ରିପୋର୍ଟ କାର୍ଡ / ପୁରୀ
ଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାର୍ଯ୍ୟ ଆଜିଠାରୁ ଆରମ୍ଭ କରାଯିବ। ଏଥିପାଇଁ ସର୍ତ୍ତମୂଳକ ଭାବେ ଅନୁମତି ଦେଇଛି ମନ୍ଦିର ପ୍ରଶାସନ। ଶ୍ରୀଜୀଉଙ୍କ ନୀତିକାନ୍ତି ଏବଂ ଭକ୍ତଙ୍କ ଦର୍ଶନ ଯେପରି ବାଧାପ୍ରାପ୍ତ ନହେବ ତାକୁ ଦୃଷ୍ଟିରେ ରଖି କାର୍ଯ୍ୟ କରିବାକୁ ଏଏସ୍ଆଇକୁ କୁହାଯାଇଛି । ବୈଷୟିକ କୋର୍ କମିଟି ସଭ୍ୟ, ମନ୍ଦିର ପ୍ରଶାସନ ଅଧିକାରୀ ଏବଂ ପରିଚାଳନା କମିଟି ସଭ୍ୟ ମରାମତି କାର୍ଯ୍ୟ ତଦାରଖ କରିବେ। ସକାଳ ୬ରୁ ରାତି ୧୦ଟା ପର୍ଯ୍ୟନ୍ତ ଏବେ ମରାମତି କାର୍ଯ୍ୟ କରାଯିବ। କାର୍ତ୍ତିକ ପୂର୍ଣ୍ଣିମା ପରେ ଏଥିପାଇଁ ଅଧିକ ସମୟ ଦିଆଯିବ ବୋଲି ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ କହିଛନ୍ତି। ନାଟ ମଣ୍ଡପର ଗରୁଡ଼ ସ୍ତମ୍ଭ ଉପରେ ଥିବା ବିମ୍ରେ ଫାଟ ସୃଷ୍ଟି ହୋଇଛି। ପ୍ରଥମେ ତା’ର ମରାମତି କାର୍ଯ୍ୟ କରାଯିବ। ଏହାପରେ ଛାତ ତଳ ପଟୁ ଚୂନ ପଲସ୍ତରା ଛଡ଼ାଯାଇ ଅନ୍ୟ ଫାଟ ନେଇ ଅନୁଧ୍ୟାନ କରାଯିବ। ଶୁକ୍ରବାର ସକାଳୁ ନାଟ ମଣ୍ଡପରେ ଏଏସ୍ଆଇ ପକ୍ଷରୁ ଭାରା ବନ୍ଧାଯିବା ସହ ଏକ ଅସ୍ଥାୟୀ ପ୍ଲାଟଫର୍ମ ନିର୍ମାଣ କରାଯିବ। ସକାଳୁ ରାତି ମଧ୍ୟରେ ଯେତେବେଳେ ମହାପ୍ରଭୁଙ୍କ ବିଶେଷ ନୀତିକାନ୍ତି ନଥିବ ମନ୍ଦିର କମାଣ୍ଡର ଏବଂ ସୁପରଭାଇଜରଙ୍କ ପରାମର୍ଶକ୍ରମେ ମରାମତି କାର୍ଯ୍ୟ କରାଯିବ। ଆଗାମୀ ୨୪ ତାରିଖ ଦିନ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯିବ ବୋଲି ଶ୍ରୀ ଦାସ କହିଛନ୍ତି । ଗୁରୁବାର ଅନୁଷ୍ଠିତ ବୈଠକରେ ଏଥିପାଇଁ ଏକ ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଇଛି। ନାଟ ମଣ୍ଡପ ମରାମତି ସମୟରେ ଭକ୍ତଙ୍କ ପାଇଁ ବିକଳ୍ପ ଯାତାୟାତ ବ୍ୟବସ୍ଥା ସମେତ ଆବଶ୍ୟକ ସୁରକ୍ଷା ଗ୍ରହଣ କରାଯିବ।






More Stories
ଦାୟିତ୍ୱ ବାଣ୍ଟିଲେ ନବୀନ…..
ହେରିଟେଜ୍ ହ୍ରଦ ବିନ୍ଦୁ ସାଗର…..
୪ ଲକ୍ଷର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ…..