ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପାର୍ଲାମେଣ୍ଟ୍ ସୁରକ୍ଷା ତ୍ରୁଟି ଘଟଣାରେ ଜେରା କରିବା ଲାଗି ବେଙ୍ଗାଲୁରୁରେ ପୋଲିସ ଅଟକ ରଖିଥିବା ଇଞ୍ଜିନିୟର୍ଜଣକ ହେଉଛନ୍ତି କର୍ଣ୍ଣାଟକର ଜଣେ ଅବସରପ୍ରାପ୍ତ ଡେପୁଟି ପୋଲିସ ସୁପରିଣ୍ଟେଣ୍ଡେଣ୍ଟ୍ଙ୍କ ପୁଅ। ସାଇ କୃଷ୍ଣ ନାମକ ସେ ଇଞ୍ଜିନିୟର୍ ହେଉଛନ୍ତି ଡିସେମ୍ବର ୧୩ ତାରିଖ ଦିନ ପାର୍ଲାମେଣ୍ଟ୍ରେ ପ୍ରବେଶ କରି କେନିଷ୍ଟର୍ରୁ ହଳଦିଆ ଧୂଆଁ ଛାଡ଼ିଥିବା ଅନ୍ୟତମ ଅଭିଯୁକ୍ତ ମନୋରଞ୍ଜନ ଡି.ଙ୍କର ବନ୍ଧୁ। ତାଙ୍କର ବାପା କର୍ଣ୍ଣାଟକର ବାଗଲକୋଟ୍ର ଡେପୁଟି ପୋଲିସ ସୁପରିଣ୍ଟେଣ୍ଡେଣ୍ଟ୍ ଥିଲେ। ସାଇ କୃଷ୍ଣ ଓ ମନୋରଞ୍ଜନ ଥିଲେ ବେଙ୍ଗାଲୁରୁସ୍ଥିତ ଏକ ଇଞ୍ଜିନିୟରିଙ୍ଗ୍ କଲେଜର ‘ବ୍ୟାଚ୍ମେଟ୍’। ବାଗଲକୋଟ୍ସ୍ଥିତ ବାସଭବନରେ ଥାଇ କାମ କରୁଥିବା ସାଇ କୃଷ୍ଣଙ୍କୁ ବୁଧବାର ରାତି ୧୦ଟାରେ ଦିଲ୍ଲୀ ପୋଲିସ ଅଟକ ରଖିଥିଲା। ଜେରା ପାଇଁ ତାଙ୍କୁ ଦିଲ୍ଲୀ ଅଣାଯାଉଛି। ଏହାଛଡ଼ା, ବୁଧବାର ଦିନ ଉତ୍ତର ପ୍ରଦେଶର ଜଲୌନ୍ରେ ପୋଲିସ ଅଟକ ରଖିଥିବା ଆଉ ଜଣେ ବ୍ୟକ୍ତି ହେଉଛନ୍ତି ଅତୁଲ କୁଳଶ୍ରେଷ୍ଠ। ପ୍ରାରମ୍ଭିକ ଅନୁସନ୍ଧାନରୁ ଜଣାପଡ଼ିଛି ‘ବଚ୍ଚା’ ନାମରେ ସୁପରିଚିତ ଅତୁଲ ନାଁରେ ଆଗରୁ ଅପରାଧିକ ରେକର୍ଡ କିଂବା ରାଜନୀତି ସହିତ ସମ୍ପର୍କ ନାହିଁ। କିନ୍ତୁ, ଛାତ୍ର ଜୀବନରେ ସେ ସହିଦ ଭଗତ ସିଂହଙ୍କ ଆଦର୍ଶ ପ୍ରତି ଖୁବ୍ ଅନୁରକ୍ତ ଥିଲେ। ସେ ‘ଭଗତ ସିଂହ ଫ୍ୟାନ୍ସ୍ କ୍ଲବ୍’ର ବୈଠକ ପାଇଁ ଆୟୋଜନ କରୁଥିଲେ ଏବଂ କୃଷକ ଆନ୍ଦୋଳନରେ ବି ସେ ଭୂମିକା ନେଇଥିଲେ। ପାର୍ଲାମେଣ୍ଟ୍ରେ ପ୍ରବେଶ କରିଥିବା ବ୍ୟକ୍ତିମାନଙ୍କ ସହିତ ‘ଫେସ୍ବୁକ୍’ରେ ଚାଟିଙ୍ଗ୍ କରିଥିବା କାରଣରୁ ଜେରା କରିବା ଲାଗି ଅତୁଲଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି।






More Stories
EV କିଣୁଥିବା ଗ୍ରାହକ ଖୁସି!…..
ଏପ୍ରିଲରୁ ନୂଆ ଆୟକର ନିୟମ…..
ଦେଶରେ ସଂସ୍କାର ଏକ୍ସପ୍ରେସ୍ ଆରମ୍ଭ…..