ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ନିର୍ବାଚନୀ ବଣ୍ଡ ପ୍ରସଙ୍ଗ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରହୁଲ ଗାନ୍ଧି। କହଛନ୍ତି ସବୁଠାରୁ ବଡ଼ ଦୁର୍ନୀତି କାଣ୍ଡକୁ ଠିକ ବୋଲି ପ୍ରମାଣିତ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଚେଷ୍ଟା କରୁଛନ୍ତି । ଆଜି କୋଝିକୋଡରେ ଗୋଟିଏ ନିର୍ବାଚନ ରାଲିକୁ ସମ୍ବୋଧନ କରି ରାହୁଲ କହିଛନ୍ତି, “ଗତକାଲି ଆପଣମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଇଣ୍ଟରଭ୍ୟୁ ଏଏନ୍ଆଇରେ ଦେଖିଛନ୍ତି କି ନାହିଁ, ଜାଣିନି। ଆପଣମାନେ ତାଙ୍କ ଆଖି, ମୁହଁକୁ ମାର୍କ କରିଛନ୍ତି କି ନାହିଁ, ସେକଥା ମଧ୍ୟ ଜାଣିନି। କିନ୍ତୁ ସେ ସବୁଠାରୁ ବଡ଼ ଦୁର୍ନୀତିକୁ ଠିକ ବୋଲି ପ୍ରମାଣିତ କରିବାକୁ ଚେଷ୍ଟା କରିଛନ୍ତି। ପୃଥିବୀର ସବୁଠାରୁ ବଡ଼ ଦୁର୍ନୀତି ଜରିଆରେ ବିଜେପି ଭାରତୀୟ ବ୍ୟବସାୟୀଙ୍କ ଠାରୁ ହଜାର ହଜାର କୋଟି ଟଙ୍କା ଲୁଟ କରିଛି।” ଗତକାଲି ଏଏନ୍ଆଇକୁ ମୋଦି କହିଥିଲେ ଯେ ନିର୍ବାଚନରେ କଳା ଟଙ୍କାର ବ୍ୟବହାରକୁ ରୋକିବା ପାଇଁ ନିର୍ବାଚନୀ ବଣ୍ଡ ଆସିଥିଲା। ଏଥିରେ ସ୍ୱଚ୍ଛତା ଥିଲା। ଦିନେ ସମସ୍ତେ ଏଥିପାଇଁ ଅନୁତାପ କରିବେ ବୋଲି କହିଥିଲେ। ତେବେ ରାହୁଲଙ୍କ ସମାଲୋଚନାକୁ ନେଇ ବିଜେପିର ଥିରୁଅନନ୍ତପୁରମ ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କହିଛନ୍ତି, “ପାଣ୍ଠି ଯୋଗାଣ ଓ ସନ୍ଦେହଜନକ ଅବସ୍ଥାରେ ଆସିଥିବା ଟଙ୍କା ସମ୍ପର୍କରେ ମତ ରଖିବାରେ ରାହୁଲ ଗାନ୍ଧି ଶେଷ ବ୍ୟକ୍ତି। ଆମେ ବୋଫୋର୍ସ ବିଷୟରେ ଜାଣିଛୁ। ତାଙ୍କ ପରିବାର ଯେଉଁ ସବୁ ଦୁର୍ନୀତିର ଲିଜେଣ୍ଡାରୀ, ସେସବୁ ବିଷୟରେ ଆମେ ସମସ୍ତେ ଜାଣିଛେ।” ୨୦୧୭ରେ ମୋଦି ସରକାର ଆଣିଥିବା ନିର୍ବାଚନୀ ବଣ୍ତକୁ ସୁପ୍ରିମକୋର୍ଟ ଅସାମ୍ବିଧାନିକ କହିବା ସହ ଏହାକୁ ରଦ୍ଦ କରି ଦେଇଥିଲେ। ଏହାପରେ ବଣ୍ଡ ତଥ୍ୟ ସାର୍ବଜନୀନ କରିବାକୁ କହିଥିଲେ। ବଣ୍ଡ ଦ୍ୱାରା ଏକାଧିକ କମ୍ପାନୀ ବିଜେପିକୁ ସର୍ବାଧିକ ଚାନ୍ଦା ଦେଇଥିବାରୁ ଏହାକୁ ବିରୋଧୀ ମୁଖ୍ୟ ପ୍ରସଙ୍ଗ କରିଛନ୍ତି।






More Stories
ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ:୯୦ ଲକ୍ଷରୁ ଅଧିକ ନାମ ବାଦ…..
୧୦ ପର୍ଯ୍ୟନ୍ତ କାଳବୈଶାଖୀ…..
ଆଜି ରାତିରେ ବଡ ଯୁଦ୍ଧ ! ୮ଟା ଯାଏଁ ଡେଡ୍ଲାଇନ୍…..