Report Card Odisha

| Daily Odia News

ସ୍ୱନକ୍ଷତ୍ର ଉତ୍ସବରେ ୬୬୨ବର୍ଗ କଲେଜ ସଂଘର ଶପଥ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଭୁବନେଶ୍ୱର ବୁଦ୍ଧ ମନ୍ଦିର ପରିସରରେ ୬୬୨ ବର୍ଗ କଲେଜ ସଂଘ ତା’ର ୨୩ତମ ସ୍ୱନକ୍ଷତ୍ର ଦିବସ ପାଳନ କରିଛି । ୨୦୦୪ ମସିହାରୁ ଆରମ୍ଭ ହୋଇଥିବା ଏହି ସଂଘ ଶିକ୍ଷା ବ୍ୟବସ୍ଥାକୁ ବଞ୍ଚାଇ ରଖିବା ପାଇଁ ଅହରହ ଉଦ୍ୟମ କରି ଆସିଛି । ଆନ୍ଦୋଳନ ଫଳରେ ସରକାର ୬୬୨ କଲେଜ ଗୁଡ଼ିକୁ ଅନୁଦାନ ପରିସରଭୁକ୍ତ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏହି ବର୍ଗର କର୍ମଚାରୀମାନଙ୍କୁ ଚାକିରୀ ସର୍ତ୍ତାବଳୀ ସହ ପେନସନ୍ ପରିସରଭୁକ୍ତ କରାଗଲା ନାହିଁ । ପେନସନ୍ ପାଇଁ ସଂଘ ଦୀର୍ଘ ଦିନରୁ ଆନ୍ଦୋଳନ କରୁଥିଲେ ମଧ୍ୟ ସରକାର ନିଦା ବିଷ୍ଣୁ ସାଜି ବସିଛନ୍ତି । କେତେବେଳେ ପ୍ରତିଶ୍ରୁତି ତ ଆଉ କେତେବେଳେ କମିଟି ଗଠନ କରି ବସି ପଡୁଛନ୍ତି । ପେନ୍‌ସନ ବ୍ୟବସ୍ଥା କରିବା ପାଇଁ ସରକାର ଗଢ଼ିଥିବା ଉଚ୍ଚସ୍ତରୀୟ କମିଟିର କାର୍ଯ୍ୟକାଳ ଛଅ ମାସ ପୁରଣ ହୋଇଥିଲେ ମଧ୍ୟ ସରକାରଙ୍କ ଘୋଷଣାନାମା ନାଲି ଫିତା ତଳେ ଚାପି ହୋଇଯାଇଛି । ମାନ୍ୟବର ଉଚ୍ଚ ନ୍ୟାୟାଳୟ ଓ ଉଚ୍ଚତମ ନ୍ୟାୟାଳୟ ବିଭିନ୍ନ ସମୟରେ ଏହି ଦାବି ଯୁକ୍ତି ଯୁକ୍ତ କହି ରାୟ ପ୍ରଦାନ କରିଥିଲେ ମଧ୍ୟ ସରକାରଙ୍କ ଉଦାସୀନତା ସମସ୍ତଙ୍କୁ ବ୍ୟଥିତ କରିଛି । ଏହାମଧ୍ୟରେ ଅନେକ କର୍ମଚାରୀ ଅବସର ନେଇ ହାଅନ୍ନ ଚିତ୍କାର କରୁଥିବାବେଳେ ପ୍ରାୟ ୨୦୨୭ ମସିହା ଶେଷ ବେଳକୁ ପ୍ରାୟ ୮୦ ଭାଗ କର୍ମଚାରୀ ଅବସର ନେଇଯିବେ । ଏ ସବୁ ଅନୁଷ୍ଠାନରେ ସରକାର ପୁନଃ ନିଯୁକ୍ତି ବ୍ୟବସ୍ଥା ମଧ୍ୟ କଲେ ନାହିଁ । ଯାହାଫଳରେ ଆଉ ବର୍ଷେ ଦୁଇ ବର୍ଷ ମଧ୍ୟରେ ଉଚ୍ଚ ଶିକ୍ଷା ବ୍ୟବସ୍ଥା ସ୍ଥାଣୁ ପାଲଟି ଯିବ ବୋଲି ସଂଘ ଚେତାଇ ଦେଇଛି । ଏହି ସମସ୍ୟାକୁ ଛାଡ଼ି ଅନ୍ୟାନ୍ୟ ଦାବି ଯଥା ଅନୁଦାନରୁ କାର୍ଯ୍ୟରତ କର୍ମଚାରୀମାନଙ୍କୁ ଅନୁଦାନ ପରିସରଭୁକ୍ତ କରିବା, ଚାକିରୀର ବୟସ ସୀମା ୬୦ ରୁ ୬୨ବର୍ଷକୁ ବୃଦ୍ଧି, ପ୍ରମୋସନ ଇତ୍ୟାଦି ବିଷୟ ସଂଘ ବିଭିନ୍ନ ସମୟରେ ଦାବି କରି ଆସୁଥିଲେ ମଧ୍ୟ ସରକାର ସବୁ ଜାଣି ନଜାଣିବାର ଅଭିନୟ କରୁଛନ୍ତି । ସବୁଠାରୁ ଦୁଃଖ ଓ ପରିତାପର ବିଷୟ ଏ ପର୍ଯ୍ୟନ୍ତ ସରକାର ବିଧିବଦ୍ଧ ଭାବେ ସଂଘ ସହିତ ଆଲୋଚନା ମଧ୍ୟ କରୁନାହାଁନ୍ତି । ମାନ୍ୟବର ମନ୍ତ୍ରୀ ସବୁ ଜାଣିଛନ୍ତି କହି ଆଲୋଚନାକୁ ଟାଳି ଦେଉଛନ୍ତି । ସରକାର ଦୁଇ ବର୍ଷ ପୁର୍ତ୍ତୀ ପାଳନ କରି ସାରିବା ପରେ ମଧ୍ୟ ଗୋଟିଏ ଦାବି ଏ ପର୍ଯ୍ୟନ୍ତ ପୁରଣ ହେଉନାହିଁ । ଧର୍ଯ୍ୟର ସବୁ ସୀମା ଅତିକ୍ରମ କରିବା ପରେ ସଂଘ ଆଗାମୀ ଜୁଲାଇ ମାସ ୨୪ ଓ ୨୫ ତାରିଖରେ ଦୁଇ ଦିନିଆ ରାଜ୍ୟସ୍ତରୀୟ ଧର୍ମଘଟ ଓ ବିକ୍ଷୋଭ ଭୁବନେଶ୍ୱର ସ୍ଥିତ ଗାନ୍ଧୀ ମାର୍ଗ ଠାରେ ଆୟୋଜନ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ଶିକ୍ଷାମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରିବ ବୋଲି ସ୍ଥିର କରିଛି । ଯଦି ସରକାର ଜୁଲାଇ ମାସ ମଧ୍ୟରେ କିଛି ନିଷ୍ପତ୍ତି ନନିଅନ୍ତି ତେବେ ଅଗଷ୍ଟ ମାସ ୯ତାରିଖ କ୍ରାନ୍ତୀ ଦିବସରୁ ସବୁ ସ୍କୁଲ, କଲେଜ ବନ୍ଦ କରି ଅନିର୍ଦ୍ଧିଷ୍ଟକାଳ ପର୍ଯ୍ୟନ୍ତ ଲୋୟର ପି.ଏମ୍‌.ଜିରେ ଲଢ଼େଇ କରିବା ବୋଲି ସଂଘର ରାଜ୍ୟ ସଭାପତି ଗୋଲକ ନାୟକ, ଦୁଇ ସମ୍ପାଦକ ସତ୍ତାପ ଉଦ୍ଦିନ ଅହମ୍ମଦ, ଡ଼ଃ. ଗଗନ ବେଉରା, ରଞ୍ଜନ ପ୍ରଧାନ, ଡଃ. ତପନ ଜେନା, ଡ଼ଃ ଜ୍ୟୋସ୍ନା ବସ୍ତିଆ, ଅଶୋକ ପୁରୋହିତ ଙ୍କ ସମେତ ୩୦ ଜିଲ୍ଲାର ସଭାପତି, ସମ୍ପାଦକ, ସମ୍ପାଦକମାନେ ଆଜି ସ୍ୱନକ୍ଷତ୍ର ଉତ୍ସବରେ ସରକାରଙ୍କୁ ଚେତାବନୀ ଦେଇଛନ୍ତି ।

Breaking News