Report Card Odisha

| Daily Odia News

ବିବାହ ମଣ୍ଡପରେ ଅଗ୍ନିକାଣ୍ଡ, ୧୦୦ ମୃତ, ୧୫୦ ଆହତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଉତ୍ତରାଞ୍ଚଳ ଇରାକୀ ନଗରୀ ହାମ୍‌ଦାନିୟାରେ ଏକ ‘ଇଭେଣ୍ଟ୍‌ ହଲ୍‌’ରେ ବିବାହ ଅନୁଷ୍ଠାନ ଚାଲିଥିବା ବ‌େଳେ ଅଗ୍ନିକାଣ୍ଡ ଘଟିଛି |  ଅନ୍ୟୂନ ୧୦୦ ଜଣ ଲୋକଙ୍କର ମୃତ୍ୟୁ ଘଟିଛି ଓ ୧୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି | ରାଷ୍ଟ୍ରାୟତ ଗଣମାଧ୍ୟମ ଓ ସ୍ବାସ୍ଥ୍ୟ ବିଭାଗର ଅଧିକାରୀମାନେ ପ୍ରତ୍ୟୁଷରେ କହିଛନ୍ତି। ହାମ୍‌ଦାନିୟା ନଗରୀରେ ଥିବା ବିବାହ ମଣ୍ଡପରେ ଘଟିଥିବା ଅଗ୍ନିକାଣ୍ଡରେ ମୃତ୍ୟୁସଂଖ୍ୟା ୧୦୦ ଏବଂ ଆହତଙ୍କ ସଂଖ୍ୟା ୧୫୦ରୁ ଅଧିକ ବୋଲି ନିନେୱେହ୍‌ ପ୍ରଦେଶର ସ୍ବାସ୍ଥ୍ୟ କର୍ତ୍ତୃପକ୍ଷମାନେ ଗଣନା କରିଥିବା କଥା ଇରାକ୍‌ର ସରକାରୀ ସମ୍ବାଦ ଏଜେନ୍‌ସି ‘ଆଇଏନ୍‌ଏ’ ଦେଶର ସ୍ବାସ୍ଥ୍ୟ ମନ୍ତ୍ରାଳୟର ମୁଖପାତ୍ରଙ୍କ ବିବୃତିରୁ ଉଦ୍ଧାର କରି ରିପୋର୍ଟ କରିଛି। ପ୍ରାଥମିକ ଗଣନାରୁ ଉପରୋକ୍ତ ତଥ୍ୟ ସଂଗ୍ରହ କରାଯାଇଛି ବୋଲି ମୁଖପାତ୍ରଜଣକ ସମ୍ବାଦ ସରବରାହ ସଂସ୍ଥାନ ‘ଏଏଫ୍‌ପି’କୁ କହିଥିଲେ। ମୃତ୍ୟୁସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି। ସୂଚାନାଯୋଗ୍ୟ, ମୋସୁଲ୍‌ ନଗରୀର ଠିକ୍‌ ବାହାରକୁ ଥିବା ହାମ୍‌ଦାନିୟା ଅଞ୍ଚଳ ହେଉଛି ଖ୍ରୀଷ୍ଟିଆନ୍‌ ବହୁଳ ଅଞ୍ଚଳ। ଘଟଣାସ୍ଥଳରୁ ଉତ୍ତୋଳିତ ହୋଇ ଟେଲିଭିଜନ୍‌ରେ ପ୍ରସାରିତ ହୋଇଥିବା ‘ଫୁଟେଜ୍‌’ରେ ଦେଖାଯାଉଛି ସମଗ୍ର ବିବାହ ହଲ୍‌ ବା ମଣ୍ଡପରେ ନିଆଁ ହୁତୁ ହୁତୁ ହୋଇ ଜଳୁଛି ଓ ତା’ପରେ ଅଙ୍ଗାର ହୋଇଯାଇଥିବା ଧାତବ ଉପକରଣ ଓ ଭଗ୍ନାଂଶ ଦେଖାଯାଉଛି। ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲ୍‌ମାନଙ୍କରେ ଭର୍ତ୍ତି କରାଯାଇ ବ୍ୟାଣ୍ଡେଜ୍‌ କରାଯିବା ସହିତ ଅକ୍ସିଜେନ୍‌ ଦିଆଯାଉଛି। ସ୍ବାସ୍ଥ୍ୟ ବିଭାଗର ମୁଖପାତ୍ର ସୈଫ୍‌ ଅଲ୍‌-ବଦର କହିଛନ୍ତି, ଏହି ଦୁଃଖଦ ଅଘଟଣରେ ପ୍ରଭାବିତ ସମସ୍ତ ଲୋକଙ୍କୁ ରିଲିଫ୍‌ ଯୋଗାଇ ଦେବାକୁ ସଥାସାଧ୍ୟ ଉଦ୍ୟମ ଚାଲିଛି। ପ୍ରଧାନମନ୍ତ୍ରୀ ମହମ୍ମଦ୍‌ ଶିଆ ଅଲ୍‌-ସୁଦାନି ଏହି ଅଗ୍ନିକାଣ୍ଡ ଘଟଣାର ତଦନ୍ତ ପାଇଁ ଆଦେଶ ଦେଇଛନ୍ତି। କିନ୍ତୁ, ନିଆଁ ଲାଗିବାର କାରଣ ସଂକ୍ରାନ୍ତରେ କୌଣସି ସରକାରୀ ରିପୋର୍ଟ ହସ୍ତଗତ ହୋଇନାହିଁ। କୁର୍ଦିଶ୍‌ ଟେଲିଭିଜନ୍‌ ନିଉଜ୍‌ ଚାନେଲ୍‌ ‘ରୁଦାଓ’ ରିପୋର୍ଟ କରିଛି ଯେ, ବିବାହସ୍ଥଳରେ ବାଣ ଫୁଟାଫୁଟି ଘଟଣାରୁ ଅଗ୍ନିକାଣ୍ଡ ଘଟିଥାଇ ପାରେ। ସେହିପରି, ‘ସିଭିଲ୍‌ ଡିଫେନ୍‌ସ୍‌’ ଅଧିକାରୀମାନଙ୍କ ବିବୃତିରୁ ଉଦ୍ଧାର କରି ‘ଇରାକୀ ନିଉଜ୍‌ ଏଜେନ୍‌ସି’ ରିପୋର୍ଟ କରିଛି ଯେ, ବିବାହ ମଣ୍ଡପର ବାହ୍ୟ ସାଜସଜ୍ଜା ଶସ୍ତା ଓ ଦହନଶୀଳ ସାମଗ୍ରୀରେ କରାଯାଇଥିଲା। ତେଣୁ, ଚାରିଆଡ଼କୁ ସହଜରେ ନିଆଁ ବ୍ୟାପିଗଲା ଓ ହଲ୍‌ର ‘ସିଲିଙ୍ଗ୍‌’ ଭୁଶୁଡ଼ି ପଡ଼ିଲା।

Breaking News