ରିପୋର୍ଟ କାର୍ଡ / କଟକ
କଟକ ବିଡାନାସୀ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ଛୁରାମାଡ ହୋଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୋଲିସ ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତ ଜଣକ ବିଡାନାସୀ ଧୋବା ସାହିର ଇଙ୍ଗ ସେଠୀ ବୋଲି ଜଣାପଡିଛି। ତା’ ନିକଟରୁ ଗୋଟିଏ ଛୁରୀ ଜବତ କରାଯାଇଛି।ସୂଚନା ଅନୁଯାୟୀ ସ୍ଥାନୀୟ ଦେଉଳ ସାହିରେ ସୁରଞ୍ଜନ ମଲ୍ଲିକ ରହୁଛନ୍ତି। ଗତ ବିଳମ୍ବିତ ରାତିରେ ସେ ଏକ କାମରେ ସ୍ଥାନୀୟ ଧୋବାସାହିକୁ ଚାଲିଚାଲି ଯାଉଥିଲେ। ଏତିକି ବେଳେ ଅଭିଯୁକ୍ତ ଇଙ୍ଗ ନିଶାସକ୍ତ ଅବସ୍ଥାରେ ଥିଲେ। ସୁରଜଙ୍କୁ ଏକୁଟିଆ ଦେଖି ସେ ତାଙ୍କୁ ଅଟକାଇଥିଲା। ବିନା କାରଣରେ ସେ ତାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲା। ସୁରଞ୍ଜନ ଏହାର ପ୍ରତିବାଦ କରିବାରୁ ସେ ପାଖରେ ରଖିଥିବା ଏକ ଛୁରାରେ ତାଙ୍କୁ ଆକ୍ରମଣ କରିଥିଲା। ତାଙ୍କ ପିଠି ଓ ଛାତିରେ ଆଘାତ ଲାଗିବାରୁ, ସେ ଗୁରୁତର ଆହତ ହୋଇଥିଲେ।ରକ୍ତାକ୍ତ ଅବସ୍ଥାରେ ସୁରଞ୍ଜନ ପଡିଯିବା ପରେ ଅଭିଯୁକ୍ତ ଇଙ୍ଗ ସେଠାରୁ ଫେରାର ହୋଇଯାଇଥିଲା। ଏହି ସମୟରେ ସେହିବାଟ ଦେଇ ଯାଉଥିବା କିଛି ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ପଠାଇବା ସହିତ ପୁଲିସକୁ ଖବର ଦେଇଥିଲେ। ତେବେ ଏହି ଘଟଣାରେ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ କରାଯିବା ସହ ଆଜି ସକାଳେ ଅଭିଯୁକ୍ତ ଇଙ୍ଗକୁ କୋର୍ଟଚାଲାଣ କରାଯାଇଛି। ଅଭିଯୁକ୍ତ ନାଁରେ ପୂର୍ବରୁ ୭ରୁ ଅଧିକ ଅପରାଧିକ ମାମଲା ରହିଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି।






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..