ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କେରଳର ମଲପ୍ପୁରମ୍ ଡବଲ-ଡେକର୍ ହାଉସ୍ବୋଟ୍ ଓଲଟି ବୁଡ଼ିଯିବାର ମୃତ୍ୟୁସଂଖ୍ୟା ୨୨କୁ ବୃଦ୍ଧି ପାଇଛି | ଏନେଇ ‘ରିଜିଓନାଲ୍ ଫାୟାର୍ ରେଞ୍ଜ୍ ଅଫିସର୍’ କହିଛନ୍ତି। ମୃତ ପର୍ଯ୍ୟଟକ ବା ଯାତ୍ରୀମାନଙ୍କ ମଧ୍ୟରେ ୭ଜଣ ପିଲା ଅଛନ୍ତି। ଉଲ୍ଲେଖଯୋଗ୍ୟ, ରବିବାର ସନ୍ଧ୍ୟା ବେଳେ କେରଳର ମଲପ୍ପୁରମ୍ ଅନ୍ତର୍ଗତ ତନୁର୍ ଉପକୂଳ ଅଞ୍ଚଳର ତୁବାଲତିରମ୍ ବେଳାଭୂମି ନିକଟରେ ପ୍ରାୟ ୪୦ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଗୋଟାଏ ଡବଲ-ଡେକର୍ ହାଉସ୍ବୋଟ୍ ଓଲଟିପଡ଼ି ବୁଡ଼ିଯିବାରୁ ଏହି ଅଘଟଣ ଘଟିଥିଲା। କେରଳ ମନ୍ତ୍ରୀ ଭି. ଅବ୍ଦୁରହିମାନ୍ଙ୍କ କହିବା ଅନୁସାରେ, ସମ୍ପ୍ରତି ମୃତ୍ୟୁସଂଖ୍ୟା ୨୨ ଥିବା ବେଳେ ଉଦ୍ଧାର କରାଯାଇଥିବା ଆଉ ୭ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ବୋଟ୍ ତଳେ ଅନେକ ଲୋକ ଫସି ରହିଯାଇଥିବା ମନେହେଉଛି। ଓଲଟିପଡ଼ି ବୁଡ଼ି ଯାଇଥିବା ହାଉସ୍ବୋଟ୍ଟିକୁ କୂଳକୁ ଆଣିବା ଲାଗି ଉଦ୍ୟମ କରାଯାଉଛି। ଅଗ୍ନିଶମ ବାହୀନି ଓ ସ୍ବେଚ୍ଛାସେବୀମାନଙ୍କ ସହାୟତାରେ ଉଦ୍ଧାର ଅଭିଯାନ ଚାଲିଛି। ଗତ ସନ୍ଧ୍ୟା ପ୍ରାୟ ୭ଟା ବେଳେ ଦୁର୍ଘଟଣା ଘଟିଥିଲେ ବି ବର୍ତ୍ତମାନ ପର୍ଯ୍ୟନ୍ତ ତାହାର ପ୍ରକୃତ କାରଣ ଜଣାପଡ଼ିନାହିଁ ବୋଲି ପୁଲିସ କହିଛି। ଗଣମାଧ୍ୟମକୁ ‘ରିଜିଓନାଲ୍ ଫାୟାର୍ ରେଞ୍ଜ୍ ଅଫିସର୍’ ଶିଜୁ କେ. କେ. କହିଛନ୍ତି, ଏପର୍ଯ୍ୟନ୍ତ ଆମେ ୨୨ଟି ଶବ ଉଦ୍ଧାର କରିଛୁ। ବୋଟ୍ରେ ଠିକ୍ କେତେ ସଂଖ୍ୟକ ଲୋକ ଥିଲେ ଆମେ ଜାଣିନାହୁଁ, ତେଣୁ କାଦୁଅ ଭିତରେ ଆହୁରି କିଛି ମୃତବ୍ୟକ୍ତି ଫସି ରହିଛନ୍ତି କି, ନାହିଁ ଖୋଜିବାକୁ ତଲାସ ଜାରି ରଖିଛୁ। ଗତ ମଧ୍ୟରାତ୍ରରେ କେରଳର ସ୍ବାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଜରୁରୀକାଳୀନ ବୈଠକ ଡକାଇ ଆହତମାନଙ୍କର ଉତ୍ତମ ଚିକିତ୍ସା ନିମନ୍ତେ ବ୍ୟବସ୍ଥା କରିବା ଓ ଶବ ବ୍ୟବଚ୍ଛେଦ ପ୍ରକ୍ରିୟା ତ୍ବରାନ୍ବିତ କରିବା ଲାଗି ନିର୍ଦେଶ ଦେଇଛନ୍ତି। ଆଜି ସକାଳ ୬ଟାରେ ଶବ ବ୍ୟବଚ୍ଛେଦ ଆରମ୍ଭ କରିବା ଲାଗି ମଧ୍ୟ ସେ କଡ଼ା ନିର୍ଦେଶ ଜାରି କରିଛନ୍ତି। ଗଣସଂହାର ପାଇଁ ଦାୟୀ କରାଯାଇ ଉକ୍ତ ବୋଟ୍ର ମାଲିକଙ୍କ ନାଁରେ ମାମଲା ରୁଜୁ କରାଯାଇଥିବା କଥା ପୁଲିସ କହିଛି।






More Stories
ଇସ୍ରାଏଲ ଗସ୍ତରେ ଯିବେ ମୋଦି…..
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..
ବଢ଼ିବ ଟୋଲ୍ ଟ୍ୟାକ୍ସ !…..