ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବାହାଘର ବଦଳରେ ଶବ ସତ୍କାର ପାଇଁ ଚାଲିଛି ପ୍ରସ୍ତୁତି। ଫେବୃଆରୀ ମାସରେ ବାହା ହେବାକୁ ଯାଉଥିବା ଯୁବ କନଷ୍ଟେବଳ ସଚିନ ରାଠିଙ୍କର ମୃତ୍ୟୁ ହୋଇଛି । ଉତ୍ତର ପ୍ରଦେଶର କିଛି ଅପରାଧିକଙ୍କ ସହ ପୋଲିସର ହୋଇଥିବା ଲଢ଼େଇରେ ୩୦ ବର୍ଷୀୟ ସଚିନ ପ୍ରାଣ ହରାଇଛନ୍ତି। ଗୁଳି ମାଡ଼ ପରେ ସଚିନ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ସୋମବାର ତାଙ୍କର ମୃତ୍ୟୁ ହୋଇଛି। ହତ୍ୟା ସହ ୨୦ଟି ମାମଲାର ମୋଷ୍ଟୱାଣ୍ଟେଡ ଅଶୋକ ଯାଦବକୁ ଧରିବା ପାଇଁ କନୌଜ ସ୍ଥିତ ତା’ ଘରକୁ ଯାଇଥିବା ୪ ଜଣ ପୋଲିସ କର୍ମଚାରୀଙ୍କ ମଧ୍ୟରେ ସଚିନ ଥିଲେ। ସେମାନେ ସେଠାରେ ପହଞ୍ଚିବା କ୍ଷଣି ଅଶୋକ ଓ ତା’ ପୁଅ ଅଭୟ ହଠାତ୍ ପୋଲିସ ଉପରକୁ ଗୁଳି କରିଥିଲେ। ଗୋଟିଏ ଗୁଳି ସଚିନଙ୍କ ଜଙ୍ଘରେ ବାଜିଥିଲା। ଗୁଳି ମାଡ଼ର ଖବର ପାଇ ୪ଟି ଷ୍ଟେସନର ପୋଲିସ କର୍ମଚାରୀ କନୌଜ ସ୍ଥିତ ଅଶୋକର ଘରେ ପହଞ୍ଚି ଯାଇଥିଲେ। ଉଭୟ ପକ୍ଷ ମଧ୍ୟରେ ପ୍ରାୟ ଗୋଟିଏ ଘଣ୍ଟା ଧରି ଗୁଳି ବିନିମୟ ହୋଇଥିଲା। ଶେଷରେ ଯାଦବ ବାପ-ପୁଅକୁ ପୋଲିସ ଗିରଫ କରିଥିଲା। ସେମାନେ ଖସି ଯିବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ସେମାନଙ୍କ ଗୋଡ଼କୁ ଗୁଳି କରି ଧରିଛି। ଏନକାଉଣ୍ଟ ପରେ ସଚିନଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା। ହେଲେ ସେତେବେଳକୁ ତାଙ୍କ ଦେହରୁ ବହୁତ ରକ୍ତ ବୋହି ସାରିଥିଲା। ଡାକ୍ତରଙ୍କ ଶତ ଚେଷ୍ଟା କରିଥିଲେ ମଧ୍ୟ ସଚିନଙ୍କୁ ବଞ୍ଚାଇ ପାରି ନଥିଲେ। ଆଉ ମାସକ ପରେ ସଚିନ ଜଣେ ମହିଳା କନଷ୍ଟେବଳଙ୍କୁ ବିବାହ କରି ଥାଆନ୍ତେ। ତୋପ ସଲାମୀ ସହ ସଚିନଙ୍କୁ ପୋଲିସ ଫୋର୍ସ ପକ୍ଷରୁ ଶେଷ ବିଦାୟ ଜଣାଯାଇଛି।






More Stories
ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଲେ ମୋଦୀ…..
EV କିଣୁଥିବା ଗ୍ରାହକ ଖୁସି!…..
ଏପ୍ରିଲରୁ ନୂଆ ଆୟକର ନିୟମ…..