Report Card Odisha

| Daily Odia News

ଆଉ ଯିବାକୁ ପଡ଼ିବନି ଆର୍‌ଟିଓ…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ବକେୟା ଥିବା ଟ୍ରାଫିକ ଇ-ଚାଲାଣର ସମାଧାନ ପାଇଁ ସରକାରଙ୍କ ଦ୍ୱାରା ଏକକାଳୀନ ପୈଠରେ ରିହାତି ଘୋଷଣା କରାଯାଇଛି। ପୂର୍ବରୁ ମୋଟର ଯାନ ଆଇନର ୧୭ଟି ଧାରା ପାଇଁ ରିହାତି ସୁବିଧା ଲାଗୁ ହୋଇଥିବାବେଳେ ପରବର୍ତ୍ତୀ ସମୟରେ ଆଉ ୭ଟି ଧାରା ଏଥିରେ ସାମିଲ ହୋଇ ମୋଟ ୨୪ଟି ଧାରା ପାଇଁ ଏହି ସୁବିଧା ଉପଲବ୍ଧ କରାଯାଇଛି। ୨୦୨୫ ଜୁଲାଇ ୩୧ ପର୍ଯ୍ୟନ୍ତ ଏହି ସମସ୍ତ ଧାରାରେ ଜାରି ହୋଇଥିବା ଇ-ଚାଲାଣଗୁଡ଼ିକୁ ରିହାତିରେ ପୈଠ କରିହେବ। ପୂର୍ବରୁ ଆର୍‌ଟିଓ କାର୍ଯ୍ୟାଳୟରେ ଅଫ୍‌ଲାଇନ ଜରିଆରେ ରିହାତିରେ ପୈଠ କରାଯାଉଥିଲା। ଏବେ ଜନସାଧାରଣଙ୍କ ସୁବିଧା ପାଇଁ ସରକାରଙ୍କ ପକ୍ଷରୁ ଏକକାଳୀନ ସମାଧାନ ଯୋଜନା ବା ଓଟିଏସ୍‌ର ଲାଭ ଅନ୍‌ଲାଇନରେ ମଧ୍ୟ ଉପଲବ୍ଧ କରାଯାଇଛି। ଫଳରେ ରିହାତିରେ ଜରିମାନା ପୈଠ ପାଇଁ ଆଉ ଲୋକଙ୍କୁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଆସିବାକୁ ପଡ଼ିବ ନାହିଁ ବୋଲି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି। ମନ୍ତ୍ରୀ ଜେନା କହିଛନ୍ତି, ଇ-ଚାଲାଣ ପୈଠ ନ କଲେ ମୋଟର ଯାନ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନର ବ୍ୟବସ୍ଥା ରହିଛି। ଭବିଷ୍ୟତରେ ମୋଟର ଯାନ ସମ୍ବନ୍ଧୀୟ ବିଭିନ୍ନ ସେବା ସହ ଗାଡ଼ିର ପଞ୍ଜୀକରଣ ରଦ୍ଦ ଭଳି କାର୍ଯ୍ୟାନୁଷ୍ଠାନ କରାଯିବ। ବିଗତ କିଛିବର୍ଷ ଧରି ଲକ୍ଷ ଲକ୍ଷ ସଂଖ୍ୟାରେ ମୋଟରଯାନ ବ୍ୟବହାରକାରୀଙ୍କ ବିରୋଧରେ ସଡ଼କ ସୁରକ୍ଷା ନିୟମ ଉଲ୍ଲଂଘନଜନିତ ଜାରି ହୋଇଥିବା ଇ-ଚାଲାଣ ବକେୟା ରହିଛି। ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ପୂର୍ବରୁ ବକେୟା ଇ-ଚାଲାଣ ପୈଠ ପାଇଁ ସରକାର ଏକ ସୁଯୋଗ ଦେଇଛନ୍ତି। ଯଦ୍ଦ୍ବାରା ସବୁତକ ବକେୟା ଏକକାଳୀନ ପୈଠ କରି ୫୦% ଯାଏ ରିହାତି ପାଇବେ ବୋଲି ମନ୍ତ୍ରୀ କହିଛନ୍ତି।ଘରେ ବସି ଏହି ଇ-ଚାଲାଣ ପୈଠ କରିବାକୁ ପରିବହନ ବିଭାଗ ବ୍ୟବସ୍ଥା କରିଛି। ଏଥିପାଇଁ https://echallan.parivahan.gov.in/ଓ୍ବେବ୍‌ସାଇଟରେ କ୍ଲିକ୍‌ କରି Pay Online ବିକଳ୍ପ କ୍ଲିକ୍‌ କରିବା ପରେ ଚାଲାଣ ସଂଖ୍ୟା କିମ୍ବା ଗାଡ଼ି ନମ୍ବର ଦେଇ ଓଟିପି ଭରିଲେ ଆପଣଙ୍କ ବକେୟା ଚାଲାଣର ବିବରଣୀ ଏବଂ ପୈଠ କରିବାର ବିକଳ୍ପ ଦେଖିପାରିବେ।

Breaking News