Report Card Odisha

| Daily Odia News

ତୁଷାରପାତରେ ୨୧ ପର୍ଯ୍ୟଟକଙ୍କ ମୃତ୍ୟୁ,ରହିଛନ୍ତି ୯ ଶିଶୁ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପାକିସ୍ତାନ ଅନ୍ତର୍ଗତ ପ୍ରସିଦ୍ଧ ଶୈଳନିବାସ ମୁରୀରେ ପ୍ରବଳ ତୁଷାରପାତ ଯୋଗୁଁ ଶନିବାର ୨୨ ପର୍ଯ୍ୟଟକଙ୍କର ମୃତ୍ୟୁ ଘଟିଛି। ବରଫ ତଳେ ଫସି ଅଣ ନିଶ୍ୱାସୀ ହୋଇ ୨୧ ପର୍ଯ୍ୟଟକଙ୍କ ଜୀବନ ଚାଲିଯାଇଥିବା ଜଣାପଡ଼ିଛି । ଏଭଳି କିଛି ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି ପାକିସ୍ତାନର ରାୱଲପିଣ୍ଡି ସ୍ଥିତ ମୁରି ସହରରୁ । ପ୍ରବଳ ତୁଷାରପାତ କାରଣରୁ ପର୍ୟ୍ୟଟକ ମାନେ କାର୍ ଭିତରେ ଫସିଯାଇଥିଲେ । ତୁରନ୍ତ ଉଦ୍ଧାର ଅଭାବରୁ ଥଣ୍ଡା ଏବଂ ଶ୍ୱାସରୁଦ୍ଧ ହୋଇ କାର ଭିତରେ ଥିବା ଲୋକେ ମୃତ୍ୟୁ ବରଣ କରିଥିଲେ। ଏହି ଘଟଣାର ଅନେକ ଯନ୍ତ୍ରଣାଦାୟକ ଭିଡିଓ ସାମ୍ନାକୁ ଆସିଛି । ମୁରିରେ ରାସ୍ତାରେ ଫସିରହିିଥିବା ପ୍ରାୟ ହଜାରରୁ ଅଧିକ ଗାଡ଼ି ଉପରେ ବରଫର ମୋଟା ଆସ୍ତରଣ ଜମି ରହିଥିଲା । ଏହିପରି ଭାବେ କାରଗୁଡିକ ଘଣ୍ଟା ଘଣ୍ଟା ଧରି ବରଫରେ ପୋତି ରହିଥିଲା ଏବଂ ଲୋକମାନେ ଭିତରେ ବନ୍ଦ ହୋଇ ରହିଥିଲେ। ପ୍ରବଳ ଥଣ୍ଡା ଯୋଗୁଁ କାରରେ ବସିଥିବା ଲୋକମାନେ ସେଠାରେ ହିଁ ଜମି ଯାଇଥିଲେ। ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଏବଂ ଶିଶୁ ଅଛନ୍ତି । ପ୍ରାୟ ୧୧୦୦ ଲୋକଙ୍କୁ ବରଫ ଭିତରୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି। ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ରାସ୍ତା ଉପରେ କାର୍‌ଗୁଡିକ ଲମ୍ବା ଲାଇନ୍‌ରେ ଠିଆ ହୋଇ ବରଫ ଭିତରେ ପୋତି ରହିଛି । ଅନେକ ସ୍ଥାନରେ କାର୍‌ ଉପରେ ଗଛ ମଧ୍ୟ ଉପୁଡି ପଡିଛି, ଫଳରେ ଗାଡିଗୁଡିକ ଆଗକୁ ବଢ଼ିବା ମୁସ୍‌କିଲ ହୋଇପଡିଛି। ପରେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲେ। ତେବେ ବର୍ତ୍ତମାନ ସୁଦ୍ଧା ମୁରିରେ ବରଫ ବର୍ଷା ଜାରି ରହିଛି। ଲୋକେ ରାସ୍ତାରେ ଗାଡି ରଖି ଚାଲି ଚାଲି ସୁରକ୍ଷିତ ସ୍ଥାନକୁ ଯାଉଛନ୍ତି।

 

Breaking News