ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ଦେଶରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ଦେଶର ୯୪ ସିଟ୍ ପାଇଁ ମତଦାନ ହେଉଥିବା ବେଳେ ଭୋଟ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଅହମ୍ମଦାବାଦର ନିଶାନ୍ ହାୟର ସେକେଣ୍ଡାରୀ ସ୍କୁଲ ବୁଥରେ ଆଜି ସକାଳୁ ଭୋଟ୍ ଦେଇଛନ୍ତି । ମୋଦି ଗତ ରାତିରେ ଗାନ୍ଧିନଗରସ୍ଥିତ ରାଜଭବନରେ ରହିଥିବା ବେଳେ ଆଜି ସକାଳ ସାଢେ ୭ଟାରେ ଭୋଟ ଦେବା ନିମନ୍ତେ ମତଦାନ କେନ୍ଦ୍ରରେ ପହଞ୍ଚିଥିଲେ। ସେଠାରେ ପୂର୍ବରୁ ଉପସ୍ଥିତ କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଅମିତ ଶାହ ମୋଦିଙ୍କ ସ୍ୱାଗତ କରିଥିଲେ। ଏଥିପାଇଁ ସେଠାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା । ଏହି ଅବସରରେ ମୋଦି ଦେଶର ଜନସାଧାରଣଙ୍କୁ ଅପିଲ କରି କହିଛନ୍ତି, ମତଦାନ ଏକ ସାମାନ୍ୟ ଦାନ ନୁହେଁ। ଏହା ଦେଶକୁ ଆଗକୁ ନେଇଯିବା ପାଇଁ ଅତ୍ୟନ୍ତ ଜରୁରୀ। ଗଣତନ୍ତ୍ରର ଏହି ପର୍ବରେ ସମସ୍ତଙ୍କ ଭାଗିଦାରୀ ଜରୁରୀ। ତେଣୁ ନିଜ କର୍ତ୍ତ୍ୟବରୁ ପଛକୁ ନ ହଟିବାକୁ ସେ ଦେଶବାସୀଙ୍କୁ ଆହ୍ୱାନ ଦେଇଥିଲେ। ଏଥିସହ ମୋଦି କହିଥିଲେ, ମତଦାନ ଦ୍ୱାରା ଆମ ଦେଶର ଆଗାମୀ ଭବିଷ୍ୟତ ନିର୍ଦ୍ଧାରିତ ହେବ । ତେଣୁ ରେକର୍ଡ ସଂଖ୍ୟାରେ ମତଦାନ କରିବା ନିହାତି ଆବଶ୍ୟକ । ସକ୍ରିୟ ମତଦାନ ଦ୍ୱାରା ଉତ୍ସାହ ଅଧିକ ବଢ଼ିବ ବୋଲି କହି ଭୋଟରଙ୍କୁ ଉତ୍ସାହିତ କରିଛନ୍ତି ମୋଦି। ଅତ୍ୟଧିକ ଖରା ହେଉଥିବାରୁ ନିଜ ସ୍ୱାସ୍ଥ୍ୟର ଯତ୍ନ ନେଇ ପ୍ରଚୁର ପରିମାଣର ପାଣି ପିଇବାକୁ ଲୋକଙ୍କୁ ଉପଦେଶ ଦେଇଛନ୍ତି ମୋଦି। ଏଥିସହ ସେ କହିଛନ୍ତି, ପ୍ରଥମେ ମତଦାନ, ପରେ ଜଳପାନ । ଅର୍ଥାତ ପ୍ରଥମେ ମତଦାନ ପରେ ନିଜର ଅନ୍ୟ ସମସ୍ତ କାମ କରିବାକୁ ସେ ଲୋକଙ୍କୁ ଅପିଲ୍ କରିଛନ୍ତି। ତୃତୀୟ ପର୍ଯ୍ୟାୟ ମତଦାନରେ ଗୁଜରାଟର ୨୬ରୁ ୨୫ ଲୋକସଭା ଆସନରେ ନିଆଯାଉଛି ଭୋଟ। ସୁରତ ସିଟରେ କଂଗ୍ରେସ ପ୍ରାର୍ଥୀଙ୍କ ନାମାଙ୍କନ ଖାରଜ ହେବାରୁ ବିଜେପିର ମୁକେଶ ଦଲାଲ ନିର୍ନ୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ସେହିପରି କର୍ଣ୍ଣାଟକର ୧୪, ମହାରାଷ୍ଟ୍ରର ୧୧, ତ୍ତରପ୍ରଦେଶର ୧୦, ମଧ୍ୟପ୍ରଦେଶର ୮, ଛତିଶଗଡ଼ ୭, ବିହାର ୫ ଏବଂ ଆସାମ ଓ ପଶ୍ଚିମବଙ୍ଗର ୪ଟି ଲେଖାଏଁ ସିଟରେ ଭୋଟିଂ ହେଉଛି।






More Stories
ଖଡଗେ-ନଡ୍ଡା ମୁହାଁମୁହିଁ…..
ବାରମ୍ବାର ଦେଇପାରିବେନି ଆଇଏଏସ୍,ଆଇପିଏସ୍ ପରୀକ୍ଷା……
ଆଜି ସଂସଦରେ ଅଭିଭାଷଣ ରଖିବେ ପ୍ରଧାନମନ୍ତ୍ରୀ…..