Report Card Odisha

| Daily Odia News

୨ ଆଇଏଏସଙ୍କ ଘରେ ସିବିଆଇ ରେଡ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଜମ୍ମୁ କଶ୍ମୀର ଏବଂ ଦିଲ୍ଲୀର ଦୁଇଜଣ ଆଇଏଏସ୍ ଅଧିକାରୀଙ୍କ ଘର ସମେତ ୪୦ ଟି ସ୍ଥାନରେ ସିବିଆଇର ଏକ ଟିମ୍ ଶନିବାର ରେଡ୍ କରିଛି। ବେଆଇନ୍ ବନ୍ଧୁକ ଲାଇସେନ୍ସ ମାମଲାରେ ଏହି ରେଡ୍ ହୋଇଛି। ଦିଲ୍ଲୀରେ ସିବିଆଇ ମୁଖପାତ୍ର କହିଛନ୍ତି ଯେ ଜମ୍ମୁ, ଶ୍ରୀନଗର, ଉଦାମପୁର, ରଜୌରୀ, ଅନନ୍ତନାଗ, ବରମୁଲ୍ଲା, ଦିଲ୍ଲୀ ସମେତ ପ୍ରାୟ ୪୦ଟି ସ୍ଥାନରେ ଏହି ରେଡ୍ ହୋଇଛି। ସେ କହିଛନ୍ତି ଯେ ପ୍ରାୟ ୪୦ଟି ଘରେ ରେଡ୍ ହୋଇଛି। ୨୦ଟି ଘରେ ବନ୍ଧୁକ ରଖାଯାଇଥିବା ସୂଚନା ରହିଛି। ସିବିଆଇର ଅନ୍ୟ ଜଣେ ଅଧିକାରୀ କହିଛନ୍ତି ଯେ ଶନିବାର ସକାଳୁ ଏହି ରେଡ୍ ଆରମ୍ଭ ହୋଇଛି। ଯେଉଁ ଦୁଇ ଆଇଏଏସ ଅଧିକାରୀଙ୍କ ଘରେ ସିବିଆଇ ରେଡ୍ କରିଛନ୍ତି ସେଥିମଧ୍ୟରୁ ଜଣେ ଶ୍ରୀନଗରର ପୂର୍ବତନ ଡେପୁଟି କମିଶନର ଶାହୀଦ ଇକବାଲ ଚୌଧୁରୀ ଏବଂ ଅନ୍ୟ ଜଣେ ଆଇଏଏସ୍ ଅଧିକାରୀ ନୀରଜ କୁମାର। ଜମ୍ମୁ କଶ୍ମୀରର ମିଶନ ୟୁଥର ସିଇଓ ଭାବରେ ଚୌଧୁରୀ ନିଯୁକ୍ତ ରହିଛନ୍ତି। ସେ ଏବେ କଠୁଆ, ରିଆସୀ, ରଜୋରୀ ଏବଂ ଉଧମପୁର ଜିଲ୍ଲାରେ ପ୍ରମୁଖ ପ୍ରଶାସନିକ ଅଧିକାରୀ ଭାବରେ କାମ କରିଛନ୍ତି। ଏହି ସମୟରେ ଅନେକ ଲୋକଙ୍କୁ ବେଆଇନ୍ ଭାବରେ ବନ୍ଧୁକ ଲାଇସେନ୍ସ ପ୍ରଦାନ କରିଥିବା ସୂଚନା ରହିଛି। ଏବେ ସିବିଆଇ ଏହି ମାମଲାରେ ଆଠ ଜଣ ପୂର୍ବ ଆଇଏଏସ ଅଧିକାରୀଙ୍କୁ ସ୍କାନରରେ ରଖିଥିବା ସୂଚନା ରହିଛି। ୨୦୧୨ ପରେ ଜମ୍ମୁ କଶ୍ମୀରରେ ୨ ଲକ୍ଷରୁ ଅଧିକ ବନ୍ଧୁକ ଲାଇସେନ୍ସ ବେଆଇନ୍ ଭାବରେ ଦିଆଯାଇଥିବା ସୂଚନା ରହିଛି। ଏହା ଭାରତର ସବୁଠାରୁ ବଡ ବେଆଇନ୍ ବନ୍ଧୁକ ରାକେଟ୍ ବୋଲି କୁହାଯାଉଛି। ଗତ ବର୍ଷ ଆଇଏଏସ ଅଧିକାରୀ ରାଜୀବ ରଞ୍ଜନ ସମେତ ଦୁଇ ଅଧିକାରୀଙ୍କୁ ସିବିଆଇ ଏହି ମାମଲାରେ ଗିରଫ କରିଥିଲା। ରଞ୍ଜନ ଏବଂ ଇତରତ ହୁସେନ ରଫିକି କୁପଓ୍ୱାଡା ଜିଲ୍ଲାରେ ନିଯୁକ୍ତ ଥିବା ବେଳେ ବେଆଇନ୍ ଭାବରେ ଅନେକଙ୍କୁ ବନ୍ଧୁକ ଲାଇସେନ୍ସ ଦେଇଥିବା ଜଣାପଡ଼ିଛି। ଗତବର୍ଷ ଫେବୃଆରୀ ଏହି ମାମଲାରେ ସିବିଆଇ ଜଣଙ୍କୁ ଗିରଫ କରିବା ପରେ ଏହି ବେଆଇନ୍ ବନ୍ଧୁକ ଲାଇସେନ୍ସ କାରବାରର ଗୁମର ଫିଟିଛି।

Breaking News