Report Card Odisha

| Daily Odia News

ଉଦ୍ଧାର ହେଲେ ଗଞ୍ଜାମରୁ ଅପହୃତ ଦୁଇ ଭାଇ…..

ରିପୋର୍ଟ କାର୍ଡ / ବ୍ରହ୍ମପୁର

ଗତକାଲି ରାତିରେ ବନ୍ଧୁକ ମୁନରେ ୨ ବ୍ୟବସାୟୀ ଭାଇଙ୍କୁ ଅପହରଣ ଘଟଣାରେ ନୂଆ ମୋଡ ସାମ୍ନାକୁ ଆସିଛି | ଅପହୃତ ହୋଇଥିବା ଦୁଇ ଭାଇଙ୍କୁ ପୋଲିସ ବିଶାଖାପାଟଣାର ଏକ ହୋଟେଲରୁ ଉଦ୍ଧାର କରିଛି | ତେବେ ଅପହରଣର କାରଣ ଅସ୍ପଷ୍ଟ ରହିଥିବାବେଳେ ଅପହରଣକାରୀମାନେ ସୁଦୂର କର୍ଣ୍ଣାଟକର ବେଙ୍ଗାଲୁରୁର ହୋଇଥିବା ସୂଚନା ମିଳିଛି | ପୋଲିସ ଏବେ ଏହି ଘଟଣାର ଅଧିକ ତଦନ୍ତ କରୁଛି | ସୂଚନା ଅନୁସାରେ- ଗତକାଲି ଗଞ୍ଜାମ ଥାନା ଅଧୀନ ପୁଇଁତୋଳ ଗ୍ରାମର କୃଷ୍ଣଚନ୍ଦ୍ର ସାହୁ ଓ ପଞ୍ଚାନନ ସାହୁ ଙ୍କୁ ଅପହରଣ କରାଯାଇଥିଲା । ଦୁଇ ଭାଇ ମିଶି ପୁଇଁତୋଳା ଛକରେ ଭେରାଇଟ୍ ଷ୍ଟୋର କରିଛନ୍ତି। ସବୁଦିନ ପରି ଉଭୟ ଗତକାଲି ଦୋକାନରେ ଥିଲେ। ରାତି ପ୍ରାୟ ୧୦. ୧୫ ବେଳକୁ ହଠାତ ଧଳା ଓ ନାଲି କାରରେ କିଛି ଦୁର୍ବୃତ୍ତ ତାଙ୍କ ଦୋକାନରେ ପହଞ୍ଚି ଉଭୟଙ୍କୁ ଧମକଚମକ ଦେବା ସହ ମୁଣ୍ଡରେ ବନ୍ଧୁକ ଲଗାଇ କାରରେ ଅପହରଣ କରି ନେଇଯାଇଥିଲେ | ସୂଚନା ପାଇ ସ୍ଥାନୀୟ ଅନ୍ୟ ଦୋକାନୀ ମାନେ ପୋଲିସ କୁ ଖବର ଦେଇଥିଲେ। ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା | ଆଜି ଦୁଇ ଭାଇଙ୍କୁ ବିଶାଖାପାଟଣାରୁ ପୋଲିସ ଉଦ୍ଧାର କରିଥିବା ଜଣାପଡିଛି |

Breaking News