ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ ସୋମବାର ୬୭ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିତରଣ ସମାରୋହରେ ଉପରାଷ୍ଟ୍ରପତି ଏମ୍. ଭେଙ୍କିୟାନାଇଡ଼ୁ ୩ ଓଡ଼ିଆ ଚଳଚ୍ଚିତ୍ରକୁ ପୁରସ୍କୃତ କରିଛନ୍ତି। ଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଆଞ୍ଚଳିକ ଭାଷାର ଶ୍ରେଷ୍ଠ ଚଳଚ୍ଚିତ୍ର ବର୍ଗରେ ଡ. ସବ୍ୟସାଚୀ ମହାପାତ୍ରଙ୍କ ନିର୍ଦ୍ଦେଶିତ ‘ଶଲାବୁଢ଼ାର ବଦଲା’ ଏବଂ ନୀଳମାଧବ ପଣ୍ଡାଙ୍କ ନିର୍ଦ୍ଦେଶିତ ‘କାଲିର ଅତୀତ’କୁ ଉପରାଷ୍ଟ୍ରପତି ପୁରସ୍କୃତ କରିଥିଲେ। ଉଭୟ ଚଳଚ୍ଚିତ୍ରର ପ୍ରଯୋଜକ ଓ ନିର୍ଦ୍ଦେଶକଙ୍କୁ ରଜତ କମଳ ସହିତ ଲକ୍ଷେ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା। ସେହିପରି ‘ଅଣ ଫିଚର୍’ ବର୍ଗରେ ଶ୍ରେଷ୍ଠ କଳାସଂସ୍କୃତି ଚଳଚ୍ଚିତ୍ର ଭାବେ ‘ଶ୍ରୀକ୍ଷେତ୍ରରୁ ସାହି ଯାତ’କୁ ମଧ୍ୟ ପୁରସ୍କୃତ କରାଯାଇଛି। ପୁରସ୍କାର ଗ୍ରହଣ କରିଥିଲେ ଏହାର ପ୍ରଯୋଜକ ଓ ନିର୍ଦ୍ଦେଶକ ଆଶୁତୋଷ ପଟ୍ଟନାୟକ। ପୁରସ୍କାର ବାବଦରେ ଶ୍ରୀ ପଟ୍ଟନାୟକଙ୍କୁ ରଜତ କମଳ ଓ ୫୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର, କେନ୍ଦ୍ର ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡ. ଏଲ୍. ମୁରୁଗନ ଓ କେନ୍ଦ୍ର ସୂଚନା ଓ ପ୍ରସାରଣ ସଚିବ ଅପୂର୍ବ ଚନ୍ଦ୍ରଙ୍କ ସହ ସିନେମା ଜଗତର ବହୁ ନାମୀଦାମୀ ବ୍ୟକ୍ତି ଉପସ୍ଥିତ ଥିଲେ।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..