ରିପୋର୍ଟ କାର୍ଡ / ଭୁବନେଶ୍ବର
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ନିଯୁକ୍ତି ପର୍ବରେ ୪୧୬୬ ମାଧ୍ୟମିକ ଶିକ୍ଷକ ନିଯୁକ୍ତିପତ୍ର ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | କହିଛନ୍ତି କି ଶିକ୍ଷା ପିଲାଙ୍କ ମଧ୍ୟରେ ମୌଳିକ ଜ୍ଞାନ ଓ ଦକ୍ଷତା ସୃଷ୍ଟି କରେ। ସେମାନଙ୍କ ମଧ୍ୟରେ ପ୍ରତିଯୋଗିତାମୂଳକ ମନୋଭାବ ସୃଷ୍ଟି ସହ ରୂପାନ୍ତରିତ ନାଗରିକରେ ପରିଣତ କରିବାରେ ସାହାଯ୍ୟ କରିଥାଏ। ତେଣୁ ଶିକ୍ଷକଙ୍କ ଲକ୍ଷ୍ୟ କେବଳ ଭଲ ଛାତ୍ର ନୁହେଁ, ଭଲ ମଣିଷ ସୃଷ୍ଟି କରିବା ସେମାନଙ୍କର ଲକ୍ଷ୍ୟ ହେବା ଆବଶ୍ୟକ। ଶିକ୍ଷାଦାନକୁ ଏକ ବୃତ୍ତି ବଦଳରେ ଭବିଷ୍ୟତ ପାଇଁ ଓଡ଼ିଶାକୁ ପ୍ରସ୍ତୁତ କରିବାର ଏକ ମିସନ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ଶିକ୍ଷା ଉପରେ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱାରୋପ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ୫-ଟି ଅଧୀନରେ ୬୮୮୩ଟି ହାଇସ୍କୁଲର ରୂପାନ୍ତରଣ କରାଯାଇଛି । ଏହାଦ୍ୱାରା ସ୍କୁଲର ଭିତ୍ତିଭୂମି ଓ ସାମଗ୍ରିକ ବାତାବରଣରେ ବିରାଟ ପରିବର୍ତ୍ତନ ଆସିଛି। ରାଜ୍ୟର ଶିକ୍ଷା ଦୃଶ୍ୟପଟ୍ଟରେ ରୂପାନ୍ତର ଆସିଥିବାରୁ ସରକାରୀ ସ୍କୁଲଗୁଡିକରେ ନାମଲେଖା ଯଥେଷ୍ଟ ବୃଦ୍ଧି ପାଇଛି। ଶିକ୍ଷା କ୍ଷେତ୍ରରେ ପ୍ରୋତ୍ସାହନ ପାଇଁ ରାଜ୍ୟ ସରକାର ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ଯୋଜନା ଆରମ୍ଭ କରିଛନ୍ତି। ଏଥିରେ ଶିକ୍ଷା ବ୍ୟବସ୍ଥାରେ ଜଡ଼ିତ ସମସ୍ତଙ୍କୁ ପୁରସ୍କାର ଦେବାର ବ୍ୟବସ୍ଥା ସହ ପ୍ରତି ବର୍ଷ ୧୩୮ କୋଟି ଟଙ୍କାର ବଜେଟ ବ୍ୟବସ୍ଥା ହୋଇଛି। ଏହି ପୁରସ୍କାର ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ, ସରକାରୀ ସ୍କୁଲ, ଗ୍ରାମ ପଞ୍ଚାୟତ, ସ୍କୁଲ ପରିଚାଳନା କମିଟି, ପୁରାତନ ଛାତ୍ରଛାତ୍ରୀ, ଜିଲ୍ଲା ଓ ବ୍ଲକସ୍ତରୀୟ ଶିକ୍ଷା ଅଧିକାରୀମାନଙ୍କୁ ଦିଆଯିବ। ନବନିଯୁକ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଲେ ଆପଣଙ୍କ ସଫଳତା ପଛରେ ପରିବାରର ସ୍ୱତନ୍ତ୍ର ଅବଦାନ ରହିଛି। ଛାତ୍ରଛାତ୍ରୀ ଯେପରି ବଡ଼ ସ୍ୱପ୍ନ ଦେଖିବେ ଓ ନିଜର ଲକ୍ଷ୍ୟ ହାସଲ କରିବାରେ ସଫଳ ହେବେ ସେଥିପାଇଁ ଉଦ୍ୟମ କରିବାକୁ ପଡ଼ିବ। ଏକ ବିଂଶ ଶତାବ୍ଦୀରେ ଏକ ନୂଆ ଓଡ଼ିଶା, ସଶକ୍ତ ଓଡ଼ିଶା ଗଠନରେ ଆପଣମାନଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିବ। ଆମ ଦେଶ, ଜାତି ଓ ସଂସ୍କୃତିକୁ ଭଲ ପାଇବା ସହ ଏଥିପାଇଁ ଗର୍ବ ଅନୁଭବ କରିବାକୁ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଦେବାକୁ ସେ ପରାମର୍ଶ ଦେଇଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି ନବନିଯୁକ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଉଦ୍ବୋଧନ ଦେଇ ସଶକ୍ତ ଓଡିଶା ସ୍ୱପ୍ନକୁ ସାକାର କରିବାକୁ ନିଷ୍ଠାର ସହ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରିବାକୁ ପରାମର୍ଶ ଦେଇଥିଲେ। ୫-ଟି ତଥା ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଯୋଗଦେଇ କହିଲେ ରାଜ୍ୟରେ ପିଲାଙ୍କର ଉଜ୍ଜଳ ଭବିଷ୍ୟତ ଗଠନ ଦାୟିତ୍ୱ ଆପଣମାନଙ୍କର। ବାପା ମା’ଙ୍କ ପରେ ଶିକ୍ଷକ ହେଉଛନ୍ତି ପିଲାଙ୍କ ରୋଲ୍ ମଡେଲ। ତେଣୁ ଆପଣମାନେ ପିଲାମାନଙ୍କ ପାଇଁ ସମସ୍ତ କ୍ଷେତ୍ରରେ ପ୍ରେରଣାଦାୟୀ ହୋଇ କାର୍ଯ୍ୟ କରିବାକୁ ସେ କହିଥିଲେ। ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଯୋଗଦେଇ ଶିକ୍ଷା ବ୍ୟବସ୍ଥାକୁ ସଶକ୍ତ କରିବା ଦିଗରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ।






More Stories
ଶୁଭାରମ୍ଭ ହେବ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା…..
ଆଜି ରାଷ୍ଟ୍ରପତିଙ୍କର ଓଡିଶା ଗସ୍ତର ଦ୍ଵିତୀୟ ଦିନ:ବିରଜା ମନ୍ଦିର ପରିଦର୍ଶନ…..
ଛାଡ଼ପତ୍ରପ୍ରାପ୍ତ ବିବାହିତ ଝିଅଙ୍କୁ ମିଳିବ…..