ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଉତ୍ତରାଖଣ୍ଡ ବିଧାନସଭାରେ ଦୀର୍ଘ ଆଲୋଚନା ପରେ ୟୁନିଫର୍ମ ସିଭିଲ କୋଡ୍ ବିଲ୍ ବହୁମତରେ ଗୃହୀତ ହୋଇଛି। ଗତକାଲି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ୟୁସିସି ବିଲ୍ ଆଗତ କରିଥିଲେ ଏବଂ ଏହା ପରେ ଆଲୋଚନା ଆରମ୍ଭ ହୋଇଥିଲା। ଦୁଇ ଦିନର ଆଲୋଚନା ପରେ ଆଜି ୟୁସିସି ବିଲ୍ ଧ୍ବନିମତରେ ଗୃହୀତ ହୋଇଛି। ବିଧାନସଭାରେ ପାରିତ ହେବା ପରେ ୟୁସିସି ବିଲ୍ ଏବେ ଆଇନରେ ପରିଣତ ହୋଇଛି। ଉତ୍ତରାଖଣ୍ଡ ୟୁସିସି ଲାଗୁ କରିବାରେ ପ୍ରଥମ ରାଜ୍ୟ ହୋଇଛି।ଏହି ଆଇନରେ ସମସ୍ତ ପୁରୁଷଙ୍କ ସର୍ବନିମ୍ନ ବିବାହ ବୟସ ୨୧ ବର୍ଷ ରଖାଯାଇଥିବା ବେଳେ ସମସ୍ତ ମହିଳାଙ୍କ ପାଇଁ ୧୮ ବର୍ଷ ଧାର୍ଯ୍ୟ କରାଯାଇଛି। ଏପରି କରିବା ଦ୍ୱାରା ଆମେ ସେହି ପିଲାମାନଙ୍କ ର ଶାରୀରିକ ଓ ମାନସିକ ନିର୍ଯାତନାକୁ ରୋକିବାରେ ସକ୍ଷମ ହୋଇପାରିବୁ । ଏବେ ଏହି ଆଇନ ଜରିଆରେ ଯଦି କୌଣସି ଦମ୍ପତି ଅନ୍ୟର ସହମତି ବିନା ନିଜର ଧର୍ମ ପରିବର୍ତ୍ତନ କରନ୍ତି ତେବେ ଅନ୍ୟ ବ୍ୟକ୍ତିଙ୍କୁ ବିବାହ ବିଚ୍ଛେଦ କରି ସେହି ବ୍ୟକ୍ତିଙ୍କଠାରୁ ଭରଣପୋଷଣ ନେବାର ଅଧିକାର ରହିବ । ବର୍ତ୍ତମାନ ପର୍ଯ୍ୟନ୍ତ ଜନ୍ମ ଓ ମୃତ୍ୟୁ ଯେପରି ପଞ୍ଜୀକୃତ ହେଉଥିଲା, ସେହିଭଳି ଉଭୟ ବିବାହ ଓ ଛାଡ଼ପତ୍ର ମଧ୍ୟ ସମାନ ପ୍ରକ୍ରିୟା ଆପଣାଇ ପଞ୍ଜୀକୃତ ହୋଇପାରିବ। ଆମ ସରକାରଙ୍କ ସରଳୀକରଣ ର ମନ୍ତ୍ର ଅନୁଯାୟୀ, ୱେବ ପୋର୍ଟାଲ ମାଧ୍ୟମରେ ମଧ୍ୟ ଏହି ପଞ୍ଜୀକରଣ କରାଯାଇପାରିବ ବୋଲି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି କହିଛନ୍ତି । ସେ କହିଛନ୍ତି, ୟୁନିଫର୍ମ ସିଭିଲ କୋଡ୍ ଅଧୀନରେ ଜାତି, ଧର୍ମ, ଅଞ୍ଚଳ ଏବଂ ଲିଙ୍ଗ ଆଧାରରେ ଭେଦଭାବ କରୁଥିବା ବ୍ୟକ୍ତିଗତ ନାଗରିକ ମାମଲା ସହିତ ଜଡ଼ିତ ସମସ୍ତ ଆଇନରେ ସମାନତା ଆଣିବାକୁ ଚେଷ୍ଟା କରାଯାଇଛି। ସମ୍ବିଧାନର ଧାରା ୩୪୨ ଅଧୀନରେ ଆମେ ଆମର ଅନୁସୂଚିତ ଜନଜାତିମାନଙ୍କୁ ଏହି ସଂହିତାରୁ ବାଦ୍ ଦେଇଛୁ ଯାହାଦ୍ୱାରା ସେହି ଜନଜାତି ଏବଂ ସେମାନଙ୍କର ରୀତିନୀତିକୁ ସୁରକ୍ଷିତ ରଖାଯାଇପାରିବ ।






More Stories
EV କିଣୁଥିବା ଗ୍ରାହକ ଖୁସି!…..
ଏପ୍ରିଲରୁ ନୂଆ ଆୟକର ନିୟମ…..
ଦେଶରେ ସଂସ୍କାର ଏକ୍ସପ୍ରେସ୍ ଆରମ୍ଭ…..