Report Card Odisha

| Daily Odia News

କ’ଣ ଥିଲା ଏହି ଟୁଲ୍‌କିଟ୍‌ରେ ଯାହାକୁ ନେଇ ବିବାଦରେ ଫସିଲେ ଦିଶା ରବି

ନୂଆଦିଲ୍ଲୀ: ଟୁଲ୍‌କିଟ୍ ମାମଲାରେ ଦେଶରେ ପ୍ରଥମଥର ପାଇଁ ଜଣଙ୍କୁ ଗିରଫ କରାଯାଇଛି । ୨୧ ବର୍ଷୀୟା ପରିବେଶବିତ୍ ଦିଶା ରବିଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ୍। ଚାଷୀ ଆନ୍ଦୋଳନକୁ ସମର୍ଥନ କରି ‘ଗ୍ରେଟା ଥନବର୍ଗ’ କରିଥିବା ଟ୍ୱିଟ୍‌କୁ ଟୁଲ୍‌କିଟ୍ କରିଥିବା ଅଭିଯୋଗ ନେଇ ଏହି ଗିରଫଦାରି ହୋଇଛି।

ଦିଲ୍ଲୀ ପୋଲିସର କହିବା ଅନୁଯାୟୀ, ‘ଗ୍ରେଟାଙ୍କ ଟୁଇଟ୍ ପରେ ଏହାକୁ ଦିଶା ପୁଣି ଥରେ ପ୍ରଚାର ପ୍ରସାର କରିଥିଲେ। ଏଥିରେ ଖଲିସ୍ତାନୀଙ୍କୁ ସମର୍ଥନ କରିବା ସହ ଦେଶ ବିରୋଧୀ ଷଡ଼ଯନ୍ତ୍ର କରାଯାଇଥିଲା। ବିଭିନ୍ନ ସୋସିଆଲ୍ ମିଡିଆ ସାଇଟ୍‌ରେ ଏହାକୁ ପୋଷ୍ଟ କରିବା ସହ ଜାନୁଆରୀ ୨୬ ହିଂସାକୁ ଏହା ପ୍ରୋତ୍ସାହିତ କରିଥିବା’ ଦିଲ୍ଲୀ ପୋଲିସ୍ କୋର୍ଟରେ ଦର୍ଶାଇଛି।

ଅନ୍ୟପକ୍ଷେ ଦିଲ୍ଲୀ ସ୍ୱତନ୍ତ୍ର କୋର୍ଟରେ ହାଜର ବେଳେ କାନ୍ଦି ପକାଇଥିଲେ ଦିଶା । ସେ କୌଣସି ଅପପ୍ରଚାର କରିନାହାନ୍ତି, କେବଳ ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଇଥିବା କହିଛନ୍ତି। ପୋଲିସ୍ ଦିଶାଙ୍କୁ ୫ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରୁଛି।

ତେବେ ଦିଶାରବିଙ୍କ ଅପରାଧ ବିଷୟରେ ଜାଣିବା ପୂର୍ବରୁ ପ୍ରଥେମ ଜାଣିବା ଏହି ‘ଟୁଲ୍‌କିଟ୍‌’ କ’ଣ ? କେମିତି ଟୁଲ୍‌କିଟ କରାଯାଏ। ?

କ’ଣ ଥିଲା ଏହି ଟୁଲ୍‌କିଟ୍‌ ?

କୃଷକ ଆନ୍ଦୋଳନକୁ ସମର୍ଥନରେ କିପରି ଆନ୍ଦୋଳନ କରାଯିବ, ପରିବେଶବିତ୍ ଗ୍ରେଟା ଥନବର୍ଗ ସୋସିଆଲ ମିଡିଆରେ ସେ ସମ୍ପର୍କରେ ସୂଚନା ଦେଇଥିଲେ। ଏହାକୁ ‘ଟୁଲ୍‌କିଟ’ ଭାବେ ବୁଝାଯାଏ। ଆନ୍ଦୋଳନ କିପରି ବ୍ୟାପକ ହେବ, ସେଥିପାଇଁ କି ଆବଶ୍ୟକ ପଦକ୍ଷେପ ନିଆଯିବ, କ’ଣ ହ୍ୟାସଟାଗ ଦିଆଯିବ ଏବଂ ଏହାର ପ୍ରଚାର କପରି କରାଯିବ ତାହାର ସୂଚନା ଟୁଲ୍‌କିଟ୍‌ରେ ଦିଆଯାଇଥାଏ।

