Report Card Odisha

| Daily Odia News

ସ୍ୱାଧୀନତା ଦିବସ ସମାରୋହରେ ଯୋଗଦେବେ ୧୮୦୦ ଅତିଥି……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ 

ଅଗଷ୍ଟ ୧୫ ତାରିଖରେ ଦେଶ ପାଳନ କରିବ ୭୭ତମ ସ୍ୱାଧୀନତା ଦିବସ। ଏ ନେଇ ନୂଆଦିଲ୍ଲୀରେ ହେବାକୁ ଥିବା ସ୍ୱାଧୀନତା ଦିବସ ସମାରୋହରେ ଦେଶର ବିଭିନ୍ନ ଅଂଚଳରୁ ୧ ୮୦୦ ଜଣ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେବେ। ନୂଆଦିଲ୍ଲୀର ଲାଲକିଲ୍ଲା ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ପତାକା ଉତ୍ତୋଳନ କରିବା ସହ ରାଷ୍ଟ୍ର ଉଦ୍ଦେଶ୍ୟରେ ଉଦବୋଧନ ଦେବେ। ଚଳିତ ବର୍ଷ ଭାରତ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ କରୁଥିବାରୁ ଏହି ସମାରୋହକୁ ଭାଇବ୍ରାଂଟ ଗ୍ରାମ ଯୋଜନାର ସରପଞ୍ଚ, ଶିକ୍ଷକ, ନର୍ସ, ମତ୍ସ୍ୟଜୀବୀ, ଚାଷୀ, ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପରେ କାର୍ଯ୍ୟ କରିଥିବା ଶ୍ରମଯୋଗୀ, ଖଦୀ ଶ୍ରମିକ, ଜାତୀୟ ପୁରସ୍କାର ବିଜେତା ଶିକ୍ଷକ, ସୀମା ସଡ଼କ ସଂଗଠନର ଶ୍ରମିକ, ବିଭିନ୍ନ ସରକାରୀ ଯୋଜନାର ହିତାଧିକାରୀ, ଅମୃତ ସରୋବର ପ୍ରକଳ୍ପ ଏବଂ ହର ଘର ଜଲ ପ୍ରକଳ୍ପରେ ସହାୟତା କରିଥିବା ଲୋକଙ୍କୁ ନିମନ୍ତ୍ରଣ କରାଯାଇଛି। ନିମନ୍ତ୍ରିତ ସ୍ୱତନ୍ତ୍ର ଅତିଥିମାନେ ସେମାନଙ୍କ ପତି ଓ ପତ୍ନୀଙ୍କ ସହ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏହି ସମାରୋହରେ ଓଡିଶାର ଦୁଇ ଜଣ ମତ୍ସ୍ୟଜୀବୀ ଗଂଜାମ ଜିଲ୍ଲା ଛତ୍ରପୁରର କାଣ୍ଡା ଆଲାୟା ଏବଂ କେ ସରସ୍ଵତୀଙ୍କୁ ଅଂଶଗ୍ରହଣ କରିବା ଲାଗି ନିମନ୍ତ୍ରଣ ମିଳିଛି। ଏଥି ସହ ଅମୃତ ସରୋବର ଯୋଜନାରେ ସହାୟତା କରିଥିବା ବଲାଙ୍ଗୀର ଜିଲ୍ଲାର ଯାଜ୍ଞସେନୀ ପଟେଲ, ଗଂଜାମର ସାବିତ୍ରୀ ଦାସ, କୋରାପୁଟର ଅକ୍ଷୟ କୁମାର ଜୟଫୁଲା ଓ କିସାନ ସମ୍ମାନନିଧି ଯୋଜନାର ହିତାଧିକାରୀ ନୂଆପଡା ଜିଲ୍ଲା କୋମନା ବ୍ଲକ ସୁନାବେଡାର ଯୁବରାଜ ଛତ୍ରିଆଙ୍କୁ ଏହି ସମାରୋହରେ ଯୋଗଦେବାକୁ ନିମନ୍ତ୍ରଣ ମିଳିଥିବା ଜଣାପଡିଛି।

Breaking News