Report Card Odisha

| Daily Odia News

ରୁଷ୍‌ର କ୍ଷେପଣାସ୍ତ୍ର ମାଡ଼ରେ ୟୁକ୍ରେନରେ ୫୧ ମୃତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ୟୁକ୍ରେନର ପୋଲଟଭା ପ୍ରଦେଶର ରାଜଧାନୀ ପୋଲଟଭା ସହରରେ ଆଜି ରୁଷ୍‌ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ମାଡ଼‌ କରିଛି। ଏଥିରେ ୫୧ ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ ୟୁକ୍ରେନର ସାମରିକ ଶିକ୍ଷା କେନ୍ଦ୍ର ଏବଂ ହସ୍ପିଟାଲ କ୍ଷତିଗ୍ରସ୍ତ ହୋଇଛି। ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଏ ସଂପର୍କରେ ଜାରି ବିବୃତିରେ କୁହାଯାଇଛି ଯେ ୨ଟି ରୁଷୀୟ ବାଲିଷ୍ଟିକ କ୍ଷେପଣାସ୍ତ୍ରରୁ ଗୋଟିଏ ହସ୍ପିଟାଲ୍‌ ଏବଂ ଅନ୍ୟଟି ଏକ ସାମରିକ ଶିକ୍ଷା ‌କେନ୍ଦ୍ର ଉପରେ ମାଡ଼ ହୋଇଛି। ସାଇରନ୍‌ ବାଜିବାର ଏତେ କମ୍‌ ସମୟ ଭିତରେ କ୍ଷେପଣାସ୍ତ୍ର ମାଡ଼ ହୋଇଥିଲା ଯେ ଲୋକମାନଙ୍କୁ ବୋମା ଆଶ୍ରୟସ୍ଥଳୀକୁ ନିଆଯାଇ ପାରି ନଥିଲା। ଅନେକ ଲୋକ ଭଗ୍ନାବଶେଷ ତଳେ ଫସି ରହିଛନ୍ତି। କିଛି ଲୋକଙ୍କୁ ଉଦ୍ଧାର କରାଯାଇଥିବାବେଳେ ୨୧୯ ଲୋକ ଆହତ ହୋଇଛନ୍ତି। ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି କହିଛନ୍ତି, ରୁଷ୍‌ର କ୍ଷେପଣାସ୍ତ୍ର ମାଡ଼ରେ ଏଯାବତ୍‌ ୫୧ ଜଣଙ୍କ ମୃତ୍ୟୁ ହୋଇଥିବା ଆମେ ଜାଣିଛୁ। ଶୋକ ସନ୍ତପ୍ତ ପରିବାର ସଦସ୍ୟଙ୍କୁ ରାଷ୍ଟ୍ରପତି ଜେଲେନସ୍କି ସମବେଦନା ଜଣାଇଛନ୍ତି। ତେବେ ରୁଷ୍‌କୁ ଏହି ଆକ୍ରମଣ ପାଇଁ ବହୁମୂଲ୍ୟ ଦେବାକୁ ପଡ଼ିବ ବୋଲି ଜେଲେନସ୍କି କହିଛନ୍ତି। ଏହା ଆତଙ୍କବାଦୀ ଆକ୍ରମଣ ବୋଲି ସେ ମତ ଦେଇଛନ୍ତି। ତେବେ ଆମେ ଲଗାତାର ସମସ୍ତଙ୍କୁ ଅନୁରୋଧ କରୁଛୁ ଯେ ଯାହାର କ୍ଷମତା ଅଛି ସେମାନେ ଯୁଦ୍ଧ ବନ୍ଦ କରନ୍ତୁ। ୟୁକ୍ରେନକୁ ଏବେ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଏବଂ କ୍ଷେପଣାସ୍ତ୍ରର ଆବଶ୍ୟକତା ରହିଛି। ରୁଷ୍‌ କବଳରୁ ଆମକୁ ସୁରକ୍ଷା ଦେବାପାଇଁ ଦୂରଗାମୀ ଆକ୍ରମଣ କରୁଥିବା କ୍ଷେପଣାସ୍ତ୍ରର ଆବଶ୍ୟକତା ରହିଛି। ବିଳମ୍ବ ହେବାଦ୍ବାରା ଦୁର୍ଭାଗ୍ୟବଶତଃ ଅଧିକରୁ ଅଧିକ ଜୀବନ ଚାଲିଯାଉଛି ବୋଲି ରାଷ୍ଟ୍ରପତି କହିଛନ୍ତି। ଯୁଦ୍ଧ ଆରମ୍ଭରୁ ହୋଇଥିବା କେତେକ ଭୟଙ୍କର ଆକ୍ରମଣ ମଧ୍ୟରୁ ଏହା ଅନ୍ୟତମ ବୋଲି ଜେଲେନସ୍କି କହିଛନ୍ତି। ରୁଷ୍‌ କ୍ଷେପଣାସ୍ତ୍ର ମାଡ଼ରେ ୫୧ ଜଣ ଲୋକଙ୍କ ଜୀବନ ଯାଇଥିବାବେଳେ ୨୧୯ ଲୋକ ଆହତ ହୋଇଥିବାରୁ ପୋଲଟଭା ଗଭର୍ଣ୍ଣର ଫିଲିପ ପ୍ରୋନିନ ୩ ଦିନିଆ ଶୋକ ଘୋଷଣା କରିଛନ୍ତି। ଏହା ବୁଧବାରଠାରୁ ଆରମ୍ଭ ହେବ। ପୋଲଟଭା ୟୁକ୍ରେନ ରାଜଧାନୀ କିବ୍‌ର ଦକ୍ଷିଣପୂର୍ବରେ ପ୍ରାୟ ୩୫୦ କିମି ଦୂରରେ ଅବସ୍ଥିତ। କିବ୍‌ ସହିତ ଖାରକିଭକୁ ସଂଯୋଗ କରିବା ଲାଗି ଏଠାରେ ଉଭୟ ସଡ଼କ ଓ ରେଳ ଜଙ୍କସନ ରହିଛି।

Breaking News