ଅନ୍ୟ ଭାଷାରେ କହିଲେ, ଟୁଲ୍‌କିଟ୍‌ ପ୍ରକୃତରେ ଏକ ଡିଜିଟାଲ ଅସ୍ତ୍ରରେ ପରିଣତ ହୋଇଗଲାଣି। ସୋଶାଲ ମିଡିଆରେ ଏକ ଆନ୍ଦୋଳନ ପାଇଁ ଏହାକୁ ନିଆଁରେ ଘିଅ ସଦୃଶ ବ୍ୟବହାର କରାଯାଉଛି। ପ୍ରଥମେ ଆମେରିକାରେ ‘ବ୍ଲାକ ଲାଇବ୍‌ସ ମ୍ୟାଟର’ ଆନ୍ଦୋଳନ ସମୟରେ, ଏମିତି ପ୍ରକ୍ରିୟା ସାମ୍ନାକୁ ଆସିଥିଲା। ଆନ୍ଦୋଳନକୁ ବ୍ୟାପକ କରିବା ପାଇଁ ଏହା ମାଧ୍ୟମରେ ଲୋକଙ୍କୁ ଏକତ୍ରିତ କରାଯାଇଥାଏ। ଅଧିକରୁ ଅଧିକ ଲୋକ କିପରି ଆନ୍ଦୋଳନରେ ସାମିଲ ହୋଇପାରିବେ, ସେ ସମ୍ପର୍କରେ ଟୁଲ୍‌କିଟରେ ବ୍ୟବସ୍ଥିତ ଢଙ୍ଗରେ ଉପସ୍ଥାପନ କରାଯାଇଥାଏ।

ଏପରିକି ଯଦି ଆନ୍ଦୋଳନ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ନିଏ ତେବେ କ‘ଣ କରିବ, ଆଉ କୌଣସି ସମସ୍ୟା ଆସିଲେ କଣ୍ଟାକ୍ଟ ବା ରିସୋର୍ସ ପର୍ସନ କିଏ ତାହା ଟୁଲ୍‌କିଟ୍‌ରେ କୁହାଯାଇଥାଏ। ଭାରତରେ ଚାଲିଥିବା ଚାଷୀ ଆନ୍ଦୋଳନ ପ୍ରସଙ୍ଗରେ ଏବେ ଏହି ଟୁଲ୍‌କିଟ୍‌ ବିବାଦ ଘେରକୁ ଆସିଯାଇଛି।

ଦିଶା ରବି କିଏ ?

୨୧ ବର୍ଷୀୟ ପରିବେଶବିତ୍ ଦିଶା, ବେଙ୍ଗାଲୁରୁର ପ୍ରସିଦ୍ଧ ‘ମାଉଣ୍ଟ କାରାମେଲ୍ କଲେଜ’ରୁ ସ୍ନାତକ କରିଛନ୍ତି। ବିଭିନ୍ନ ଅନ୍ତର୍ଜାତୀୟ ସଂଗଠନ ସହ ଜଡ଼ିତ ହୋଇ ସେ ବିଶ୍ୱ ପରିବେଶ ଦିଗରେ କାର୍ଯ୍ୟ କରୁଛନ୍ତି। ‘ଫ୍ରାଇଡେ ଫର ଫ୍ୟୁଚର’ ନାମକ ଏକ ଅଭିଯାନର ସେ ପ୍ରତିଷ୍ଠାତ୍ରୀ।

