ରିପୋର୍ଟ କାର୍ଡ / ଭୁବନେଶ୍ୱର
ଉଚ୍ଚ ବିଦ୍ୟାଳୟସ୍ତରରେ ଜାନୁଆରୀ ୧୬ ତାରିଖରୁ ୨୦ ତାରିଖ ମଧ୍ୟରେ ଏବଂ ପ୍ରାଥମିକ ବିଦ୍ୟାଳୟସ୍ତରରେ ଫବୃଆରୀ ୩ ତାରିଖରୁ ୫ ତାରିଖ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ଭାଷା ସାହିତ୍ୟ ଏବଂ ସୃଜନଶୀଳତା ଉତ୍ସବ । ଛାତ୍ରଛାତ୍ରୀମାନେ ନିଜ ପ୍ରତିଭାର ବିକାଶ କରିବା ସହିତ ଓଡି଼ଆ ଭାଷାରେ କିପରି ନିଜକୁ ଶ୍ରେଷ୍ଠ କରିଗଢି଼ ତୋଳିବେ ସେଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଆଯାଉଛି ଅଭିନବ ପଦକ୍ଷେପ । ନିଜ ଅଞ୍ଚଳର ଭାଷା ଏବଂ ମନର ଭାବନାକୁ ଛାତ୍ରଛାତ୍ରୀମାନେ ପୁସ୍ତକ ଆକାରରେ ପ୍ରକାଶ କରିବେ । ରାଜ୍ୟର ସମସ୍ତ ପ୍ରାଥମିକ ବିଦ୍ୟାଳୟ ସହିତ ସମସ୍ତ ସରକାରୀ ଏବଂ ସରକାରୀ ଅନୁଦାନ ପ୍ରାପ୍ତ ଉଚ୍ଚ ବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସମ୍ବଲପୁରୀ, କୁଇ, ସାନ୍ତାଳୀ ଦେଶୀଆ ଭଳି ବିଭିନ୍ନ ଆଞ୍ଚଳିକ ଭାଷାରେ ଛାତ୍ରଛାତ୍ରୀମାନେ ‘ମୋ କଥା ମୋ କାହାଣୀ’ ନାମରେ ଏକ ପୁସ୍ତକ ରଚନା କରିବା ସହିତ ବିଦ୍ୟାଳୟ ସ୍ତରୀୟ ପୁସ୍ତକ ମେଳାରେ ଏହାର ପ୍ରଦର୍ଶନ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟର ଉଚ୍ଚ ବିଦ୍ୟାଳୟଗୁଡି଼କରେ ଆକାଂକ୍ଷୀ ପାଠ୍ୟକ୍ରମ ଆଧୀନରେ ପ୍ରଚଳିତ କ୍ଲବ ସିଷ୍ଟମ ଜରିଆରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପୁରାତନ ଛାତ୍ରଛାତ୍ରୀ ଏବଂ ଅଭିଭାବକମାନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯିବ । ଓଡି଼ଆ ଭାଷାର କିମ୍ବଦନ୍ତୀ ଲେଖକମାନଙ୍କ ଦ୍ୱାରା ଲିଖିତ ପୁସ୍ତକ, ଗଦ୍ୟ, କାବ୍ୟ, କବିତା ଏବଂ ଉପନ୍ୟାସକୁ ପଠନ କରିପାରିବେ । ସେହିପରି ବିଦ୍ୟାଳୟ ରୂପାନ୍ତରଣ ସହିତ ବର୍ଷର ଚର୍ଚ୍ଚିତ ଘଟଣାବଳୀକୁ ନେଇ କୌଶଳୀ କ୍ଲବର ଶିକ୍ଷାର୍ଥୀମାନେ ସ୍କ୍ରାଚ୍ ପ୍ରକଳ୍ପ ପ୍ରଦର୍ଶନ କରିବେ । ଏହା ବ୍ୟତୀତ ସ୍ଥାନୀୟ ଲୋକକଥା, ଲୋକଗୀତ, ଲୋକନୃତ୍ୟକୁ ନେଇ ଆନିମେସନ୍ କାହାଣୀ ପ୍ରଦର୍ଶନ କରାଯିବ । କ୍ରୀଡ଼ାଙ୍ଗନ କ୍ଲବର ଛାତ୍ରଛାତ୍ରୀମାନେ ସେମାନେ ଦେଖିଥିବା ଜୀବନ କୌଶଳ ପ୍ରଦର୍ଶନ କରିବା ସହିତ ନିଜ ଅନୁଭୂତି ସମ୍ପର୍କରେ ମତାମତ ରଖିବେ । ଜିଜ୍ଞାସା କ୍ଲବ ଅଧୀନରେ ବିଭିନ୍ନ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନ କରାଯିବ । ଛାତ୍ରଛାତ୍ରୀମାନେ ନିଜ ଆଞ୍ଚଳିକ ଭାଷାରେ ସ୍ଥାନୀୟ ସଂସ୍କୃତି, ଇତିହାସ, ଜଳବାୟୁ ପରିବର୍ତ୍ତନ, ପରିବେଶ, ବର୍ଜ୍ୟବସ୍ତୁର ପରିଚାଳନା ଓ ପୁନଃ ବ୍ୟବହାର ଉପରେ ପ୍ରକଳ୍ପ କରିବେ । ଫେବୃଆରୀ ୩ ତାରିଖରୁ ୫ ତାରିଖ ଯାଏ ‘ବିଶ୍ୱ ଓଡି଼ଆ ଭାଷା ସମ୍ମିଳନୀ’ ଅନୁଷ୍ଠିତ ହେଉଥିବା ବେଳେ ଛାତ୍ରଛାତ୍ରୀମାନଙ୍କୁ ଏଥିପ୍ରତି ଆକୃଷ୍ଟ କରିବା ପାଇଁ ପ୍ରାଥମିକ ବିଦ୍ୟାଳୟ ସ୍ତରରେ ଫେବୃଆରୀ ୩ତାରିଖ ଦିନ କାର୍ଯ୍ୟକ୍ରମମାନ ଆୟୋଜନ କରାଯିବାର ଯୋଜନା କରାଯାଇଛି । ଫେବୃଆରୀ ୪ ତାରିଖ ଓ ୫ ତାରିଖରେ ପ୍ରାଥମିକ ବିଦ୍ୟାଳୟରେ ବ୍ଲକସ୍ତରୀୟ ଓ ଜିଲ୍ଲାସ୍ତରୀୟ ଛାତ୍ରଛାତ୍ରୀଙ୍କ ଦ୍ଵାରା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଉପରେ କାର୍ଯ୍ୟକ୍ରମ କରାଯିବାର ବ୍ୟବସ୍ଥା କରାଯାଇଛି। ଅପରାହ୍ଣରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହିତ ବର୍ଷର ଶ୍ରେଷ୍ଠ ହାଉସ ଏବଂ ଅନ୍ୟାନ୍ୟ ପୁରସ୍କାର ଅତିଥିମାନଙ୍କ ଦ୍ବାରା ପ୍ରଦାନ କରାଯିବର କାର୍ଯ୍ୟକ୍ରମ ରହିଛି।






More Stories
ଗଡ଼ିବ ୨୫୦ ନୂଆ ୧୦୮ ଆମ୍ବୁଲାନ୍ସ…..
୧୨ରେ ପାଚିକା-ସହାୟିକାଙ୍କ ଧର୍ମଘଟ…..
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..