Report Card Odisha

| Daily Odia News

ପ୍ରଧାନମନ୍ତ୍ରୀଙ୍କୁ ଇସ୍ତାହାର ସଂପର୍କରେ ଭୁଲ ସୂଚନା ଦିଆଯାଇଛି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କଂଗ୍ରେସ ଇସ୍ତାହାରରେ ଦେଶବାସୀଙ୍କ ସମ୍ପତ୍ତି ସର୍ଭେ ପ୍ରସଙ୍ଗ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିକଟରେ ଦେଇଥିବା ମନ୍ତବ୍ୟକୁ କଡ଼ା ସମାଲୋଚନା କରିଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ। ‘ପ୍ରଧାନମନ୍ତ୍ରୀଙ୍କୁ ଆମ ଇସ୍ତାହାର ସଂପର୍କରେ ଭୁଲ ସୂଚନା ଦିଆଯାଇଛି ଏବଂ ପ୍ରଧାନମନ୍ତ୍ରୀ ଉକ୍ତ ସୂଚନା ଆଧାରରେ କଂଗ୍ରେସ ଉପରେ ଆକ୍ରମଣ କରୁଛନ୍ତି’ ବୋଲି ଖଡ଼ଗେ କହିଛନ୍ତି। ଆଜି ଏ ବାବଦରେ ପ୍ରଧାନମନ୍ତ୍ରୀଙ୍କୁ ଏକ ଖୋଲା ଚିଠି ଲେଖି ଖଡ଼ଗେ ଦଳର ଇସ୍ତାହାରକୁ ନେଇ ସ୍ଥିତି ସ୍ପଷ୍ଟ କରିଛନ୍ତି। କଂଗ୍ରେସ ଦଳ କ୍ଷମତାକୁ ଆସିଲେ ଅନୁପ୍ରବେଶକାରୀ ଏବଂ ଅଧିକ ସନ୍ତାନ ଥିବା ଲୋକଙ୍କୁ ଦେଶର ସମ୍ପତ୍ତି ବଣ୍ଟନ କରିବା ନେଇ ପ୍ରଧାନମନ୍ତ୍ରୀ ଯେଉଁ ବୟାନ ଦେଇଛନ୍ତି ତାହାକୁ ସେ ଖଣ୍ଡନ କରିଛନ୍ତି। ପତ୍ରରେ ଖଡ଼ଗେ ଉଲ୍ଲେଖ କରିଛନ୍ତି- ‘ଆମ ଇସ୍ତାହାରରେ ଲେଖାନଥିବା ପ୍ରସଙ୍ଗ ଉପରେ ମଧ୍ୟ ପରାମର୍ଶଦାତାମାନେ ଆପଣଙ୍କୁ ଭୁଲ ସୂଚନା ଦେଉଛନ୍ତି।’ କଂଗ୍ରେସ ମୁଖ୍ୟ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟକୁ ସମାଲୋଚନା କରି କହିଛନ୍ତି, ‘ଯେତେବେଳେ ନିର୍ବାଚନ ପ୍ରକ୍ରିୟା ଶେଷ ହେବ, ସେତେବେଳେ ଲୋକମାନେ ମନେ ରଖିବେ ଯେ ଦେଶର ପ୍ରଧାନମନ୍ତ୍ରୀ ନିର୍ବାଚନ ହାରିବା ଭୟରେ ଆପତ୍ତିଜନକ ଭାଷା ବ୍ୟବହାର କରିଥିଲେ।’ ରାଜସ୍ଥାନରେ ଏକ ନିର୍ବାଚନୀ ରାଲିରେ ପ୍ରଧାନମନ୍ତ୍ରୀ ଦେଇଥିବା ମନ୍ତବ୍ୟର ଜବାବରେ ଖଡ଼ଗେ ଏଭଳି ମତ ରଖିଛନ୍ତି। କଂଗ୍ରେସ ଦଳ ଦେଶର ସମସ୍ତ ମହିଳାଙ୍କ ପାଖରେ ଥିବା ସୁନା ସଂପର୍କରେ ସର୍ଭେ କରିବ ଏବଂ ସେହି ସମ୍ପତ୍ତିକୁ ‘ଅଧିକ ସନ୍ତାନ ଥିବା’ ଏବଂ ଅନୁପ୍ରବେଶକାରୀ’ମାନଙ୍କୁ ବଣ୍ଟନ କରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। କଂଗ୍ରେସ କହିଛି ଯେ ସମ୍ପତ୍ତି ସର୍ଭେ କରାଯିବା ସହ ସମ୍ପତ୍ତିର ଉପଯୁକ୍ତ ବଣ୍ଟନ ସଂପର୍କରେ ଦଳର ଇସ୍ତାହାରରେ କୁହାଯାଇଥିବା ବେଳେ ସୁନା ସଂପର୍କରେ ପ୍ରଧାନମନ୍ତ୍ରୀ ମନଗଢ଼ା କଥା କହୁଛନ୍ତି। ସୂଚନାଯୋଗ୍ୟ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତରେ ମଙ୍ଗଳସୂତ୍ରର ମୂଲ୍ୟ କେବଳ ସୁନା ଦରରେ ସୀମିତ ନୁହେଁ, ବରଂ ଏହା ମହିଳାଙ୍କ ସ୍ୱପ୍ନ ଓ ଆତ୍ମସମ୍ମାନ ସହିତ ଜଡିତ। ଖଡ଼ଗେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କୁ କଂଗ୍ରେସର ଇସ୍ତାହାର ବିଷୟରେ ଭୁଲ ସୂଚନା ଦିଆଯାଇଥିବାରୁ ଏ ବାବଦରେ ସେ ସଚେତନ ହେବା ଆବଶ୍ୟକ। ପ୍ରଧାନମନ୍ତ୍ରୀଙ୍କୁ ଆମ ପ୍ରତିଶ୍ରୁତି ସଂପର୍କରେ ବୁଝାଇବାରେ ସେ ଅଧିକ ଖୁସି ହେବେ ବୋଲି ଖଡ଼ଗେ କହିଛନ୍ତି।

 

Breaking News