ଜଳବାୟୁ ପରିବର୍ତ୍ତନ ସମସ୍ୟା ରୋକିବା ଦିଗରେ ନେତାମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ। ଏ ଦିଗରେ ନେତାଙ୍କୁ ଠିକ୍‌ ନିଷ୍ପତ୍ତି ନେବା ପାଇଁ ଏକ ପ୍ରକାର ବାଧ୍ୟ କରିବା ଲାଗି ଅନ୍ତରାଷ୍ଟ୍ରୀୟ ସ୍ତରରେ ସ୍କୁଲ ପିଲାଙ୍କୁ ସଂପୃକ୍ତ କରାଯାଉଛି। ସ୍କୁଲପିଲାମାନେ ପ୍ରତି ଶୁକବ୍ରାର କ୍ଲାସ କରିବା ପରିବର୍ତ୍ତେ ଜଳବାୟୁ ପରିବର୍ତ୍ତନ ସମସ୍ୟା ବିରୋଧରେ ପ୍ରଦର୍ଶନ କରୁଛନ୍ତି। ଏହି ଅଭିଯାନର ଭାରତୀୟ ସଂସ୍କରଣ FFFର ଫାଉଣ୍ଡର ହେଉଛନ୍ତି ଦିଶା।

ପରିବେଶ ସମସ୍ୟା  ମୁଖ୍ୟଧାରାକୁ ଆଣିବା ପାଇଁ କାମ କରୁଥିବା ପ୍ରମୁଖ ପରିବେଶବିତ୍‌ଙ୍କ ମଧ୍ୟରୁ ଦିଶା ଜଣେ। ନ୍ୟୁଜ ପୋର୍ଟାଲ ସମେତ ସୋଶାଲ ମିଡିଆରେ ଦିଶା ନିୟମିତ ସ୍ତମ୍ଭ ଲେଖନ୍ତି। ବିଶେଷ କରି ଯୁବ ଏବଂ କିଶୋର ବର୍ଗର ପରିବେଶବିତ୍‌‌ଙ୍କ ପାଇଁ ଜଳବାୟୁ ସମ୍ପର୍କିତ ଅଭିଯାନ ଚଳାଇ ଆସୁଛନ୍ତି।

କାହିଁକି ପରିବେଶ ପାଇଁ କାମ କରିବାକୁ ଆଗେଇ ଆସିଲେ ଦିଶା ?

ମିଳିଥିବା ଖବର ଅନୁଯାୟୀ, ଏକଦା ଦିଶାଙ୍କ ପରିବାର ଭୟଙ୍କର ବନ୍ୟାର ଶିକାର ହୋଇଥିଲେ। ବନ୍ୟାରେ ତାଙ୍କର ଘର ସମ୍ପୂର୍ଣ୍ଣ ନିଶ୍ଚିହ୍ନ ହୋଇଯାଇଥିଲା। ଦିଶା ଏହାର କାରଣ ଖୋଜିବାକୁ ଲାଗିଲେ। ଏଥି ସହ ଏପରି ବିପତ୍ତି ପାଇଁ ରାଜନେତାଙ୍କୁ ସେ ଉତ୍ତରଦାୟୀ କରିଥିଲେ। ଦିଶାଙ୍କ କହିବା ଅନୁଯାୟୀ, ଅତ୍ୟଧିକ ବର୍ଷା ଏବଂ ବନ୍ୟା ଯୋଗୁ ହେଉଥିବା ବିନାଶ ପାଇଁ ସିଧାସଳଖ ରାଜନୀତି ଦାୟୀ। କାରଣ ସେମାନେ ଏସବୁର ମୁକାବିଲା ଦିଗରେ ସଠିକ୍‌ ପଦକ୍ଷେପ ନେଉ  ନାହାନ୍ତି।

ଦିଶା କହନ୍ତି, ଜଳାଭାବକୁ ନେଇ ଯେଉଁ ସମସ୍ୟା ଦେଖିବାକୁ ମିଳୁଛି ସେଥିରେ ବିଶ୍ୱର କୋଟି କୋଟି ଲୋକ କଷ୍ଟ ଭୋଗୁଛନ୍ତି। ଏ କ୍ଷେତ୍ରରେ ରାଜନୀତି ଏବଂ ରାଜନେତା ନିଜ ଭୂମିକା ଠିକ ଭାବେ ତୁଲାଇବା ଉଚିତ୍‌।

କାହିଁକି ଗିରଫ ହେଲେ ଦିଶା ?

