ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଜନଜାତି ନ୍ୟାୟ ମହା ଅଭିଯାନ ଅଧୀନରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ (ପିଏମ୍ଏୱାଇ-ଜି)ର ୧ ଲକ୍ଷ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ପ୍ରଦାନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ପିଏମ୍-ଜନମନର ହିତାଧିକାରୀମାନଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। ମୋଦୀ କ୍ରୀଡ଼ା ପ୍ରତି ଆଗ୍ରହ ବିଷୟରେ ପଚାରି ବୁଝିବା ସହ ଭିଡ଼ ମଧ୍ୟରେ ଥିବା ଆଗ୍ରହୀ ମହିଳା ଓ ଯୁବତୀଙ୍କୁ ହାତ ଟେକିବାକୁ କହିଥିଲେ। ସେ କ୍ରୀଡ଼ା ଉପରେ ଗୁରୁତ୍ୱାରୋପ କରିବା ସହ କହିଛନ୍ତି ଯେ ସାମ୍ପ୍ରତିକ ସମୟରେ ଅଧିକାଂଶ କ୍ରୀଡ଼ା ପୁରସ୍କାର ଜନଜାତି ସମ୍ପ୍ରଦାୟର କ୍ରୀଡାବିତ୍ମାନେ ପାଉଛନ୍ତି। ଜନସାଧାରଣଙ୍କ ଅଂଶଗ୍ରହଣ ଅଧିକ ହେଲେ ସରକାରୀ ଯୋଜନାର ପ୍ରଭାବ ବହୁଗୁଣିତ ହୋଇଯାଏ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ପିଏମ୍ – ଜନମନ ମହା ଅଭିଯାନର ଲକ୍ଷ୍ୟ ହେଉଛି ସରକାରୀ ଯୋଜନା ମାଧ୍ୟମରେ ଜନଜାତି ସମ୍ପ୍ରଦାୟର ପ୍ରତ୍ୟେକ ସଦସ୍ୟଙ୍କୁ ଉପକୃତ କରିବା। ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଅବସରରେ ପିଏମ୍ – ଜନମନର ଉଦ୍ଘାଟନ ସମୟର ଆହ୍ୱାନକୁ ମନେ ପକାଇ ପ୍ରଧାନମନ୍ତ୍ରୀ ଦେଶର ଦୁର୍ଗମ, ଅତି ଦୁର୍ଗମ ଏବଂ ସୀମାବର୍ତ୍ତୀ ଅଂଚଳରେ ଏହାର ଲାଭ ପହଞ୍ଚାଇବାରେ ଯେଉଁ ଅସୁବିଧା ରହିଥିଲା ସେ ବିଷୟରେ ଉଲ୍ଲେଖ କରିଥିଲେ। ବର୍ତ୍ତମାନର ସରକାର ହିଁ ଏହି ବିରାଟ ଦାୟିତ୍ୱ ଗ୍ରହଣ କରି ଦୂଷିତ ପାଣି, ବିଜୁଳି ସଂଯୋଗ, ଗ୍ୟାସ ସଂଯୋଗ ନ ମିଳିବା, ରାସ୍ତା ଓ ଯୋଗାଯୋଗର ଅଭାବ ଭଳି ଆହ୍ୱାନ ଉପରେ ଆଲୋକପାତ କରିଥିଲେ। ଏହି ଯୋଜନାକୁ କାହିଁକି ଜନମନ କୁହାଗଲା ସେ ବିଷୟରେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଥିଲେ, ‘ଜନ’ ର ଅର୍ଥ ହେଉଛି ଜନତା ଏବଂ ‘ମନ’ ର ଅର୍ଥ ହେଉଛି ସେମାନଙ୍କର ‘ମନ୍ କି ବାତ୍’ ବା ସେମାନଙ୍କ ଆଭ୍ୟନ୍ତରୀଣ ସ୍ୱର। ପ୍ରଧାନମନ୍ତ୍ରୀ – ଜନମନ ମେଗା ଅଭିଯାନ ପାଇଁ ସରକାର ୨୩,୦୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା କରୁଥିବାରୁ ଜନଜାତି ସମ୍ପ୍ରଦାୟର ସମସ୍ତ ଇଚ୍ଛା ଏବେ ପୂରଣ ହେବ ବୋଲି ସେ ଦୋହରାଇଛନ୍ତି। ସମାଜରେ କେହି ପଛରେ ନ ରହିଲେ ହିଁ ଦେଶର ବିକାଶ ହୋଇ ପାରିବ ଏବଂ ସରକାରୀ ଯୋଜନାଗୁଡିକର ଲାଭ ସମସ୍ତଙ୍କ ପାଖରେ ପହଞ୍ଚି ପାରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଦେଶର ପ୍ରାୟ ୧୯୦ଟି ଜିଲ୍ଲାରେ ସବୁଠାରୁ ପଛୁଆ ଜନଜାତି ସମ୍ପ୍ରଦାୟ ବସବାସ କରନ୍ତି ବୋଲି ସୂଚନା ଦେଇ ପ୍ରଧାନମନ୍ତ୍ରୀ ଦୁଇ ମାସ ମଧ୍ୟରେ ୮୦,୦୦୦ରୁ ଅଧିକ ଆୟୁଷ୍ମାନ କାର୍ଡ ବଣ୍ଟନ କରିବାକୁ ସରକାରଙ୍କ ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ। ସେହିଭଳି ଅତ୍ୟନ୍ତ ପଛୁଆ ଜନଜାତି ସମ୍ପ୍ରଦାୟର ପ୍ରାୟ ୩୦,୦୦୦ କୃଷକଙ୍କୁ ସରକାର ପିଏମ୍ କିଷାନ ସମ୍ମାନ ନିଧି ସହ ଯୋଡ଼ିଛନ୍ତି ଏବଂ ଏଭଳି ୪୦,୦୦୦ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟ ଖୋଲାଯାଇଛି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ୩୦,୦୦୦ରୁ ଅଧିକ ଗରିବ ଲୋକଙ୍କୁ କିଷାନ କ୍ରେଡିଟ୍ କାର୍ଡ ପ୍ରଦାନ କରାଯାଇଛି ଏବଂ ଜଙ୍ଗଲ ଅଧିକାର ଆଇନ ଅଧୀନରେ ପ୍ରାୟ ୧୧,୦୦୦ ଲୋକଙ୍କୁ ଜମି ଲିଜ୍ ଦିଆଯାଇଛି। ସେ ଦର୍ଶାଇଛନ୍ତି ଯେ ଏହା ମାତ୍ର କିଛି ସପ୍ତାହର ଅଗ୍ରଗତି ଏବଂ ଏହି ସଂଖ୍ୟା ପ୍ରତିଦିନ ବୃଦ୍ଧି ପାଉଛି। ମୁଁ ଆପଣ ସମସ୍ତଙ୍କୁ ଏଥିପାଇଁ ଆଶ୍ୱାସନା ଦେଉଛି ଏବଂ ଏହା ମୋଦୀଙ୍କ ଗ୍ୟାରେଣ୍ଟି। ଆପଣ ଜାଣନ୍ତି ଯେ ମୋଦୀଙ୍କ ଗ୍ୟାରେଣ୍ଟି ଅର୍ଥ କାର୍ଯ୍ୟ ପୂରଣ ହେବାର ଗ୍ୟାରେଣ୍ଟି ବୋଲି ସେ କହିଥିଲେ।





More Stories
ଗର୍ଲଫ୍ରେଣ୍ଡକୁ ସୁଟକେଶରେ ପୁରାଇ ଦେଲେ…..
ଆରାବଳୀକୁ କାହାକୁ ଛୁଇଁବାକୁ ଦେବୁ ନାହିଁ……
ଏକା ପାରିବେନି କଳିକେଶ…..