ରିପୋର୍ଟ କାର୍ଡ / ଭୁବନେଶ୍ୱର
ବୈଜ୍ଞାନିକ ଦକ୍ଷତା ଏବେ କୌଣସି ବିକଳ୍ପ ନୁହେଁ, ବରଂ ଏହା ଆମ ପ୍ରଗତିର ମୂଳଦୁଆ। ଛାତ୍ରଛାତ୍ରୀମାନେ ନିଜ ଜ୍ଞାନକୁ ମାନବ ସମାଜର କଲ୍ୟାଣରେ ବିନିଯୋଗ କରନ୍ତୁ ବୋଲି ଉପରାଷ୍ଟ୍ରପତି ସି.ପି ରାଧାକୃଷ୍ଣନ୍ ଆହ୍ବାନ ଦେଇଛନ୍ତି। ଗୁରୁବାର ଜଟଣୀସ୍ଥିତ ନାଇଜର୍ କ୍ୟାମ୍ପସରେ ୧୫ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସେ କହିଥିଲେ, ଆଜି ମହାନ ବୈଜ୍ଞାନିକ ହୋମିଭାଭା ଆମ ଗହଣରେ ନାହାନ୍ତି ସତ, କିନ୍ତୁ ଆଜି ମୁଁ ମୋ ସମ୍ମୁଖରେ ଶତାଧିକ ହୋମିଭାଭାଙ୍କୁ ବସିଥିବା ଦେଖିପାରୁଛି। କେବଳ ଗବେଷଣା ନୁହେଁ, ବରଂ ଜାତୀୟ ସୁରକ୍ଷା ଓ ଦୀର୍ଘସ୍ଥାୟୀ ବିକାଶ ପ୍ରତି ନାଇଜର୍ର ଅଙ୍ଗୀକାରବଦ୍ଧ ଅତ୍ୟନ୍ତ ପ୍ରଶଂସନୀୟ ବୋଲି ସେ କହିଥିଲେ।ରାଜ୍ୟପାଳ ହରିବାବୁ କମ୍ଭମପାଟି କହିଥିଲେ, ବିଶ୍ବରେ ସମସ୍ତ ସମସ୍ୟାର ସମାଧାନ କେବଳ ବିଜ୍ଞାନ ମାଧ୍ୟମରେ ହିଁ ସମ୍ଭବ। ଆଜି ଆପଣମାନେ କେବଳ ଏକ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ପାଉନାହାନ୍ତି ବରଂ ସମାଜ ପ୍ରତି ଏକ ବଡ଼ ଦାୟିତ୍ୱକୁ ନିଜ କାନ୍ଧକୁ ନେଉଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ, ଆମର ଯୁବ ବୈଜ୍ଞାନିକମାନେ ସେମାନଙ୍କର ଜ୍ଞାନକୁ ସମାଜର ତୃଣମୂଳସ୍ତରର ସମସ୍ୟାର ସମାଧାନ ପାଇଁ ବିନିଯୋଗ କରିବା ଉଚିତ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଜିତେନ୍ଦ୍ର ସିଂ ପ୍ରମୁଖ ନାଇଜର୍କୁ ଏକ ଅନନ୍ୟ ଅନୁଷ୍ଠାନ ଭାବେ ବର୍ଣ୍ଣନା କରିଥିଲେ। ନାଇଜର୍ କ୍ୟାମ୍ପସରେ ଖୁବ୍ଶୀଘ୍ର ଏକ କ୍ୟାନସର୍ ରେଫରାଲ ହସ୍ପିଟାଲ ଓ ଗବେଷଣାକେନ୍ଦ୍ର ସ୍ଥାପନ ହେବାକୁ ଯାଉଛି, ଯାହା ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଏକ ଉଦାହରଣ ସୃଷ୍ଟି କରିବ ବୋଳି ଶ୍ରୀ ପ୍ରଧାନ କହିଥିଲେ। ଏହି ଉତ୍ସବରେ ପରମାଣୁ ଶକ୍ତି ବିଭାଗର ସଚିବ ଡ. ଅଜିତ କୁମାର ମହାନ୍ତି, ନାଇଜର୍ର ନିର୍ଦେଶକ ପ୍ରଫେସର୍ ହିରେନ୍ଦ୍ରନାଥ ଘୋଷ ଏବଂ ଅନୁଷ୍ଠାନର ପରିଚାଳନା ବୋର୍ଡ ସଦସ୍ୟବୃନ୍ଦ ଉପସ୍ଥିତ ଥିଲେ।






More Stories
୧୦ ଜିଲ୍ଲାକୁ ୟେଲୋ ଓ୍ବାର୍ନିଂ ଜାରି……
ଜଗମୋହନ ମୀନାଙ୍କ ଇସ୍ତଫାକୁ ନେଇ ମୁହଁ ଖୋଲିଲେ ଡିଜିପି…..
ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବାଜିଲା ବିଗୁଲ୍…..