Report Card Odisha

| Daily Odia News

‘ଏଲନ ମସ୍କ ଜଣେ ଅହଂକାରୀ ବ୍ୟକ୍ତି’…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ମାଲିକ ଏଲନ ମସ୍କ ଜଣେ ଅହଂକାରୀ ବ୍ୟକ୍ତି ବୋଲି କହିଛନ୍ତି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲ୍‌ବାନିଜ୍‌। ଅଷ୍ଟ୍ରେଲିଆର ସିଡ୍‌ନୀରେ ଜଣେ ପାଦ୍ରୀଙ୍କୁ ଛୁରାମାଡ଼ ଘଟଣାର ଭିଡିଓ ଏକ୍ସରେ ପୋଷ୍ଟ ହୋଇଥିଲା। ଏହି ଭିଡିଓକୁ ହଟାଇବା ଲାଗି ମସ୍କଙ୍କୁ କୁହାଯାଇଥିଲା। କିନ୍ତୁ ଭିଡିଓକୁ ଏକ୍ସ’ରୁ ହଟା ନ ଯିବାରୁ ପ୍ରଧାନମନ୍ତ୍ରୀ ଆଲ୍‌ବାନିଜ୍‌ ମସ୍କଙ୍କ ଉପରେ ନିଜର ଅସନ୍ତୋଷ ବ୍ୟକ୍ତ କରିବା ସହିତ ଏପରି ମନ୍ତବ୍ୟ ଦେଇଛନ୍ତି। ସୂଚନାଯୋଗ୍ୟ, ସିଡ୍‌ନୀର ଏକ ଚର୍ଚ୍ଚରେ କିଛିଦିନ ତଳେ ଜଣେ ପାଦ୍ରୀଙ୍କୁ ଛୁରାମାଡ଼ ହୋଇଥିଲା। ଇସ୍‌ଲାମର ସମାଲୋଚନା କରିବା ଅଭିଯୋଗରେ ଜଣେ ୧୬ ବର୍ଷୀୟ ବାଳକ ପାଦ୍ରୀଙ୍କୁ ଛୁରାମାଡ଼ କରିଥିଲେ। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହା ପରେ ଅଷ୍ଟ୍ରେଲିଆର ଦୂରସଞ୍ଚାର ନିୟାମକ ପକ୍ଷରୁ ଏକ୍ସ’ରୁ ଘଟଣା ସମ୍ପର୍କିତ କିଛି ପୋଷ୍ଟ, ଭିଡିଓ ଏବଂ ମନ୍ତବ୍ୟ ହଟାଇବାକୁ କୁହାଯାଇଥିଲା। କିନ୍ତୁ ଏକ୍ସ’ ତରଫରୁ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଇ ନ ଥିଲା। ଫଳରେ ଅଷ୍ଟ୍ରେଲିଆର ଏକ କୋର୍ଟ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ’କୁ ଦୂରସଞ୍ଚାର ନିୟାମକ ଆଦେଶ ପାଳନ କରିବାକୁ ନିର୍ଦେଶ ଦେଇଥିଲେ। ଏହା ପରେ ଏକ୍ସ ଏହି ଭିଡିଓକୁ ନିଜ ପ୍ଲାଟଫର୍ମରୁ ସମ୍ପୂର୍ଣ୍ଣ ଭାବେ ନ ହଟାଇ କେବଳ ଅଷ୍ଟ୍ରେଲିଆର ବ୍ୟବହାରକାରୀଙ୍କ ପାଇଁ ହଟାଇଥିଲା। ସାରା ଦୁନିଆରେ ଦେଖାଇବାକୁ ଥିବା ତଥ୍ୟକୁ ନେଇ ଅଷ୍ଟ୍ରେଲିଆ ସରକାର ମନମାନି କରିପାରିବେ ନାହିଁ ବୋଲି ଏକ୍ସ ପକ୍ଷରୁ ଯୁକ୍ତି ଦର୍ଶାଯାଇଥିଲା। ଏକ୍ସ ପକ୍ଷରୁ ଏପରି ଯୁକ୍ତି ଦର୍ଶାଯିବା ପରେ ପ୍ରଧାନମନ୍ତ୍ରୀ ଆଲବାନିଜ୍‌ ଏଲନ ମସ୍କଙ୍କୁ କଡ଼ା ସମାଲୋଚନା କରିବା ସହିତ ଗଣମାଧ୍ୟମକୁ କହିଥିଲେ ଯେ, ସୋସିଆଲ ମଡିଆ କମ୍ପାନୀଗୁଡ଼ିକର ଦାୟିତ୍ବ ରହିବା ଉଚିତ। କିନ୍ତୁ ମସ୍କ ହିଂସା ସମ୍ପର୍କିତ ସାମଗ୍ରୀକୁ ନିଜ ପ୍ଲାଟଫର୍ମରେ ରଖିବାକୁ ଯୁକ୍ତି କରୁଛନ୍ତି। ନିଜକୁ ଆଇନଠୁ ଊର୍ଦ୍ଧ୍ବରେ ବୋଲି ଭାବୁଥିବା ଏପରି ଅହଂକାରୀ ବ୍ୟକ୍ତିଙ୍କ ପାଇଁ ଯାହା ଆବଶ୍ୟକ ପଡ଼ିବ ତାହା କରାଯିବ।

Breaking News