Report Card Odisha

| Daily Odia News

ପଶ୍ଚିମବଙ୍ଗର ୩୧ ଜଣ ନିଖୋଜ ଅଛନ୍ତି…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ବାଲେଶ୍ୱର ଜିଲ୍ଲା ବାହାନଗାରେ ଘଟିଥିବା ଟ୍ରେନ ଦୁର୍ଘଟଣାରେ ଆହତ ହୋଇ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ପଶ୍ଚିମବଙ୍ଗର ଲୋକଙ୍କୁ ଦେଖିବାକୁ ଆଜି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆସିଥିଲେ। କଟକ ପହଞ୍ଚିବା ପରେ ସେ କଡ଼ା ସୁରକ୍ଷା ବଳୟରେ ତାଙ୍କୁ ଏସସିବି ପରିସରକୁ ନିଆଯାଇଥିଲା ଆହତଙ୍କୁ ଭେଟି ଦ୍ରୁତ ଆରୋଗ୍ୟ କାମନା କରିଥିଲେ। ଚିକିତ୍ସକମାନଙ୍କ ସହିତ ମଧ୍ୟ ଆଲୋଚନା କରି ଚିକିତ୍ସା ସମ୍ପର୍କରେ ବୁଝିଥିଲେ। ପଶ୍ଚିମବଙ୍ଗର ୫୩ ଜଣ ଆହତ ବ୍ୟକ୍ତି ମାନେ କଟକ ବଡ଼ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ମମତା ବାନାର୍ଜୀ ପଶ୍ଚିମବଙ୍ଗର ଆହତମାନଙ୍କୁ ଭେଟି ମୃତ୍ୟୁ ହୋଇଥିବା ପରିବାରର ଜଣକୁ ଚାକିରିଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।  ମମତା ବାନାର୍ଜୀ ମଧ୍ୟାହ୍ନ ୨ ଟା ବେଳେ ଏକ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଭୁବନେଶ୍ୱରରୁ ବାହାରି କଟକ ରେଭେନ୍ସା ବିଶ୍ଵବିଦ୍ୟାଳୟର ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରିଥିଲେ। ତାଙ୍କୁ ଜେଡ୍ ପ୍ଲସ୍ ନିରାପତ୍ତା ଯୋଗାଇ ଦିଆଯାଇଥିଲା । ମେଡିକାଲର ବିଭିନ୍ନ ୱାର୍ଡରେ ଗସ୍ତ କରି ଦୁର୍ଘଟଣାରେ ଆହତମାନଙ୍କୁ ଭେଟିଥିଲେ । ଆହତମାନଙ୍କୁ ଭେଟି ଫେରିବା ବେଳେ ମମତା ଗଣମାଧ୍ୟମକୁ କହିଥିଲେ ଯେ ଦୁର୍ଘଟଣାଗ୍ରସ୍ତ ଟ୍ରେନରେ ଥିବା ତାଙ୍କ ରାଜ୍ୟର ୩୧ ଜଣ ଲୋକ ନିଖୋଜ ଅଛନ୍ତି। ସେମାନଙ୍କ ସଂପର୍କରେ କିଛି ସୂଚନା ମିଳୁନାହିଁ। ମମତା କହିଛନ୍ତି, ପଶ୍ଚିମବଙ୍ଗର ୧୦୩ ଜଣଙ୍କ ମୃତଦେହକୁ ଚିହ୍ନଟ କରାଯାଇଛି। ୮୭ଟି ମୃତଦେହ ପଶ୍ଚିମବଙ୍ଗରେ ପହଞ୍ଚି ସାରିଛି। ଓଡ଼ିଶାର ବିଭିନ୍ନ ମେଡିକାଲରେ ଏବେ ୯୭ ଜଣ ଚିକିତ୍ସାଧୀନ ଅଛନ୍ତି।

Breaking News