ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଚୀନ ରାଜଧାନୀ ବେଜିଂର ଏକ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ୨୧ ଜଣ ଜୀଅନ୍ତା ଜଳି ଯାଇଥିବା ବେଳେ ୭୧ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ବେଜିଂସ୍ଥିତ ଚାଙ୍ଗଫେଙ୍ଗ ହସ୍ପିଟାଲରେ ଗତକାଲି ମଧ୍ୟାହ୍ନ ସମୟରେ ନିଆଁ ବାହାରୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏହାପରେ ଖବର ପାଇ ତୁରନ୍ତ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା। ସେତେବେଳକୁ ନିଆଁ ହୁତୁହୁତୁ ହୋଇ ଜଳୁଥିବା ବେଳେ ପ୍ରାଣ ବିକଳରେ ଲୋକେ ନିଜ ରୋଗୀଙ୍କୁ ଧରି ଚାରିଆଡ଼େ ଦୌଡ଼ିବାକୁ ଲାଗୁଥିଲେ। କିଛି ଲୋକ ପ୍ରାଣ ବିକଳରେ ଉପରୁ ତଳକୁ ଡେଉଁଥିବା ବେଳେ ଆଉ କିଛି ଝରକା ବାହାରେ ଓହଳିଥିଲେ। ଅଗ୍ନିଶମ କର୍ମଚାରୀ ତୁରନ୍ତ ନିଆଁକୁ ଆୟତ୍ତ କରିବା ସହ ହସ୍ପିଟାଲରେ ଫସିଥିବା ଲୋକଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କରିଥିଲେ। ଅଗ୍ନିକାଣ୍ଡ ଯୋଗୁ ବହୁ ଜଣଙ୍କ ଶରୀର ପୋଡ଼ି ଯାଇଥିଲା। ତୁରନ୍ତ ସମସ୍ତଙ୍କୁ ନିକଟସ୍ଥ ମେଡିକାଲ ସ୍ଥାନାନ୍ତର କରାଯାଇଥିବା ବେଳେ ଡାକ୍ତର ସେଠାରେ ୨୧ ଜଣଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟମାନଙ୍କ ଚିକିତ୍ସା ଚାଲିଥିବା ବେଳେ ବହୁ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି। ତେଣୁ ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।






More Stories
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….
ଇରାନର ଗୁପ୍ତଚର ମୁଖ୍ୟ ନିହତ…..
ମଙ୍ଗଳବାର ଇରାନ୍ ପାଇଁ ଶେଷ ଦିନ !…..