Report Card Odisha

| Daily Odia News

ବସ୍‌-ଯାତ୍ରୀବାହୀ ଅଟୋ ମୁହାଁମୁହିଁ ଧକ୍କା,୧୩ ମୃତ,୪ଆହତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ମଧ୍ୟପ୍ରଦେଶର ଗ୍ବାଲିୟରରେ ଆଜି ସକାଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବସ୍‌-ଯାତ୍ରୀବାହୀ ଅଟୋ ସହିତ ମୁହାଁମୁହିଁ ଧକ୍କା ହେବା ଯୋଗୁ ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ସ୍ଥାନୀୟ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ମୃତକଙ୍କ ମଧ୍ୟରେ ୧୦ ଜଣ ମହିଳା ଓ ଅଟୋ ରିକ୍ସା ଡ୍ରାଇଭର ଅଛନ୍ତି। ଏହି ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହ୍ବାନ ଗଭୀର ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାର ପାଇଁ ୪ ଲକ୍ଷ ଟଙ୍କା ଓ ଆହତଙ୍କ ଚିକିତ୍ସା ପାଇଁ ୫୦ ହଜାର ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ସୂଚନା ଅନୁସାରେ, ଗ୍ବାଲିୟରର ପୁରୁଣା ଛାଭନୀ ଥାନା ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ଅଙ୍ଗନୱାଡ଼ି କର୍ମୀ ଖାଦ୍ୟ ପ୍ରସ୍ତୁତ କରିବା ଲାଗି ଆସିଥିଲେ। କାମ ସରିବା ପରେ ସେମାନେ ୨ଟି ଅଟୋରେ ଘରକୁ ଫେରୁଥିଲେ। ରାସ୍ତାରେ ଗୋଟିଏ ଅଟୋ ଖରାପ ହୋଇଯାଇଥିଲା। ଫଳରେ ସମସ୍ତ ମହିଳା ଅନ୍ୟ ଅଟୋରେ ବସି ଘରକୁ ଯିବାକୁ ବାହାରିଥିଲେ। ଅଟୋ ଡ୍ରାଇଭର ଗାଡ଼ି ଷ୍ଟାର୍ଟ କରି ବାହାରିବା କ୍ଷଣି ସାମ୍ନା ପଟୁ ଆସୁଥିବା ଏକ ବସ୍‌ ତାହାକୁ ଧକ୍କା ଦେଇଥିଲା। ଦୁର୍ଘଟଣା ଯୋଗୁ ଅଟୋଟି ପୂରା ଚୂରମାର ହୋଇଯାଇଥିଲା। ଘଟଣାରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳ ୪ଜଣ ଗୁରୁତର ଆହତ ହୋଇଛନ୍ତି । ପୋଲିସ ଏହି ଘଟଣାରେ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ଜବତ କରି ତଦନ୍ତ ଚଳାଇଛି।

 

Breaking News