Report Card Odisha

| Daily Odia News

ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆରମ୍ଭ ,୪ ଲୋକସଭା ସହ ୨୮ ବିଧାନସଭାରେ ମତଦାନ…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ଓଡିଶାରେ ପ୍ରଥମ ପର୍ଯ୍ୟାୟରେ ୪ ସଂସଦୀୟ କ୍ଷେତ୍ର କୋରାପୁଟ, ନବରଙ୍ଗପୁର , ବ୍ରହ୍ମପୁର , କଳାହାଣ୍ଡି ପାଇଁ ମତଦାନ ହେଉଛି। ୨୮ ବିଧାନସଭା କ୍ଷେତ୍ର ପାଇଁ ମଧ୍ୟ ଏକସଙ୍ଗେ ଭୋଟିଂ ହେଉଛି। ନିର୍ଦ୍ଧାରିତ ସମୟ ସକାଳ ୭ଟାରୁ ମତଦାନ ହୋଇଛି। ୬୨ ଲକ୍ଷ ୮୭ ହଜାର ଭୋଟର ମତଦାନ ସାବ୍ୟସ୍ତ କରୁଛନ୍ତି। ମାଓ ପ୍ରଭାବିତ ଅଞ୍ଚଳରେ ମତଦାନ ପାଇଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। କଳାହାଣ୍ଡି ଲୋକସଭା ଆସନ ଏବଂ ଏହା ଅନ୍ତର୍ଗତ ନୂଆପଡା, ଖରିଆର, ଲାଞ୍ଜିଗଡ, ଜୁନାଗଡ, ଧର୍ମଗଡ, ଭବାନୀପାଟଣା ଏବଂ ନର୍ଲା ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ କରାଯାଉଛି। ନବରଙ୍ଗପୁର ଲୋକସଭା ଆସନ ଏବଂ ଏହା ଅନ୍ତର୍ଗତ ଉମରକୋଟ, ଝରିଗାଁ, ନବରଙ୍ଗପୁର, ଡାବୁଗାଁ, କୋଟପାଡ, ମାଲକାନଗିରି ଏବଂ ଚିତ୍ରକୋଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ହେବ। ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଏବଂ ଏହା ଅନ୍ତର୍ଗତ ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି, ଚିକିଟି, ମୋହନା ଏବଂ ପାରଳାଖେମୁଣ୍ଡି ବିଧାନସଭା ଆସନ ପାଇଁ ଭୋଟ ନିଆଯାଉଛି। ସେହିପରି କୋରାପୁଟ ଲୋକସଭା ଆସନ ଏବଂ ଏହା ଅନ୍ତର୍ଗତ ଗୁଣୁପୁର, ବିଷମକଟକ, ରାୟଗଡା, ଲକ୍ଷ୍ମୀପୁର, ଜୟପୁର, କୋରାପୁଟ ଏବଂ ପଟ୍ଟାଙ୍ଗୀ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ହେଉଛି । କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଏବଂ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ପାଇଁ ମୋଟ ୩୭ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି। କୋରାପୁଟ, କଳାହାଣ୍ଡି ଓ ବ୍ରହ୍ମପୁର ଲୋକସଭା କ୍ଷେତ୍ର ପାଇଁ ୧୧ଜଣ ଲେଖାଏଁ ପ୍ରାର୍ଥୀ ଏବଂ ନବରଙ୍ଗପୁରରେ ୪ଜଣ ପ୍ରାର୍ଥୀ ରହିଛନ୍ତି। ଅନ୍ୟପଟେ ଝରିଗାଁ, ନବରଙ୍ଗପୁର ଏବଂ ଡାବୁଗାଁ ପାଇଁ ବିଧାନସଭା ଆସନ ପାଇଁ ସର୍ବନିମ୍ନ ୩ଜଣ ଲେଖାଏଁ ପ୍ରାର୍ଥୀ ନିର୍ବାଚନ ଲଢୁଥିବା ବେଳେ ବ୍ରହ୍ମପୁର ବିଧାନସଭା କ୍ଷେତ୍ର ପାଇଁ ସର୍ବାଧିକ ୧୭ ପ୍ରାର୍ଥୀ ରହିଛନ୍ତି। ଉକ୍ତ ପର୍ଯ୍ୟାୟରେ ମୋଟ ୭୩୦୩ ବୁଥରେ ୬୨ ଲକ୍ଷ ୮୭ ହଜାର ୨୨୨ ମତଦାତା ନିଜ ନିଜର ମତାଧିକାର ସାବ୍ୟସ୍ତ କରିବେ। ଏମାନଙ୍କ ମଧ୍ୟରେ ୩୦ ଲକ୍ଷ ୯୭ ହଜାର ୫୨୭ ପୁରୁଷ, ୩୧ ଲକ୍ଷ ୮୯ ହଜାର ୬୦ମହିଳା ଏବଂ ତୃତୀୟ ଲିଙ୍ଗୀ ଭୋଟର ୬୩୫ଜଣ ରହିଛନ୍ତି।

 

Breaking News