Report Card Odisha

| Daily Odia News

‘ନୂଆ ମେୟର ନିର୍ବାଚନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବୁ’…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଚଣ୍ଡିଗଡ଼ ମେୟର ନିର୍ବାଚନ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଛନ୍ତି ଆପ୍‌ ନେତା ରାଘବ ଚଢ଼ା | କହିଛନ୍ତି ଯେ ସେମାନେ ପୁଣି ଥରେ ନିର୍ବାଚନ ପାଇଁ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବେ। ଉଲ୍ଲେଖଯୋଗ୍ୟ, ଚଣ୍ଡିଗଡ଼ ମେୟର ନିର୍ବାଚନରେ କଂଗ୍ରେସ-ଆପ୍‌ ମେଣ୍ଟକୁ ପରାସ୍ତ କରି ମେୟରଙ୍କ ସମେତ ତିନିଟି ଯାକ ପଦବୀରେ ବିଜୟୀ ହୋଇଛି ବିଜେପି। ‘ମେୟର ନିର୍ବାଚନ ପ୍ରକ୍ରିୟା କେବଳ ଅସାମ୍ବିଧାନିକ ଓ ବେଆଇନ ନୁହେଁ ବରଂ ନିର୍ବାଚନରେ ପରାଜୟ ନିଶ୍ଚିତ ବୋଲି ଜାଣିବା ବିଜେପି ଏହି ନିର୍ବାଚନକୁ ଜିତିବା ପାଇଁ ଷଡ଼ଯନ୍ତ୍ର କରିଛି ବୋଲି ଶ୍ରୀ ଚଢ଼ା ଅଭିଯୋଗ କରିବା ସହ ଏହି ଘଟଣା ଦେଶଦ୍ରୋହ ମଧ୍ୟ ବୋଲି କହିଛନ୍ତି। ଆପ୍‌ ସାଂସଦ କହିଛନ୍ତି ଯେ ଏନେଇ ସେମାନେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବେ, ନୂତନ ନିର୍ବାଚନ ଏବଂ ପ୍ରିଜାଇଡିଂ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିବେ। ଆଜି ଚଣ୍ଡିଗଡ଼ ମେୟର ନିର୍ବାଚନରେ ଆମେ ଯାହା ଦେଖିଲୁ ତାହା କେବଳ ଅସାମ୍ବିଧାନିକ ଓ ବେଆଇନ ନୁହେଁ ବରଂ ଏହା ଦେଶଦ୍ରୋହୀ କାର୍ଯ୍ୟ ବୋଲି ସେ କହିଛନ୍ତି। ଶ୍ରୀ ଚଢ଼ା ଏଠାରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଅଭିଯୋଗ କରିଛନ୍ତି। ୩୫ ଆସନ ବିଶିଷ୍ଟ ଚଣ୍ଡିଗଡ଼ ମ୍ୟୁନିସିପାଲ କର୍ପୋରେସନ ହାଉସରେ ଆପ୍‌-କଂଗ୍ରେସ ମେଣ୍ଟ ୨୦ଟି ଭୋଟ୍‌ ପାଇଥିବାରୁ ଚଣ୍ଡିଗଡ଼ ମେୟର ନିର୍ବାଚନରେ ଆପ୍‌-କଂଗ୍ରେସ ମେଣ୍ଟ ବିଜୟୀ ହେବା ନିଶ୍ଚିତ ବୋଲି ସେ କହିଛନ୍ତି। ଆମ ମେଣ୍ଟର ବିଜୟ ନିଶ୍ଚିତ ଥିଲା। କିନ୍ତୁ, ନିଶ୍ଚିତ ପରାଜୟରୁ ବଞ୍ଚିବା ପାଇଁ ବିଜେପି ଷଡ୍‌ଯନ୍ତ୍ର କରିଥିଲା। ପ୍ରଥମେ ଜାନୁଆରି ୧୮ ତାରିଖରେ ନିର୍ବାଚନ କରାଇବାକୁ ଥିବା ପ୍ରିଜାଇଡିଂ ଅଫିସର ଅସୁସ୍ଥ ହୋଇପଡ଼ିଥିଲେ। ଏହାପରେ ଆପ୍‌ର କାଉନସିଲରଙ୍କୁ କିଣିବାକୁ ଚେଷ୍ଟା କରାଯାଇଥିଲା। କିନ୍ତୁ, ଯେତେବେଳେ ବିଜେପିର ‘ଅପରେସନ୍‌ ପଦ୍ମ’ ବିଫଳ ହୋଇଥିଲା, ସେତେବେଳେ ସେମାନେ (ମେୟର ନିର୍ବାଚନରେ) ଜାଲିଆତି କରିଥିଲେ। ଆପ୍‌ ନେତା ଆହୁରି ଅଭିଯୋଗ କରିଛନ୍ତି ଯେ ପ୍ରିଜାଇଡିଂ ଅଫିସର ନିଜେ କିଛି ବାଲଟ୍‌ ପେପରରେ ତାଙ୍କ କଲମ ବ୍ୟବହାର କରିଥିଲେ ଏବଂ ଗଣତି ସମୟରେ ଏହାକୁ ଅବୈଧ ଘୋଷଣା କରିଥିଲେ। ସାଂସଦ କହିଛନ୍ତି ଯେ ତାଙ୍କ ଦଳ ମଙ୍ଗଳବାରର ନିର୍ବାଚନୀ ଜାଲିଆତିକୁ ଖାରଜ କରିବା, ପୁନର୍ବାର ନିର୍ବାଚନ ପାଇଁ ଆଦେଶ ଦେବା ଏବଂ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କୁ ନିର୍ବାଚନ ପାଇଁ ପ୍ରିଜାଇଡିଂ ଅଫିସର ଭାବେ ନିଯୁକ୍ତ କରିବା ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବ।

Breaking News