ରିପୋର୍ଟ କାର୍ଡ / ଭୁବନେଶ୍ୱର
‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମର ପ୍ରକଳ୍ପ ଚୟନରେ ଲାଗିଛି ହାଇକୋର୍ଟଙ୍କ ଝଟକା। ସରପଞ୍ଚ ଓ ନିର୍ବାଚିତ ଜନପ୍ରତିନିଧିଙ୍କ ସହଭାଗିତାରେ ପ୍ରକଳ୍ପ ଚୟନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ମାତ୍ର ପ୍ରକଳ୍ପ କାର୍ଯ୍ୟକାରିତା ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ କୋର୍ଟ ମନା କରିଛନ୍ତି। ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମରେ ଜନପ୍ରତିନିଧିଙ୍କୁ ଉପେକ୍ଷା କରାଯାଉଥିବା ନେଇ ବହୁ ଜନପ୍ରତିନିଧି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏ ସଂକ୍ରାନ୍ତରେ ରାଜ୍ୟର ଏକାଧିକ ସ୍ଥାନରୁ ପ୍ରାୟ ୪୨ଟି ମାମଲା ହାଇକୋର୍ଟରେ ରୁଜୁ ହୋଇଥିଲା | ଆଜି ଏହି ମାମଲାର ରାୟ ପ୍ରକାଶ ପାଇଛି। ରାୟରେ କୁହାଯାଇଛି, ପ୍ରକଳ୍ପ ଚୟନରେ ନିର୍ବାଚିତ ଜନପ୍ରତିନିଧିମାନଙ୍କର ସହଭାଗିତା ରହିବ। କାରଣ ପଞ୍ଚାୟତରାଜ ଆଇନ ଅନୁସାରେ, ସ୍ଥାନୀୟ ଅଞ୍ଚଳର ବିକାଶରେ ନିର୍ବାଚିତ ଜନପ୍ରତିନିଧିମାନଙ୍କର ପ୍ରମୁଖ ଭୂମିକା ରହିଥାଏ, ତେଣୁ ସେମାନଙ୍କୁ ଉପେକ୍ଷା କରାଯାଇ ପାରିବ ନାହିଁ। ତେଣୁ ପ୍ରକଳ୍ପ ଚୟନରେ ନିର୍ବାଚିତ ଜନପ୍ରଧିନିଧୀଙ୍କ ସହଭାଗିତା ରହିବ, ଗ୍ରାମସଭା କରାଯିବ। ଏହାପରେ ନିର୍ଦ୍ଧାରିତ ପ୍ରକଳ୍ପ କାହା ଦ୍ୱାରା କାର୍ଯ୍ୟକାରୀ ହେବ ତାହା ସ୍ଥିର କରାଯିବ। ମାତ୍ର ସେଥିରେ ହସ୍ତକ୍ଷେପକୁ କୋର୍ଟ ମନା କରିଛନ୍ତି। ଏହି ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି। ତୃଣମୂଳ ସ୍ତରରେ ବିକାଶ କଥା ଉଠିଲେ ଜନ ପ୍ରତିନିଧିଙ୍କୁ ଏଡ଼ାଇ ଦିଆଯାଇ ପାରିବନି ବୋଲି ପୂର୍ବରୁ ପଞ୍ଚାୟତିରାଜ ଆଇନରେ ସ୍ପଷ୍ଟ ଭାବେ ଉଲ୍ଲେଖ ଥିଲା। କାରଣ ପଞ୍ଚାୟତ ବିକାଶ ହେଲେ ଦେଶର ବିକାଶ ହୋଇ ପାରିବ ବୋଲି କୁହାଯାଇଥିଲା। ମାତ୍ର ସେମାନଙ୍କୁ ଉପେକ୍ଷା କରି ଗତ ବର୍ଷ ଜୁଲାଇ ୧୧ରେ ରାଜ୍ୟ ସରକାର ଏକ ବିଧେୟକ ଆଣିଲେ, ସେଥିରେ ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ନାମକ ଯୋଜନାକୁ ବିଧିବଦ୍ଧ ଭାବେ ଆରମ୍ଭ କରାଗଲା।ସେଥିରେ ସ୍ପଷ୍ଟ କରାଗଲା ଯେ ପ୍ରତି ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ଫଳରେ ସ୍ଥାନୀୟ ପଞ୍ଚାୟତର ସାଂସ୍କୃତିକ ଓ ପାରମ୍ପରିକ ଭିତ୍ତିଭୂମିର ବିକାଶ ସହ ଉନ୍ନତିକରଣ କରାଯିବ। ତାହା ମଧ୍ୟରେ ଜଗନ୍ନାଥ ସଂସ୍କୃତିର ପ୍ରଚାର, ପ୍ରସାର କରିବା, ଭାଗବତ ଟୁଙ୍ଗିର ପୁନରୁଦ୍ଧାର କରିବା, ସଭାଗୃହଳ କରିବା ଆଦି କାମ ଅନ୍ତର୍ଭୁକ୍ତ ଥିଲା।କିନ୍ତୁ ଏଥିରେ ନିର୍ବାଚିତ ଜନପ୍ରତିନିଧି ସରପଞ୍ଚ, ସମିତିସଭ୍ୟ ପ୍ରମୁଖଙ୍କୁ ଉପେକ୍ଷା କରାଗଲା। ସରକାରୀ ଅଧିକାରୀ ସମ୍ପୂର୍ଣ୍ଣ ପ୍ରକଳ୍ପ ଚୟନ କରିବେ ଓ ତାଙ୍କ ଦ୍ୱାରା ସ୍ଥିରିକୃତ ହୋଇଥିବା ଠିକାଦାରଙ୍କ ଜରିଆରେ ଏହି କାମ କରାଇବେ ବୋଲି ଉଲ୍ଲେଖ ଥିଲା। ଏହାକୁ ଜନପ୍ରତିନିଧିମାନେ ବିରୋଧ କରିବା ସହ ଆଇନର ଆଶ୍ରୟ ନେଲେ।






More Stories
ଆସନ୍ତାକାଲି ସ୍କୁଲ୍ ଛୁଟି…..
ଜମ୍ମୁ କାଶ୍ମୀରରେ ଭୂକମ୍ପ…..
ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି…..