Report Card Odisha

| Daily Odia News

୪-୫ଟି ବୃହତ୍‌ ବ୍ୟାଙ୍କ ଆବଶ୍ୟକ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଭାରତକୁ ୪-୫ଟି ବୃହତ୍‌ ବ୍ୟାଙ୍କର ଆବଶ୍ୟକତା ରହିଛି। ଯାହାକି ଦେଶର ବର୍ଦ୍ଧିିତ ଚାହିଦା ପୂରଣ ଦିଗରେ ସହାୟକ ହୋଇପାରିବ। ମହାମାରୀ ପରବର୍ତ୍ତୀ ସମୟରେ ସୁଧାର ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବା ଦିଗରେ ଏହା ଯୋଗଦାନ ରଖିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ରବିବାର କହିଛନ୍ତି। ମୁମ୍ବାଇଠାରେ ଇଣ୍ଡିଆନ ବ୍ୟାଙ୍କ ଆସୋସିଏଶନର ୭୪ତମ ବାର୍ଷିକ ସାଧାରଣ ବୈଠକରେ ଉଦ୍‌ବୋଧନ ଦେଇ ସେ କହିଛନ୍ତି, ଶିଳ୍ପ କ୍ଷେତ୍ରର ଚାହିଦା ପୂରଣ କରିବା ଲାଗି ବ୍ୟାଙ୍କିଙ୍ଗ୍‌ କାରବାର ପରିସରକୁ ବଢ଼ାଇବା ଆବଶ୍ୟକ। ଦେଶର ପ୍ରତି ଅର୍ଥନୈତିକ ସେଣ୍ଟରଗୁଡ଼ିକରେ ବ୍ୟାଙ୍କର ଉପସ୍ଥିତି ତଥା ଡିଜିଟାଲ ବ୍ୟାଙ୍କିଙ୍ଗ୍‌ ସୁବିଧା ଯୋଗାଣ ନେଇ ସେ ଆହ୍ବାନ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ୨୦୧୯ରେ ସରକାର ବୃହତ୍‌ ବ୍ୟାଙ୍କ ମିଶ୍ରଣ ପ୍ରକ୍ରିୟା ହାତକୁ ନେଇଛନ୍ତି। ଏହା ଦ୍ୱାରା ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ସହ ଓରିଏଣ୍ଟାଲ ବ୍ୟାଙ୍କ ଅଫ୍‌ କମର୍ସ ଏବଂ ୟୁନାଇଟେଡ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ମିଶ୍ରଣ ହୋଇଛି। ଆଲ୍ଲାହାବାଦ ବ୍ୟାଙ୍କ ଇଣ୍ଡିଆନ ବ୍ୟାଙ୍କର ଅଂଶବିଶେଷ ହୋଇଛି। କାନାରା ବ୍ୟାଙ୍କ ସହ ସିଣ୍ଡିକେଟ ବ୍ୟାଙ୍କର ମିଶ୍ରଣ ହୋଇଥିବା ବେଳେ ୟୁନିୟନ ବ୍ୟାଙ୍କ ପରିସରକୁ ଆନ୍ଧ୍ର ବ୍ୟାଙ୍କ ଏବଂ କର୍ପୋରେଶନ ବ୍ୟାଙ୍କ ଆସିଛି। ଏହା ପୂର୍ବରୁ ଏସ୍‌ବିଆଇ ସହ ଏହାର ୫ ସହଯୋଗୀ ବ୍ୟାଙ୍କକୁ ମିଶ୍ରଣ କରାଯାଇଛି। ସେହିଭଳି ବିଜୟା ବ୍ୟାଙ୍କ ଏବଂ ଦେନା ବ୍ୟାଙ୍କକୁ ବ୍ୟାଙ୍କ ଅଫ୍‌ ବରୋଦା ସହ ମିଶ୍ରଣ କରାଯାଇଛି। ମହାମାରୀ ସମୟରେ ମଧ୍ୟ ବ୍ୟାଙ୍କ ମିଶ୍ରଣ କାର୍ଯ୍ୟ ସମ୍ପାଦନ ହୋଇଛି। ଏହାଦ୍ୱାରା ଗ୍ରାହକଙ୍କୁ କୌଣସି ସମସ୍ୟା ସାମ୍ନା କରିବାକୁ ପଡିନାହିଁ। ଏହି କାର୍ଯ୍ୟକୁ ସୀତାରାମନ ପ୍ରଶଂସା ଜଣାଇଛନ୍ତି। ଭବିଷ୍ୟତର ଆବଶ୍ୟକତାକୁ ନଜରରେ ରଖି ଡିଜିଟାଲ ଟେକ୍ନୋଲୋଜି ଉପରେ ଧ୍ୟାନ ଦେବାକୁ ସେ ମତ ରଖିଛନ୍ତି। ଦେଶର ୭.୫ ଲକ୍ଷ ଗ୍ରାମ ପଞ୍ଚାୟତରେ ଫାଇବର ଅପ୍ଟିକାଲ ନେଟଓ୍ବର୍କ ରହିଛି। ବ୍ୟାଙ୍କ ସେବା ଉପଲବ୍ଧ ନ ଥିବା ସ୍ଥାନଗୁଡିକ ଲାଗି ଏହା ବ୍ୟବହାର କରାଯାଇପାରିବ। ୨୦୩୦ ସୁଦ୍ଧା ୨ ଲକ୍ଷ କୋଟି ଡଲାର ରପ୍ତାନି ଲକ୍ଷ୍ୟ ଦିଗରେ ବ୍ୟାଙ୍କଗୁଡ଼ିକ ଯୋଗଦାନ ରଖିବାକୁ ହେବ।

Breaking News