Report Card Odisha

| Daily Odia News

ପଶ୍ଚିମବଙ୍ଗରେ ପୋଲିସ, ମନ୍ତ୍ରୀଙ୍କୁ ରାଜଭବନ ମନା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପଶ୍ଚିମବଙ୍ଗ ରାଜ୍ୟପାଳ ସି.ଭି. ଆନନ୍ଦ ବୋଷଙ୍କ ବିରୋଧରେ ଜଣେ ମହିଳା ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିବା ପରେ ରାଜ୍ୟ ରାଜନୀତି ସରଗରମ ହୋଇଛି। ଏହି ପ୍ରସଙ୍ଗକୁ ନେଇ ବିଜେପି ଏବଂ ତୃଣମୂଳ କଂଗ୍ରେସ ମୁହାଁମୁହିଁ ହୋଇଥିବାବେଳେ ରାଜ୍ୟପାଳଙ୍କ ପକ୍ଷରୁ ଏକ ଆଦେଶନାମା ପ୍ରକାଶ ପାଇଛି। ଆଦେଶନାମାରେ ରାଜ୍ୟ ପୋଲିସ ଏବଂ ଅର୍ଥମନ୍ତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟଙ୍କୁ ରାଜଭବନରେ ପ୍ରବେଶ କରିବାକୁ ବାରଣ କରାଯାଇଛି। ମନ୍ତ୍ରୀ ଚନ୍ଦ୍ରିକା ଭଟ୍ଟାଚାର୍ଯ୍ୟ ରାଜ୍ୟପାଳଙ୍କ ବିରୋଧରେ ଅରୁଚିକର ମନ୍ତବ୍ୟ ଦେଇଥିବାରୁ ତାଙ୍କୁ କଲକାତା, ଦାର୍ଜିଲିଂ ଏବଂ ବାରାକପୁରରେ ଥିବା ରାଜଭବନରେ ପ୍ରବେଶ ନିଷେଦ୍ଧ କରାଯାଇଥିବା ଆଦେଶରେ କୁହାଯାଇଛି। ସୂଚନାଯୋଗ୍ୟ, ରାଜ୍ୟପାଳଙ୍କ ବିରୋଧରେ ରାଜଭବନର ଜଣେ ମହିଳା କର୍ମଚାରୀ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିବା ପରେ ମନ୍ତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ’ରେ ଏକ ପୋଷ୍ଟ କରି ଦୃଢ଼ ନିନ୍ଦା କରିଥିଲେ। ରାଜଭବନରୁ ଜାରି ହୋଇଥିବା ବିବୃତିରେ ରାଜ୍ୟପାଳ କହିଛନ୍ତି ଯେ, ଏପରି ପରିକଳ୍ପିତ ଅଭିଯୋଗର କୌଣସି ସତ୍ୟତା ନାହିଁ। ମୋତେ ବଦନାମ କରି ଯଦି କେହି ନିର୍ବାଚନୀ ଫାଇଦା ଉଠାଇବାକୁ ଚାହୁଁଛନ୍ତି, ତେବେ ଭଗବାନ ସେମାନଙ୍କର ମଙ୍ଗଳ କରନ୍ତୁ। କିନ୍ତୁ ପଶ୍ଚିମବଙ୍ଗରେ ଚାଲିଥିବା ହିଂସା ଏବଂ ଦୁର୍ନୀତି ବିରୋଧରେ ମୋ ଲଢ଼େଇକୁ ସେମାନେ ବନ୍ଦ କରିପାରିବେନି। ଅନ୍ୟପଟେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମବଙ୍ଗରେ ରାଲି କରିବାର କାର୍ଯ୍ୟକ୍ରମ ଥିବାରୁ ଏହାକୁ ଭଣ୍ଡୁର କରିବା ପାଇଁ ଟିଏମ୍‌‌ସି ଏପରି ଷଡ଼ଯନ୍ତ୍ର କରିଛି ବୋଲି ବିଜେପି ଅଭିଯୋଗ କରିଛି।

Breaking News