Report Card Odisha

| Daily Odia News

ଲେବାନନ ଉପରେ ଇସ୍ରାଏଲର ଆକ୍ରମଣ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଇସ୍ରାଏଲ-ହମାସ ଯୁଦ୍ଧ ଚାରି ମାସ ହେବ ଜାରି ରହିଛି। ଗାଜା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଅକ୍ଟୋବର ୭ରେ ଇସ୍ରାଏଲ ସହ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଅଧିକୃତ ପାଲେଷ୍ଟାଇନ ଅଞ୍ଚଳରେ ଅତି କମ୍‌ରେ ୨୩,୦୮୪ ଲୋକ ପ୍ରାଣ ହରାଇଥିବା ବେଳେ ୫୮,୯୨୬ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ୨୪୯ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ମନ୍ତ୍ରଣାଳୟ ପ୍ରକାଶ କରିଛି। ସୋମବାର ଦକ୍ଷିଣ ଲେବାନନ୍ ଉପରେ ଇସ୍ରାଏଲର ଆକ୍ରମଣରେ ହେଜବୁଲ୍ଲାର ଏଲିଟ୍ ରାଦ୍ୱାନ୍ ଫୋର୍ସର ଜଣେ ବରିଷ୍ଠ କମାଣ୍ଡର ନିହତ ହୋଇଛି ବୋଲି ଜଣାପଡ଼ିଛି। ହମାସକୁ ସମର୍ଥନ କରି ଲେବାନନ ଆଡ଼ୁ ସୀମାପାର ବୋମାମାଡ଼ ଆରମ୍ଭ ହେବା ପରେ ଇସ୍ରାଏଲର ପ୍ରତିଆକ୍ରମଣରେ ଦକ୍ଷିଣ ଲେବାନନରେ ହେଜବୁଲ୍ଲା ଆତଙ୍କବାଦୀ ସଂଗଠନର ୧୩୦ରୁ ଅଧିକ ସଦସ୍ୟ ପ୍ରାଣ ହରାଇଲେଣି। ଇସ୍ରାଏଲ ସେନା ଦକ୍ଷିଣ ଗାଜାରେ ଅତି କମ୍‌ରେ ୧୦ ଜଣ ପାଲେଷ୍ଟାଇନ ଲଢୁଆଙ୍କୁ ନିହତ କରିଛି ଏବଂ ହମାସଶାସିତ କେନ୍ଦ୍ରୀୟ ଅଂଚଳରେ ଅପରେସନ କରି ଅସ୍ତ୍ରଶସ୍ତ୍ର ଭଣ୍ଡାର ଉପରେ ବୋମା ମାଡ଼ କରିବା ସହ ଏକ ସୁଡ଼ଙ୍ଗ ଶାଫ୍ଟ ଠାବ କରିଛି। ଖାନ ୟୁନିସରେ ଏହି ଲଢୁଆମାନଙ୍କ ଉପରେ ଆକ୍ରମଣ ହୋଇଥିଲା, ଯେଉଁଠାରେ ଇସ୍ରାଏଲ ସେନା ୩୦ଟି ଗୁରୁତ୍ୱପୂର୍ଣ୍ଣ ଆତଙ୍କବାଦୀ ଟାର୍ଗେଟ ଉପରେ ଆକ୍ରମଣ କରିଥିଲା। ଅଲ୍ ଜଜିରା କହିଛି ଯେ ଗାଜାରେ ଏହାର ଦୁଇ ଜଣ ପାଲେଷ୍ଟାଇନ୍ ସାମ୍ବାଦିକ ଇସ୍ରାଏଲର ‘ଟାର୍ଗେଟ୍’ ଆକ୍ରମଣରେ ପ୍ରାଣ ହରାଇଛନ୍ତି। ୱେଷ୍ଟବ୍ୟାଙ୍କରେ ପାଲେଷ୍ଟାଇନକୁ ସୁରକ୍ଷା ଦେବା ଇସ୍ରାଏଲର କର୍ତ୍ତବ୍ୟ ବୋଲି ଜର୍ମାନ ବୈଦେଶିକ ମନ୍ତ୍ରୀ ଆନାଲେନା ବେର୍ବକ୍ ସୋମବାର ରାମାଲ୍ଲାରେ କହିଛନ୍ତି। ଇସ୍ରାଏଲ ସେନା ଅଧିକୃତ ୱେଷ୍ଟବ୍ୟାଙ୍କରେ ୬ ଜଣ ପାଲେଷ୍ଟିନୀୟଙ୍କୁ ହତ୍ୟା କରିଛି ବୋଲି ପାଲେଷ୍ଟାଇନ୍ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିବା ପରେ ସେ ଏଭଳି ମନ୍ତବ୍ୟ ଦେଇଛନ୍ତି। ଏହି ହିଂସାକାଣ୍ଡରେ ଜଣେ ଇସ୍ରାଏଲ ସୈନିକଙ୍କ ମୃତ୍ୟୁ ହୋଇଥିବା ଜନୈକ ଇସ୍ରାଏଲ ଅଧିକାରୀ କହିଛନ୍ତି। ଇଟାଲୀର ବୈଦେଶିକ ମନ୍ତ୍ରୀ ଆଣ୍ଟୋନିଓ ତାଜାନି ସୋମବାର କହିଛନ୍ତି ଯେ, ଜି-୭ ଦେଶଗୁଡ଼ିକ ଗାଜାରେ ପାଲେଷ୍ଟାଇନର ବେସାମରିକ କ୍ଷୟକ୍ଷତିକୁ ସୀମିତ କରିବାକୁ ଚେଷ୍ଟା କରିବା ଏବଂ ଇସ୍ରାଏଲ ଉପରେ ଏହାର ସାମରିକ ଅଭିଯାନ ବନ୍ଦ କରିବାକୁ ଚାପ ପକାଇବା ଆବଶ୍ୟକ। ଇଟାଲୀ ଜି୭ର ଏକବର୍ଷିଆ ଅଧ୍ୟକ୍ଷତା ଆରମ୍ଭ କରୁଥିବା ବେଳେ ଏକ ବିବୃତିରେ ତାଜାନି କହିଛନ୍ତି, ସାମରିକ ପର୍ଯ୍ୟାୟରୁ ଶୀଘ୍ର ବାହାରିବା ପାଇଁ ଜି-୭ ଦେଶଗୁଡ଼ିକ ଇସ୍ରାଏଲ ସରକାରଙ୍କ ସହ ମିଶି କାମ କରୁଛନ୍ତି। ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସମ୍ପୂର୍ଣ୍ଣ ବିଜୟ ପର୍ଯ୍ୟନ୍ତ ଯୁଦ୍ଧ ଚାଲିବ ବୋଲି କହିଛନ୍ତି।

Breaking News