାର ବୋଲି କୁହାଯାଇ ପାରିବ ନାହିଁ।

Breaking News