ରିପୋର୍ଟ କାର୍ଡ / ବ୍ରହ୍ମପୁର
ନିଜକୁ ମଧ୍ୟପ୍ରଦେଶର ଅତିରିକ୍ତ ପୋଲିସ ଡିଜି ବୋଲି ପରିଚୟ ଦେଇ ଆଇପିଏସ ଚାକିରି ଦେବା ନାଁରେ ପଶ୍ଚିମବଙ୍ଗର ଜଣେ ଯୁବକଙ୍କଠାରୁ ୪୬ ଲକ୍ଷ ଟଙ୍କା ଠକି ନେଇଥିବା ବ୍ରହ୍ମପୁର ଉପକଣ୍ଠ ଜଗଦଳପୁରର ଜଣେ ଯୁବକଙ୍କୁ ଗିରଫ କରାଯାଇଛି। ସୋମବାର ପଶ୍ଚିମବଙ୍ଗ ରାଜ୍ୟର ପୋଲିସ ବ୍ରହ୍ମପୁର ନିମଖଣ୍ଡି ଥାନା ପୋଲିସ ସହଯୋଗରେ ଲୋଚାପଡା ଶ୍ରୀମା ନଗରରେ ରହୁଥିବା ଜଗଦଳପୁରର ଯୁବକ ଜି. କାହ୍ନା ପାତ୍ରଙ୍କୁ ଗିରଫ କରି ୫ ଦିନିଆ ଟ୍ରାଞ୍ଜିଟ ରିମାଣ୍ଡରେ ନେଇଛି। ସୂଚନାପ୍ରକାରେ, ପଶ୍ଚିମବଙ୍ଗ ବୀରଭୁମ ଜିଲ୍ଲା ସୁରି ଥାନା ଅଞ୍ଚଳର ସାୟନ ଚକ୍ରବର୍ତ୍ତୀ ନାମକ ଜଣେ ଯୁବକଙ୍କ ମାଆ ସହ ଆଜକୁ ଦେଢ ବର୍ଷ ତଳେ ଅଭିଯୁକ୍ତ କାହ୍ନାଙ୍କ ଫେସବୁକରେ ପରିଚୟ ହୋଇଥିଲା। ଅଭିଯୁକ୍ତ କାହ୍ନା ନିଜକୁ ମଧ୍ୟପ୍ରଦେଶ କ୍ରାଇମବ୍ରାଞ୍ଚର ଅତିରିକ୍ତ ପୋଲିସ ଡିଜି ଭାବେ କାର୍ଯ୍ୟ କରୁଥିବା କହିଥିଲା । ଏପରିକି ମହିଳାଙ୍କ ପୁଅ ସାୟନ ଚକ୍ରବର୍ତ୍ତୀଙ୍କୁ ଆଇପିଏସ ଚାକିରି କରାଇଦେବ ବୋଲି ପ୍ରତିଶ୍ରୁତି ଦେଇଥିଲା । ତେବେ ଏଥିପାଇଁ ଲକ୍ଷାଧିକ ଟଙ୍କା ଲାଗିବ ବୋଲି କହିଥିଲେ। ମହିଳା ଜଣଙ୍କ ରାଜି ହେବା ସହ ନିଜ ପୁଅକୁ ଆଇପିଏସ କରାଇବାକୁ ଯାହା ଟଙ୍କା ଦରକାର ଦେବେ ବୋଲି କହିଥିଲେ। ୨୦୨୩ ଅଗଷ୍ଟ ୧୭ ତାରିଖରେ ଅଭିଯୁକ୍ତ କାହ୍ନା ଅଭିଯୋଗକାରୀ ସାୟନ ଚକ୍ରବର୍ତ୍ତୀଙ୍କୁ ହାୱଡା ରେଳଷ୍ଟେସନ ଏବଂ ପରେ କଲିକତାର ଏକ ହୋଟେଲକୁ ଡାକି ଫିଟନେସ ସାର୍ଟିଫିକେଟ ଆଦି ନେଇଥିଲା। ଏହି ଦେଢ ବର୍ଷ ଭିତରେ ସାୟନ ଚକ୍ରବର୍ତ୍ତୀ ଓ ତାଙ୍କ ମାଆଙ୍କ ଠାରୁ ଅଭିଯୁକ୍ତ କାହ୍ନା ୪୬ ଲକ୍ଷ ଟଙ୍କା ନେଇସାରିଥିଲା। ହେଲେ ଅନେକ ଦିନ ପରେ ଆଇପିଏସ ଚାକିରି ନମିଳିବାରୁ ସେ ଠକେଇର ଶିକାର ହୋଇଥିବା ଜାଣି ୨୦୨୪ ଅକ୍ଟୋବର ୧୦ ତାରିଖରେ ସୁରି ଥାନାରେ ଅଭିଯୋଗ କରିଥିଲେ। ତଦନ୍ତବେଳେ ଅଭିଯୁକ୍ତ କାହ୍ନା ବ୍ରହ୍ମପୁର ନିକଟ ଜଗଦଳପୁର ବ୍ରହ୍ମଣସାହିର ବାସିନ୍ଦା ହୋଇଥିବା ବେଳେ ସେ ଶ୍ରୀମାନଗରରେ ରହୁଥିବା ପୋଲିସ ଜାଣିବାକୁ ପାଇ ବ୍ରହ୍ମପୁରରେ ପହଞ୍ଚି କାହ୍ନାକୁ କାବୁ କରିବା ପରେ ବ୍ରହ୍ମପୁର କୋର୍ଟରେ ହାଜର କରି ୫ ଦିନିଆ ଟ୍ରାଞ୍ଜିଟ ରିମାଣ୍ଡ ଆବେଦନ କରିଥିଲେ। କୋର୍ଟ ରିମାଣ୍ଡ ମଞ୍ଜୁର କରିଥିବା ଜଣାପଡିଛି। ଅଭିଯୁକ୍ତ କାହ୍ନାକୁ ନେଇ ସେଠାକାର ବୀରଭୁମ ସିଜେଏମଙ୍କ କୋର୍ଟରେ ହାଜର କରିବ ବୋଲି ଜଣାପଡିଛି।






More Stories
ଜିଲ୍ଲା ଯୋଜନା ବୋର୍ଡ ପାଇଁ ଅଧ୍ୟକ୍ଷ ନିଯୁକ୍ତ…..
ରାଜ୍ୟରେ ଡିଜିଟାଲ୍ ଜନଗଣନା ଆରମ୍ଭ….
କ୍ଷମା ମାଗିଲେ ଦୁବେ:ବିଜୁବାବୁ ଷ୍ଟେଟସ୍ ମ୍ୟାନ୍ ଥିଲେ…..