ଦିଶାଙ୍କ ଉପରେ ଅଭିଯୋଗ ଆସିଛି ଯେ, ଗ୍ରେଟା ଥନବର୍ଗ  ଯେଉଁ ଟୁଲକିଟ ଶେୟାର କରିଥିଲେ, ସେ ଏହାକୁ ଏଡିଟ କରି ସୋସିଆଲ ମିଡିଆରେ ସେୟାର କରିଥିଲେ। ଦିଲ୍ଲୀର ଏକ କୋର୍ଟରେ ପୋଲିସ କହିଛି, ‘ଭାରତ ସରକାରଙ୍କ ବିରୋଧରେ ଏକ ବଡ ଷଡଯନ୍ତ୍ର ଚାଲିଛି ଯାହା ପଛରେ ଖଲିସ୍ତାନୀ ଆନ୍ଦାଳନର ଭୂମିକା ରହିଛି। ଏ ନେଇ ଦିଶାଙ୍କୁ ପଚରାଉଚରା କରିବା ଜରୁରୀ।’

ପୋଲିସ କହିଛି, ଟୁଲକିଟ ମାମଲାରେ ଦିଶାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି କାରଣ ସେ ଏଡିଟ କରି ଫରୱାର୍ଡ କରିଥିବା ସ୍ୱୀକାର କରିଛନ୍ତି। ଅନ୍ୟପକ୍ଷେ ଦିଶା କୋର୍ଟକୁ କାନ୍ଦି କାନ୍ଦି କହିଛନ୍ତି, ଚାଷୀ ଆନ୍ଦୋଳକୁ ସମର୍ଥନ ଦେବା ଲକ୍ଷ୍ୟରେ ସେ କେବଳ ଟୁଲକିଟ୍‌ରେ ମାତ୍ର ଦୁଇ ଲାଇନ ବଦଳାଇଛନ୍ତି।

କେମିତି ହେଉଛି ଟୁଲ୍‌କିଟର ତଦନ୍ତ?

ଦିଲ୍ଲୀ ପୋଲିସ ସୋଶାଲ ମିଡିଆରେ ପ୍ରଚାରିତ ଏବଂ ପ୍ରସାରିତ ଏହି ଟୁଲ୍‌କିଟ ସମ୍ପର୍କରେ ଜାଣିବା ପାଇଁ ଗୁଗୁଲ୍‌ ସହାୟତା ନେଇଥିଲା। ଗୁଗୁଲ ଦୁଇଟି ଇ ମେଲ, ଗୋଟିଏ ଇନ୍‌ଷ୍ଟ୍ରାଗ୍ରାମ ଏବଂ ଗୋଟିଏ URL ବିଷୟରେ ସୂଚନା ଦେଇଥିଲା। ତେବେ ଟୁଲକିଟ କରିଥିବା ବ୍ୟକ୍ତିଙ୍କ ବିରୋଧରେ ପୋଲିସ ଫେବ୍ରୁଆରୀ ୪ରେ ରାଜଦ୍ରୋହ, ଅପରାଧିକ ଷଡଯନ୍ତ୍ର ଏବଂ ଲୋକଙ୍କ ଭିତରେ ଘୃଣା ମନୋଭାବ ସୃଷ୍ଟି କରୁଥିବା ଅଭିଯୋଗ ଆସିଥିଲା।

ପୋଲିସ କହିବା ଅନୁଯାୟୀ, ଲାଲ୍‌ କିଲା ଉପରେ ୨୬ ଜାନୁଆରୀରେ ହୋଇଥିବା ହିଂସା ପ୍ରଦର୍ଶନ ଠିକ ସେହିପରି ହୋଇଥିଲା ଯେଉଁପରି ଟୁଲ୍‌କିଟ୍‌ରେ ସୂଚନା ଦିଆଯାଇଥିଲା।

Breaking News