ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ସେପ୍ଟେମ୍ବର ୧୭ରୁ ଆରମ୍ଭ ହୋଇଥିବା ‘ଭୋଟ ଚୋର, ଗାଦି ଛାଡ଼’ ଦସ୍ତଖତ ଅଭିଯାନ ତ୍ବରାନ୍ବିତ ହେବ। ଅକ୍ଟୋବର ୧୨ ସୁଦ୍ଧା ୧୫ରୁ ୨୦ଲକ୍ଷ ଦସ୍ତଖତ ସଂଗ୍ରହ କରାଯିବ ବୋଲି ପିସିସି ଗଣମାଧ୍ୟମ ସେଲ୍ ଅଧ୍ୟକ୍ଷ ଅରବିନ୍ଦ ଦାସ ପ୍ରକାଶ କରିଛନ୍ତି। ରବିବାର ମଧ୍ୟାହ୍ନରେ କଂଗ୍ରେସ ଭବନରେ ଗଣମାଧ୍ୟମକୁ ସେ କହିଥିଲେ, ଦେଶବ୍ୟାପୀ ଏହି କାର୍ଯ୍ୟକ୍ରମରେ ଘରକୁ ଘର ବୁଲି କଂଗ୍ରେସ ନେତା ଓ କର୍ମୀ ମୋଟ ୫ କୋଟି ଲୋକଙ୍କ ଦସ୍ତଖତ ସଂଗ୍ରହ କରିବେ। ଗଣତନ୍ତ୍ରର ସୁରକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଏହି ଦସ୍ତାବିଜ୍କୁ ଆସନ୍ତା ଅକ୍ଟୋବର ୧୫ ସୁଦ୍ଧା ରାଷ୍ଟ୍ରପତି ଓ ମୁଖ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ କଂଗ୍ରେସ ନେତୃବୃନ୍ଦ ଦାଖଲ କରିବେ। ଏହି କ୍ରମରେ ଓଡ଼ିଶାରେ ଆସନ୍ତା ଅକ୍ଟୋବର ୧୨ ସୁଦ୍ଧା ୨୦ ଲକ୍ଷ ଦସ୍ତଖତ ସଂଗ୍ରହ ହେବ। ଏଆଇସିସିର ଏହି କାର୍ଯ୍ୟକ୍ରମ ଚାଲିବା ଭିତରେ ଆସନ୍ତା ଅକ୍ଟୋବର ୨ରୁ ଓଡ଼ିଶାରେ ବର୍ଷବ୍ୟାପୀ ‘ଗାନ୍ଧୀ ପଥେ ଓଡ଼ିଶା’ ପଦଯାତ୍ରା ଆରମ୍ଭ ହେବ। ସେଦିନ ପିସିସି ସଭାପତି ଭକ୍ତ ଚରଣ ଦାସ ମାଲକାନଗିରିର ମୋଟୁରୁ ଏହି ପଦଯାତ୍ରାର ଶୁଭାରମ୍ଭ କରିବେ। ନାରୀ ନ୍ୟାୟ ଅଧିକାର ପାଇଁ ୩ ତାରିଖ ମଧ୍ୟ ପଦଯାତ୍ରାର ପ୍ରଥମ ଦଫା ଚାଲୁ ରହିବ। ନୂଆପଡ଼ା ଉପନିର୍ବାଚନ ପରେ ପଦଯାତ୍ରା ପୁଣି ଆରମ୍ଭ କରାଯିବ ବୋଲି ସେ କହିଛନ୍ତି। ରାଜ୍ୟର ପ୍ରତ୍ୟେକ ବ୍ଲକରେ ପର୍ଯ୍ୟାୟ କ୍ରମେ ଦିନକୁ ୧୫ରୁ ୨୦କି.ମି. ପଦଯାତ୍ରା ଆୟୋଜିତ ହେବ।
More Stories
କଟକରେ ଭାଙ୍ଗିଲା ତୋରଣ…..
ଗଭୀର ଅବପାତରେ ପରିଣତ ଲଘୁଚାପ,ପ୍ରବଳ ବର୍ଷିବ…..
ହାତୀଙ୍କ ପାଇଁ ଘର ତିଆରିବେ ସରକାର……